Unknown

 

 

 

 

 

 

 

 

 

 

 

କୃଷକ ସହାୟ

ଶ୍ରୀ ରାଧାଗୋବିନ୍ଦ ଦାସ

 

ପ୍ରଥମ ଅଧ୍ୟାୟ

ମାଟି

 

ମାଟି ସାଧାରଣତଃ ତିନି ପ୍ରକାର ଯଥା–ମଟାଳ, ବାଲିଆ ଓ ଦୋରସା । ଯେଉଁ ମାଟି କାଦୁଆ ଓ ଚିକିଟା ଓ ଯହିଁରେ ପାଣି ଭଲ କରି ଭେଦି ପାରେ ନାହିଁ, ତାହାକୁ ମଟାଳ ମାଟି କହନ୍ତି । ଯେଉଁ ମାଟିରେ ବାଲିଭାଗ ବେଶି ଓ ଯହିଁରେ ପାଣି ସହଜରେ ଭେଦି ପାରେ ତାହା ବାଲିଆ ମାଟି-। ଯେଉଁ ମାଟିରେ ବାଲି ଓ ଚିକିଟା ସମାନ ଭାଗରେ ଥାଏ ତାହାକୁ ଦୋରସା ମାଟି କହନ୍ତି ।

 

ମାଟି ଗଛର ବାସସ୍ଥାନ ସ୍ୱରୂପ । ଯେପରି ସବୁ ସ୍ଥାନରେ ସବୁ ଜୀବ ଭଲ କରି ବଢ଼ି ପାରନ୍ତି ନାହିଁ, ସେହିପରି ସବୁ ମାଟିରେ ସବୁ ଗଛ ଭଲ କରି ବଢ଼ି ପାରନ୍ତି ନାହିଁ । ଯେପରି କୌଣସି ଜୀବ ବଣରେ, କୌଣସି ପଡ଼ିଆରେ, କୌଣସି ପାଣିରେ, କେହି ଶୀତ ପ୍ରଧାନ ଦେଶରେ ଓ କେହି ଗ୍ରୀଷ୍ମପ୍ରଧାନ ଦେଶରେ ବଢ଼ନ୍ତି, ସେହିପରି କୌଣସି ଗଛ ମଟାଳ ମାଟିରେ, କୌଣସି ବାଲି ମାଟିରେ, କୌଣସି ଦୋରସା ମାଟିରେ, କୌଣସି ଶୀତକାଳରେ ଓ କୌଣସି ଗ୍ରୀଷ୍ମ କାଳରେ ବଢ଼ନ୍ତି । ଯେପରି କୌଣସି ଜୀବ ଉପଯୁକ୍ତ ସ୍ଥାନରେ ନ ରହିଲେ ତାହାର ସ୍ୱାସ୍ଥ୍ୟର ହାନି ଘଟେ, ସେହିପରି ଗଛକୁ ତାହାର ଉପଯୁକ୍ତ ମାଟିରେ ନ ଲଗାଇଲେ, ତାହା ଭଲ କରି ବଢ଼ିପାରେ ନାହିଁ ।

 

ଜୀବମାନଙ୍କ ପକ୍ଷରେ ଜଳ ଓ ବାୟୁ ଯେପରି ଅତି ଆବଶ୍ୟକ, ଗଛମାନଙ୍କ ପକ୍ଷରେ ମଧ୍ୟ ସେହିପରି। ମାଟି ଯେତେ ଉର୍ବର ହେଲେ ମଧ୍ୟ ଜଳ ଓ ବାୟୁ ବିନା ତାହା ଗଛମାନଙ୍କ ପକ୍ଷରେ ବିଶେଷ କାର୍ଯ୍ୟକାରୀ ନୁହେଁ । ସେହିହେତୁରୁ ଶୁଖିଲା ମାଟିରେ କୌଣସି ଗଛ ବଢ଼ିପାରେ ନାହିଁ । ଜଳ ଦ୍ୱାରା ମାଟିରେ ଥିବା ସାର ତରଳ ଅବସ୍ଥା ପ୍ରାପ୍ତହୋଇ ଖାଦ୍ୟରେ ପରିଣତ ହୁଏ ଏବଂ ଗଛସବୁ ଚେର ଦ୍ୱାରା ତାହା ଶୋଷଣ କରନ୍ତି ।

 

ମଟାଳ ମାଟି–ବଡ଼ ଗଛମାନଙ୍କ ପକ୍ଷରେ ମଟାଳ ମାଟି ବିଶେଷ ଉପଯୋଗୀ; ଯଥା-ଆମ୍ବ, ନଡ଼ିଆ, ପଣସ ପ୍ରଭୃତି । କିନ୍ତୁ ଉପଯୁକ୍ତ ଯତ୍ନ ନ ହେଲେ ତାହା ଫସଲ ପକ୍ଷରେ ତେତେ ଉପଯୋଗୀ ନୁହେଁ । ମଟାଳ ମାଟିରେ ଗଛମାନଙ୍କ ନିମନ୍ତେ ଅଧିକ ସାର ଥାଏ; କିନ୍ତୁ ଅଧିକ କଠିନ ହୋଇ ଥିବାରୁ ବାୟୁ ଓ ଜଳ ତାହା ମଧ୍ୟରେ ଭଲକରି ପ୍ରବେଶ କରି ତହିଁରେ ଥିବା ସାରକୁ ଖାଦ୍ୟୋପଯୋଗୀ କରିପାରେ ନାହିଁ । ସେହି ହେତୁରୁ ବର୍ଷା କାଳରେ ଜଳ, ମଟାଳ ମାଟିରେ ଭଲକରି ପ୍ରବେଶ ନ କରି ଉପରେ ଜମା ହୋଇରହେ ଓ ପାଣି ଶୁଖିଗଲେ ମାଟି ବସିଯାଏ । ଆଉ ମଧ୍ୟ ମାଟି କଠିନ ହୋଇ ବସି ଯିବାରୁ ଗଛର ଚେରସବୁ ଚାରିଆଡ଼େ ବିସ୍ତୃତ ହୋଇ ଖାଦ୍ୟ ସଂଗ୍ରହ କରିପାରେ ନାହିଁ । ଏଥିଯୋଗୁଁ ଗଛ ବଢ଼ିବା ପାଇଁ ମଟାଳ ମାଟିକୁ ଉପଯୁକ୍ତ କରିବାକୁ ହେଲେ, ତାହାକୁ ଭଲକରି ଚାଷ କରିବା ଉଚିତ ଓ ତହିଁରେ ଭଲ ଖତ ଦେବା ଉଚିତ ।

 

ବାଲିଆମାଟି–ଯେଉଁ ସବୁ ଗଛର ଫଳରେ ଓ କାଣ୍ଡରେ ଜଳର ଭାଗ ଅଧିକ ସେ ସବୁ ଗଛ ବାଲି ମାଟିରେ ଭଲହୁଏ, ଯଥା:-ଫୁଟୀ, ତରଭୁଜ, କଖାରୁ ଇତ୍ୟାଦି । ଏହି ପ୍ରକାର ମାଟିରେ ଛିଦ୍ର ବହୁତ ଥାଏ । ଏଥିରେ ଜଳ ଓ ବାୟୁ ଭଲ କରି ପ୍ରବେଶ କରିପାରେ । ଏପ୍ରକାର ମାଟି ଜଳ ଚଞ୍ଚଳ ଶୋଷିନିଏ । ଏଣୁକରି ଜଳ ପୁନଃ ପୁନଃ ସେଚନ ନ କଲେ ଗଛସବୁ ଚଞ୍ଚଳ ମରିଯାଏ ।

 

ଦୋରସା ମାଟି-ଯେଉଁ ମାଟିରେ ମଟାଳ ଆଠ ବା ନଅ ଭାଗ ଓ ବାଲି ଚାରି ବା ପାଞ୍ଚ ଭାଗ ଥାଏ, ସେହି ପ୍ରକାର ଦୋରସା ମାଟି ଫସଲ ପକ୍ଷରେ ବିଶେଷ ଉପଯୋଗୀ । ଦୋରସା ମାଟିରେ ଫସଲ ଯେପରି ହୁଏ, ଅନ୍ୟ କୌଣସି ମାଟିରେ ସେପରି ହୁଏ ନାହିଁ । ମଟାଳ ମାଟିରେ ଗଛ ପାଇଁସାର ବହୁ ପରିମାଣରେ ଥିଲେ ସୁଦ୍ଧା ତାହା ସହଜରେ ଖାଦ୍ୟୋପଯୋଗୀ ହୋଇପାରେ ନାହିଁ । କିନ୍ତୁ ଦୋରସା ମାଟିରେ ଗଛର ସାର ଅଳ୍ପ ପରିମାଣରେ ଥିଲେ ସୁଦ୍ଧା ତାହା ସହଜରେ ଖାଦ୍ୟୋପଯୋଗୀ ହୋଇପାରେ । କାରଣ ସେ ମାଟି ସଚ୍ଛିଦ୍ର । ସେ ମାଟିରେ ବାୟୁ ଓ ଜଳ ସହଜରେ ପ୍ରବେଶକରି ତହିଁରେ ଥିବାସାରକୁ ଖାଦ୍ୟରେ ପରିଣତ କରିଦିଏ । ସେ ପ୍ରକାରେ ମାଟିରେ ଜଲ ବହୁକାଳ ଜମି ରହେ ନାହିଁ କିମ୍ବା ଚଞ୍ଚଳ ଶୁଖି ଯାଏ ନାହିଁ । ତହିଁରେ ଗଛର ଚେର ସହଜରେ ଚାରିଆଡ଼େ ବିସ୍ତୃତ ହୋଇ ଗଛପାଇଁ ଖାଦ୍ୟ ସଂଗ୍ରହ କରେ ।

 

ଅତଏବ ଆମ୍ଭେମାନେ ଜାଣୁଅଛୁଁ ଯେ ବାୟୁ ଓ ଜଳ ମାଟିରେ ଥିବା ସାରକୁ ଖାଦ୍ୟରେ ପରିଣତ କରେ । ଏଣୁକରି ଯେ କୌଣସି ମାଟି ହେଉ, ତହିଁରେ କେବଳ ଫସଲ ବୁଣି ଦେଲେ ହେବ ନାହିଁ । ପ୍ରଥମରେ ମାଟିକୁ ଅନେକ ଥର ଛାଷ କରିବା ଉଚିତ । ତାହା କଲେ ମାଟି ହାଲୁକା ହୋଇଯାଏ ଓ ସେଥିରେ ଗଛର ଚେର ସହଜରେ ଚାରି ଆଡ଼କୁ ବିସ୍ତୃତ ହୋଇ ଗଛ ପାଇଁ ପ୍ରଚୁର ଖାଦ୍ୟ ସଂଗ୍ରହ କରେ । ଚାଷଦ୍ୱାରା ତଳର ମାଟି ଉପରକୁ ଆସି ବାୟୁରୁ ବୃକ୍ଷପାଇଁ ଖାଦ୍ୟ ଶୋଷି ଆଣେ । ଆଉ ମଧ୍ୟ ଯେ କୌଣସି ମାଟି ହେଉ ସେଥିରେ ଉପଯୁକ୍ତ ଖତ ଦେବା ଉଚିତ । ଖତର ଆବଶ୍ୟକତା ସମ୍ବନ୍ଧରେ ପରେ କୁହାଯିବ ।

Image

 

ଦ୍ୱିତୀୟ ଅଧ୍ୟାୟ

ଖତ

 

ଭୂମିରେ ବାରମ୍ବାର ଫସଲ ଉତ୍ପାଦନ କରିବା ଦ୍ୱାରା ଗଛର ଖାଦ୍ୟ ସବୁ ସରିଯାଏ । ପୁନର୍ବାର ଖତ ନ ଦେଲେ ଗଛ ସେପରି ସତେଜ ହୁଏ ନାହିଁ ଓ ଭଲ ଫସଲ ମଧ୍ୟ ଉତ୍ପନ୍ନ ହୁଏ ନାହିଁ-। ଖତ ସାଧାରଣତଃ ତିନି ପ୍ରକାର, ଯଥା–ଉଦ୍ଭିଦ ଖତ, ପ୍ରାଣୀ ଖତ ଓ ମାଟିଖତ । ଏମାନଙ୍କ ସଂଯୋଗରେ ନାନା ପ୍ରକାର ମିଶ୍ରିତ ଖତ ପ୍ରସ୍ତୁତ ହୁଏ । ଖତ ଯେ କେବଳ ଗଛକୁ ଖାଦ୍ୟ ଯୋଗାଏ ତାହା ନୁହେଁ, ବରଂ ଏହା ମାଟିକୁ ହାଲୁକା କରେ ଓ ମାଟିରେ ସାରକୁ ଗଛର ଖାଦ୍ୟୋପଯୋଗୀ କରେ । ମାଟି ହାଲୁକା ହେଲେ ଗଛର ଚେର ଚାରିଆଡ଼େ ମାଡ଼ି ଯାଇ ଗଛ ପାଇଁ ପ୍ରଚୂର ଖାଦ୍ୟ ସଂଗ୍ରହ କରେ । ଭିନ୍ନ ଭିନ୍ନ ପ୍ରକାର ଖତ କିପରି ତିଆରି କରାଯାଏ ଓ ତାହା କିପରି ଭୂମିରେ ଦିଆଯାଏ ତାହାର ବିବରଣ ନିମ୍ନରେ ଦିଆଗଲା ।

 

ଉଦ୍ଭିଦଜାତ ଖତ

 

ପାଉଁଶ-ପାଉଁଶ ଏକ ପ୍ରକାର ପ୍ରଧାନ ଖତ । ଏଥିରେ ପୋଟାସ୍‌ ଓ ଫସ୍‌ଫେଟ ନାମକ ଗଛର ପ୍ରଧାନ ସାର ଥାଏ । ଚୂଲିରୁ ଯେଉଁସବୁ ପାଉଁଶ ବାହାରେ ତାହାକୁ ଏକ ସ୍ଥାନରେ ଜମା କରି ତାହା ଉପରେ ପାଞ୍ଚ ବା ଛଅ ଇଞ୍ଚ ବହଳରେ ମାଟି ଘୋଡ଼ାଇ ଦେବ । ପୁନର୍ବାର ତାହା ଉପରେ ପାଉଁଶ ପକାଇବ ଓ ତାହା ଉପରେ ଆଉ ପାଞ୍ଚ ଛଅ ଇଞ୍ଚ ମାଟି ପକାଇବ । ଏହିପରି ପରସ୍ତ ପରସ୍ତ କରି ମାଟି ଓ ପାଉଁସ ଜମା କରିବ । ବର୍ଷେ ବା ଦୁଇବର୍ଷ ଗଲେ ଉକ୍ତ ପାଉଁଶସବୁ ଖତର ପରିଣତ ହୋଇଯାଏ । ଉକ୍ତ ଖତକୁ ଭୂମିରେ ପକାଇଲେ ଫସଲ ଭଲ ହୁଏ । ପାଉଁଶଖତ ପରିମାଣ ଅନୁସାରେ ଦେବା ଉଚିତ । ବେଶିହୋଇ ଗଲେ ଗଛ ଶୁଖିଯାଏ ଏବଂ ଫସଲ ଭଲ ହୁଏ ନାହିଁ । ପାଉଁଶକୁ ଖତରେ ପରିଣତ ନ କରି କେବେହେଁ ଭୂମିରେ ପକାଇବ ନାହିଁ । ଖାଲି ପାଉଁଶ ଗଛକୁ ଶୁଖାଇଦିଏ ।

 

ଫସଲ ଆମଦାନି କଲାପରେ ଭୂମିରେ ଥିବା କୁଟାକାଠି ସବୁ ପୋଡ଼ି ଦେବା ଉଚିତ । ତାହା କଲେ ଉକ୍ତ କୁଟା କାଠି ପାଉଁଶ ଖତରେ ପରିଣତ ହୁଏ ।

 

ପତ୍ରଖତ-ପତ୍ରସବୁ ସଢ଼ିଗଲେ ତାହା ଖତ ହୋଇଗଛକୁ ଖାଦ୍ୟ ଯୋଗାଏ । ଏ ପ୍ରକାର ଖତ ପ୍ରାୟ ଆମ ଦେଶରେ ବ୍ୟବହାର ହୁଏ ନାହିଁ । କିନ୍ତୁ ଏହା ଏକ ପ୍ରକାର ଭଲ ଖତ । ବଣ ପ୍ରଦେଶରେ ଗଛର ପତ୍ର ବିଶେଷ ପରିମାଣରେ ମିଳେ । ସେ ସବୁ ସଂଗ୍ରହ କରି ଭୂମିରେ ପକାଇବା ଉଚିତ । ବର୍ଷାଦିନେ ନାନା ପ୍ରକାର ପତ୍ର ଭୂମିରେ ପକାଇ ସାଙ୍ଗେ ୨ ଭୂମିକୁ ଚାଷ କରିଦେବା ଉଚିତ । ଏପରି କଲେ ଉକ୍ତ ପତ୍ର ସବୁ ଶୀଘ୍ର ସଢ଼ି ଯାଇ ଖତ ହୋଇଯିବ ।

 

ଉପରେ ଯେଉଁ ଉପାୟ ଦ୍ୱାରା ପତ୍ରର ଖତ ଭୂମିରେ ଦେବା କଥା କୁହାଗଲା ତାହା ଅତି ବ୍ୟୟ ସାଧ୍ୟ ଓ କଷ୍ଟ ସାଧ୍ୟ । ତାହା ନ କରି ଅନ୍ୟ ଉପାୟରେ ଭୂମିରେ ପତ୍ର ଖତ ଦିଆଯାଇ ପାରେ-। ପ୍ରଥମରେ ଭୂମିକୁ ଭଲ କରି ଚାଷ କରି ସେଥିରେ ଧଣିଚା, ନଳିତା ବା ସୁଆଁ ବୁଣି ଦେବ-। ଗଛ ସବୁ ପ୍ରାୟ ଏକଫୁଟ ଉଚ୍ଚ ହୋଇଗଲେ ବର୍ଷାଦିନ ଦେଖି ଉକ୍ତ ଭୂମିକୁ ପୁନର୍ବାର ଭଲରୂପେ ଚାଷ କରି ମଇ ଦେଇଦେବ । ଏପରି କଲେ ଉକ୍ତ ଗଛସବୁ ସଢ଼ିଯାଇ ଖତରେ ପରିଣତ ହେବ । ଯେଉଁ ଭୂମିରେ ଏପରି ଭାବରେ ଖତ ଦିଆଯାଏ ସେଥିରେ ଫସଲ ଭଲ ହୁଏ । ଅନ୍ୟାନ୍ୟ ପତ୍ର ଅପେକ୍ଷା ନଳିତା ଓ ଧଣିଚା ପତ୍ର ଭଲ ଖତ ହୁଏ । ଉକ୍ତ ଗଛସବୁ ନିଜ ପାଇଁ ବାୟୁରୁ ଓ ମାଟିରୁ ବହୁ ପରିମାଣରେ ଖାଦ୍ୟ ସଂଗ୍ରହ କରିଥାନ୍ତି । ସେସବୁ ଚାଷ ଦ୍ୱାରା ସଢ଼ିଗଲେ ତାହାର ଚେର, କାଣ୍ଡ ଓ ପତ୍ରରେ ଥିବା ସଂଗୃହୀତ ସାର ଫସଲ ପକ୍ଷରେ ବିଶେଷ ଉପଯୋଗୀ ହୁଏ । ସେଥିଯୋଗୁଁ ଯେଉଁ ଭୂମିରେ ଭଲ ଫସଲ ହୁଏ ନାହିଁ, ସେ ଭୂମିରେ ପ୍ରଥମ ବର୍ଷ ନଳିତା ବା ଛଣପଟ ବୁଣିଦେଲେ ଅନ୍ୟ ବର୍ଷକୁ ଭଲ ଫସଲ ହୁଏ । ଧାନ ଭୂମିରେ ଧଣିଚା ବା ସୁଆଁ ଧାନ ସଙ୍ଗେ ସଙ୍ଗେ ବୁଣି ଦେବ-। ଧାନ ବେଉଷଣ ସମୟରେ ସେ ସବୁ ସଢ଼ିଯାଇ ଖତ ହୋଇଯିବ ।

 

ବୋର ଝାଇଁ ପ୍ରଭୃତି ଦଳ ଖତରୂପରେ ବ୍ୟବହାର କରାଯାଇପାରେ ।

 

ପିଡ଼ିଆ-ଖତ ମଧ୍ୟରେ ପିଡ଼ିଆ ପ୍ରଧାନ ଖତ । ଏପରି କି ଅନ୍ୟ ଖତ ସବୁ ଭୂମିର ଉର୍ବରତା ଯେ ପରିମାଣରେ ବୃଦ୍ଧି କରି ପିଡ଼ିଆ ତାହାର ଦଶଗୁଣ ବୃଦ୍ଧି କରେ । ଏକ ଏକର ଭୂମିରେ ମହଣେ ପିଡ଼ିଆ ଆବଶ୍ୟକ । ଏ ଦେଶରେ ବଗିଚାରେ କେବଳ ପିଡ଼ିଆ ଖତ ରୂପରେ ବ୍ୟବହୃତ ହୁଏ । କଞ୍ଚା ପିଡ଼ିଆ ଭୂମିରେ ଦେଲେ ବିଶେଷ ଫଳପ୍ରଦ ହୁଏ ନାହିଁ । ପ୍ରଥମେ ପିଡ଼ିଆକୁ ଖତରେ ପରିଣତ କରିବା ଉଚିତ ଓ ତା ପରେ ଭୂମିରେ ଦେବା ଉଚିତ । ପାଉଁଶକୁ ଯେପରି ଖତ କରାଯାଏ ପିଡ଼ିଆକୁ ଠିକ୍‌ ସେହିପରି ଖତ କରାଯାଏ । କେହି କେହି ପିଡ଼ିଆ ଓ ଘସିକୁ ଚୂନା କରି ଫସଲରେ ଦିଅନ୍ତି ।

 

ପ୍ରାଣୀଖତ

 

ପ୍ରାଣୀମାନଙ୍କ ମାଂସ, ରକ୍ତ ଓ ଚର୍ମ୍ମ ପ୍ରଭୃତି ମାଟି ସଙ୍ଗରେ ମିଶିଲେ ଭଲ ଖତ ହୁଏ । ଗୋଟାଏ ଗାତ କରି ସେଥିରେ ପ୍ରାଣୀମାନଙ୍କର ମୃତ ଦେହ ପକାଇବ । ତାହା ଉପରେ କିଛି ଚୂନ ଦେଇ ମାଟି ଘୋଡ଼ାଇ ଦେବ । କେତେକ ମାସପରେ ସେ ସବୁ ଭଲ କରି ସଢ଼ି ଗଲେ, ତହିଁରେ କେତେକ ପରିମାଣରେ ଚୁନ ମିଶାଇ ଭୂମିରେ ଦେଲେ ଭୂମିର ଉର୍ବରତା ବୃଦ୍ଧି ହୁଏ । ସଢ଼ା ମାଛ, ଆମ୍ବ ଓ ନଡ଼ିଆ ପ୍ରଭୃତି ଗଛ ମୂଳରେ ଦିଆଯାଏ ।

 

ହାଡ଼କୁ ଚୂନା କରି ଭୂମିରେ ପକାଇଲେ ଭୂମିର ଉର୍ବରତା ବହୁକାଳ ପର୍ଯ୍ୟନ୍ତ ରହେ ।

 

ଗୋବର ଏକପ୍ରକାର ପ୍ରଧାନ ଖତ । ଏହା ସାଧାରଣତଃ ଆମ୍ଭମାନଙ୍କ ଦେଶରେ ସାରରୂପେ ବ୍ୟବହୃତ ହୁଏ । ଯେପରି ପାଉଁଶକୁ ଖତ କରାଯାଏ, ଗୋବରକୁ ସେହିପରି ଖତ କରାଯାଏ । କିନ୍ତୁ ଖରା ବର୍ଷାରୁ ରକ୍ଷା କରିବା ନିମନ୍ତେ ଏହାର ଉପରି ଭାଗ ଘୋଡ଼ାଇ ରଖିବା ଉଚିତ; ଯେପରିକି ଏହା ବର୍ଷାରେ ଧୋଇ ହୋଇ ନ ଯାଏ । ଗୋରୁମୂତ ଖତରୂପେ ବ୍ୟବହୃତ ହୁଏ-। କଞ୍ଚାମୂତ ଭୂମିରେ ଦେବା ଉଚିତ ନୁହେଁ । ପ୍ରଥମେ ମାଟିରେ ମିଶାଇ ଖତ କରିବା ଉଚିତ । ଉକ୍ତ ମାଟି ଖତରେ ପରିଣତ ହେଲେ ତାହା ଭୂମିରେ ଦେବ । ପାଞ୍ଚ ବା ଛଅ ମାସରେ ମୂତ ଖତରେ ପରିଣତ ହୁଏ । କେହି କେହି ଗୋରୁ ପଲ ବିଲରେ ରଖାନ୍ତି । ଏହାଦ୍ୱାରା ଗୋବର ଓ ଗୋରୁ ମୂତ ପ୍ରଚୂର ପରିମାଣରେ ଜମିରେ ପଡ଼ି ଜମିର ଉର୍ବରତା ବୃଦ୍ଧି କରେ ।

 

ଘୋଡ଼ାନଣ୍ଡି, ଛେଳିନଣ୍ଡି, ମେଣ୍ଢାନଣ୍ଡି ଖତ ରୂପେ ବ୍ୟବହୃତ ହୁଏ । ଛେଳିନଣ୍ଡି ଓ ମେଣ୍ଢାନଣ୍ଡି ଗୋବର ଅପେକ୍ଷା ଭଲ ଖତ । ଗୋରୁ ପଲପରି ଛେଳି ଓ ମେଣ୍ଢା ପଲ ଭୂମିରେ କେତେକ ଦିନ ରଖିବା ଉଚିତ ।

 

କୌଣସି କୌଣସି ସ୍ଥାନେ ବିଷ୍ଠା ଖତରୂପେ ବ୍ୟବହୃତ ହୁଏ

 

ଚଢ଼େଇ ନଣ୍ଡି ଏକପ୍ରକାର ଭଲ ଖତ । ଏହାକୁ ମାଟିରେ ମିଶାଇ ଖତରେ ପରିଣତ କରିବ ଓ ତତ୍ପରେ ଭୂମିରେ ଦେବ । ଅନେକ ପର୍ବତ ଗୁମ୍ଫାରେ ଓ ଗଛ ମୂଳରେ ବହୁ ପରିମାଣରେ ଚଢ଼େଇନଣ୍ଡି ମିଳେ । ସେ ସବୁ ଚାଞ୍ଛି ଭୂମିରେ ପକାଇବ । ଅନେକେ ନିଜ ୨ ଘରେ ପାରାପୋଷି ଥାନ୍ତି । ସେମାନଙ୍କ ନଣ୍ଡି ଗୋଟାଏ ଖାତ ଖୋଳି ରଖିଥିବ ଓ ପରେ ଗାତରୁ ନେଇ ଭୂମିରେ ପକାଇବ । ଦେଉଳରେ ମଧ୍ୟ ବହୁ ପରିମାଣରେ ପାରା ନଣ୍ଡି ମିଳେ । ସେସବୁ ସହଜରେ ସଂଗ୍ରହ କରାଯାଇ ପାରେ । ନୀଚ ଜାତିମାନଙ୍କ ଘରୁ କୁକ୍କୁଡ଼ା ମଳ ସଂଗ୍ରହ କରାଯାଇପାରେ । ଅନ୍ୟାନ୍ୟ ସାର ଅପେକ୍ଷା ଚଢ଼େଇମଳ ଦୁଇଗୁଣ କାର୍ଯ୍ୟକାରୀ ।

 

ମାଟିସାର

 

ନଦୀପଟୁ ବା ପୁରୁଣା ପୋଖରୀର ପଙ୍କ ଭୂମିରେ ପକାଇଲେ ଭୂମି ଅତିଶୟ ଉର୍ବର ହୁଏ । ନଦୀ ପାଣି ଦ୍ୱାରା ଅନେକ ସ୍ଥାନର ସାର ଧୋଇ ହୋଇ ଆସି ଏବଂ ନିମ୍ନ ସ୍ଥାନରେ ସେ ସବୁ ବସି ଯାଇ ପଟୁ ପଡ଼ିଯାଏ । ଏହିହେତୁ ପଟୁରେ ବୃକ୍ଷର ଉପଯୋଗୀ ଅନେକ ପ୍ରକାର ସାର ଥାଏ ।

 

ଆମ୍ଭମାନଙ୍କ ଦେଶରେ ଅନେକ ସ୍ଥଳରେ ଖତକୁ ଭୂମିର ଏକ ସ୍ଥାନରେ ଜମା କରନ୍ତି ଏବଂ ପରେ ସୁବିଧା ସମୟରେ ଚାଷ କରନ୍ତି । ଏପରି କରିବା ଦ୍ୱାରା ଖତ ସମାନ ଭାବରେ ଭୂମିରେ ବିଛାଇ ହୋଇ ପଡ଼େ ନାହିଁ । ଏଣୁକରି ଭୂମିରେ ଖତ ସମାନ ଭାବରେ ପକାଇ ସଙ୍ଗେ ସଙ୍ଗେ ଚାଷ କରିଦେବା ଉଚିତ ।

 

ଆହୁରି ମଧ୍ୟ ଭୂମିର ଚାରିଆଡ଼େ ହିଡ଼ ଦେବା ଉଚିତ; ଯେପରିକି ଭୂମିର ସାର ଧୋଇ ହୋଇ ନ ଯାଏ । ଯେତେ ସାର ଦେଲେ ସୁଦ୍ଧା ଯଦି ସେ ସବୁ ଧୋଇ ହୋଇଯାଏ ତାହା ହେଲେ ଭୂମି ଆଦୌ ଉର୍ବର ହୁଏ ନାହିଁ ଓ ମାଟି ମଧ୍ୟ ବସିଯାଏ ।

Image

 

ତୃତୀୟ ଅଧ୍ୟାୟ

କୃଷି ବିଷୟରେ କେତେକ ସାଧାରଣ କଥା

 

୧. ଗଛ ଲଗାଇବା ନିୟମ

 

ଯେଉଁସବୁ ଗଛ ଲଗାଇବ ସେ ସବୁ ଯେପରି ଅତି ଲଗାଲଗି ନ ହୁଏ କିମ୍ବା ଅତି ଛଡ଼ାଛଡ଼ା ନ ହୁଏ । ଲଗାଲଗି ହେଲେ ଗଛସବୁ ଭୂମିରୁ ପ୍ରଚୂର ଖାଦ୍ୟ ପାଇପାରନ୍ତି ନାହିଁ କିମ୍ବା ଡାଳ ପତ୍ର ସବୁ ଚାରିଆଡ଼େ ଭଲକରି ବିସ୍ତୃତ ହୋଇ ପାରେ ନାହିଁ । ଏଣୁକରି ଗଛ ସବୁ ଭଲକରି ବଢ଼ି ପାରନ୍ତି ନାହିଁ ଏବଂ ଭୂମିରୁ ଉପଯୁକ୍ତ ପରିମାଣରେ ଫସଲ ଉତ୍ପନ୍ନ ହୁଏ ନାହିଁ । ଅତିଶୟ ଛଡ଼ାଛଡ଼ି କରି ଲଗାଇଲେ ଗଛ ସବୁ ଭଲକରି ବଢ଼ନ୍ତି ସତ, କିନ୍ତୁ ଭୂମିରେ ଗଛର ସଂଖ୍ୟା ଊଣା ଥିବାରୁ ପ୍ରଚୂର ପରିମାଣରେ ଫସଲ ଉତ୍ପନ୍ନ ହୁଏ ନାହିଁ । ଅତଏବ ଏପରି ଭାବରେ ଗଛସବୁ ଲଗାଇବ ଯେପରି ସେମାନଙ୍କର ଡାଳ ପତ୍ର ଚାରିଆଡ଼େ ଭଲକରି ବଢ଼ି ପାରିବ । ବଡ଼ ବଡ଼ ଗଛସବୁ ବେଶିବେଶି ଦୂରରେ ରହିବା ଉଚିତ ଓ ସାନ ସାନ ଗଛସବୁ ଅଳ୍ପ ଅଳ୍ପ ଦୂରରେ ରହିବା ଉଚିତ । ଯଥା:- ଆମ୍ବ ଗଛ ସବୁ ୨୫ କିମ୍ବା ୨୬ ଫୁଟ ବ୍ୟବଧାନରେ, ନଡ଼ିଆ ୧୬।୧୨ ଫୁଟ ବ୍ୟବଧାନରେ ଗୁଆ ୨ ବା ୩ ଫୁଟ ବ୍ୟବଧାନରେ, ଧାନ ୮ ବା ୯ ଇଞ୍ଚ ବ୍ୟବଧାନରେ ଓ ଶାଗ ଦୁଇ ଇଞ୍ଚ ବ୍ୟବଧାନରେ ଲଗାହେବା ଉଚିତ।

 

ଶୀତ ଓ ଖରା ଦିନରେ ଯେଉଁସବୁ ଗଛ ଲଗାଯାଏ, ସେ ସବୁ ଖରାବେଳେ ଦୁଇ ତିନି ଦିନ ଘୋଡ଼ାଇ ରଖିବା ଉଚିତ । ନଘୋଡ଼ାଇଲେ ଗଛ ଖରାରେ ଶୁଖି ମରିଯାଏ । ବର୍ଷାକାଳରେ ଛାଇ ଦିନ ଦେଖି ଗଛ ଲଗାଇବ । ଗଛର କାଣ୍ଡରେ ଚୂନ ବୋଳି ଲଗାଇଲେ ଗଛକୁ ବିଶେଷ ବାଧାହୁଏ ନାହିଁ ।

 

ବହୁବାର୍ଷିକ ଫଳଗଛ ରୋପଣ ସମୟରେ ମୂଳରେ କୌଣସି ସାର ଦେବା ଉଚିତ ନୁହେଁ । ଗଛ ରୋପଣର ଏକ ବର୍ଷପରେ କାର୍ତ୍ତିକମାସରେ ଗଛ ମୂଳରେ ସାର ବ୍ୟବହାର କରାଯାଇପାରେ ।

 

୨. ପାଣି ମଡ଼ାଇବାର ନିୟମ

 

ପୂର୍ବରେ କୁହାଯାଇ ଅଛି ଯେ ଅନ୍ୟାନ୍ୟ ପ୍ରାଣୀମାନଙ୍କପରି ଗଛମଧ୍ୟ ଜଳ ବିନା ବଞ୍ଚି ପାରେ ନାହିଁ । ଏଥିଯୋଗୁଁ ଗଛସବୁ ଯେଉଁ ସମୟରେ ଜଳ ଆବଶ୍ୟକ କରନ୍ତି, ସେହି ସମୟରେ ସେମାନଙ୍କୁ ଜଳ ଯୋଗାଇବା ଉଚିତ । ଯେଉଁ ସମୟରେ ମାଟି ଶୁଖିଯାଏ ଓ ଗଛ ପତ୍ର ଝାଉଁଳିପଡ଼େ, ସେହି ସମୟରେ ଜାଣିବ ଯେ ଗଛ ପକ୍ଷରେ ଜଳ ଆବଶ୍ୟକ । ଗଛ ମୂଳରେ ବେଶି ଜଳ ଜମି ରହିବା ଭଲ ନୁହେଁ । ଜଳର ପରିମାଣ ବେଶି ହେଲେ ଗଛର ବିଶେଷ କ୍ଷତି ହୁଏ । ଅନେକ ସ୍ଥଳରେ ଗଛ ମରିଯାଏ । ସନ୍ଧ୍ୟା ସମୟ ଗଛମୂଳରେ ପାଣି ଦେବାର ଭଲ ସମୟ । ବଡ଼ ବଡ଼ ଗଛମୂଳରେ ମଳାକରି ପାଣି ଦେବ; ଯେପରିକି ପାଣି ଚାରିଆଡ଼େ ବୋହି ନ ଯାଏ । ଧାନ, ମାଣ୍ଡିଆ ପ୍ରଭୃତି ଫସଲରେ ଖାଲି ପାଣି ମଡ଼ାଇ ଦେବ । ଦେଖିବ ଯେପରିକି ହିଡ଼ ଭାଙ୍ଗି ପାଣି ଅନ୍ୟ ଆଡ଼େ ବାହାରି ନ ଯାଏ । ଯଦି କୌଣସି ଗଛରମୂଳ ଶୁଖିଯାଇ ଫାଟି ଯାଇଥାଏ, ତାହାହେଲେ ତାହାର ମୂଳ ପାଖର ମାଟି ଟିକିଏ ଖୋଳି ଦେବ ଓ ତା’ପରେ ପାଣି ଦେବ ।

 

ଦୁଇ ବା ଏକ ବର୍ଷ ବୟସ୍କ ଗଛ ପକ୍ଷରେ ଚୈତ୍ର ବୈଶାଖ ଓ ଜ୍ୟେଷ୍ଠ ମାସରେ ଅପରାହ୍ନ କାଳରେ ପିଚକାରି ଦ୍ୱାରା ଉପରେ ଜଳ ସେଚନ କରିବା ବିଧେୟ ।

 

୩. ବଛା

 

ପ୍ରାୟ ଅଧିକାଂଶ ଭୂମିରେ ବାରମିଶାଗଛ ଉଠିଥାଏ । ଯେଉଁ ଭୂମିରେ କୃଷି ବା ବଗିଚା କରିବାକୁ ହେବ, ସେ ଭୂମିରେ ବାରମିଶାଗଛ ଯେପରି ସମୂଳେ ବିନାଶ ପ୍ରାପ୍ତହୁଏ ତାହାର ବ୍ୟବସ୍ଥା କରିବ । ବାରମିଶା ଗଛସବୁ ଭୂମିରେ ରହିଲେ ଭୂମିରୁ ସାରସବୁ ଶୋଷି ନିଅନ୍ତି ଏବଂ ସେହି ହେତୁରୁ ଫସଲ ଭଲ କରି ବଢ଼ିପାରେ ନାହିଁ । ଅତଏବ ଫସଲକୁ ଭଲକରି ବାରମ୍ବାର ବାଛିବା ଆବଶ୍ୟକ । ଏଣୁ ତେଣୁ ଗଛସବୁ ଫୁଲ ହେବା ପୂର୍ବରୁ ସେମାନଙ୍କୁ ଓପାଡ଼ି ପକାଇବ । ନୋହିଲେ ଫୁଲରୁ ଫଳ ହୋଇ ସେ ସବୁ ଭୂମିରେ ପଡ଼ିରହିବ ଏବଂ ପରବର୍ଷ ବହୁ ପରିମାଣରେ ଉକ୍ତ ଗଛସବୁ ଉଠି ଫସଲ ନଷ୍ଟ କରିବ । ପ୍ରଥମାବସ୍ଥାରେ ଫସଲ ଭଲ କରି ବାଛି ଦେଲେ ଅନ୍ୟଥର ବେଶି ପରିଶ୍ରମ ବା ଖର୍ଚ୍ଚ ପଡ଼ିବ ନାହିଁ । ଜମିକୁ ବାରମ୍ବାର ଭଲ କରି ଚାଷକରି ବଣୁଆ ଗଛ ବାଛି ଦେଲେ ସେ ସବୁ ପ୍ରଥମାବସ୍ଥାରେ ମରିଯାନ୍ତି । ଫସଲ ଯେତେ ସାବଧାନରେ କଲେ ଯୁଦ୍ଧା ଯଦି ବଛାରେ ହେଳା ହୁଏ, ତାହାହେଲେ ସବୁ ପରିଶ୍ରମ ବୃଥା; ଅତଏବ ପ୍ରତ୍ୟକ କୃଷକର ବଛା ପ୍ରତି ବିଶେଷ ସାବଧାନ ହେବା ଉଚିତ ।

 

୪. ଫସଲ ପରିବର୍ତ୍ତନ ବିଷୟ

 

ଏକ ପ୍ରକାର ଭୂମିରେ ପ୍ରତିବର୍ଷ ଏକ ଫସଲ ବାରମ୍ବାର କରିବା ଉଚିତ ନୁହେଁ । ଭିନ୍ନ ଭିନ୍ନ ବର୍ଷ ଭିନ୍ନ ଭିନ୍ନ ଫସଲ କରିବା ବିଧେୟ । ଭୂମିରେ ନାନା ପ୍ରକାର ସାର ଅଛି । ଏକ ପ୍ରକାର ଫସଲ କେତେକ ପ୍ରକାର ସାର ବିଶେଷ ପରିମାଣରେ ଓ କେତେକ ପ୍ରକାର ସାର ଅଳ୍ପ ପରିମାଣରେ ଗ୍ରହଣ କରନ୍ତି । ଯଦି ଏକ ପ୍ରକାର ଫସଲ ଭୂମିରେ ବାରମ୍ବାର କରାଯାଏ, ତାହାହେଲେ ସେହି ଫସଲର ଆବଶ୍ୟକୀୟ ବିଶେଷ ପ୍ରକାର ସାର କ୍ରମେ କ୍ରମେ ସେ ଭୂମିରୁ ସରିଯାଏ । ଅନ୍ୟାନ୍ୟ ସାର ପ୍ରଚୁର ପରିମାଣରେ ଥିଲେ ସୁଦ୍ଧା, ଫସଲ ପକ୍ଷରେ କୌଣସି ଆବଶ୍ୟକ ହୁଏ ନାହିଁ । ଯଦି ପ୍ରତିବର୍ଷ ଫସଲ ପରିବର୍ତ୍ତନ କରାଯାଏ, ତାହାହେଲେ ଏକ ପ୍ରକାର ଫସଲ ଏକପ୍ରକାର ସାର ଓ ଅନ୍ୟପ୍ରକାର ଫସ ଅନ୍ୟପ୍ରକାର ସାର ବିଶେଷ ପରିମାଣରେ ଗ୍ରହଣ କରନ୍ତି ଓ ତଦ୍ୱାରା ପ୍ରତିବର୍ଷ ଫସଲ ଭଲହୁଏ ।

 

ଆହୁରି ମଧ୍ୟ ଗଛସବୁ ମାଟିରୁ ରସ ଗ୍ରହଣ କରି ମଳ ତ୍ୟାଗପରି ଚେରଦ୍ୱାରା ଏକପ୍ରକାର ରସ ତ୍ୟାଗ କରନ୍ତି । ସେ ରସ ସେ ଜାତୀୟ ଫସଲ ପକ୍ଷରେ କ୍ଷତିକାରକ ।

 

ଫସଲରୁ ଯେଉଁ ସବୁ କୀଟାଦି ଜନ୍ମନ୍ତି, ତାହା ସବୁ ପ୍ରାୟ ସେହି ସ୍ଥାନରେ ଥାନ୍ତି ବା ସେହି ସ୍ଥାନରୁ ଉତ୍ପନ୍ନ ହୁଅନ୍ତି । ପରବର୍ଷ ପୁନର୍ବାର ସେହି ଫସଲ କଲେ, ସେହିସବୁ କୀଟର ସଂଖ୍ୟା ବହୁ ପରିମାଣରେ ବଢ଼େ ଓ ସେମାନେ ଫସଲକୁ ଖାଇ ଧ୍ୱଂସ କରିପକାନ୍ତି । ଯଦି ଫସଲ ପରିବର୍ତ୍ତନ କରାଯାଏ, ତାହାହେଲେ ପୂର୍ବବର୍ଷର କୀଟସବୁ ସେମାନଙ୍କର ଆହାରୋପଯୋଗୀ ପଦାର୍ଥ ନ ପାଇ ମରିଯାନ୍ତି କିମ୍ବା ସ୍ଥାନ ଛାଡ଼ି ଅନ୍ୟତ୍ର ଚାଲିଯାନ୍ତି ।

 

ଫସଲ ପରିବର୍ତ୍ତନ ବିଷୟରେ କେତେକ ନିୟମ ପାଳନ କରାଯାଇପାରେ । ଏବର୍ଷ ମୂଳଜାତୀୟ ଫସଲ କଲେ ଅନ୍ୟ ବର୍ଷ ଫଳ ଜାତୀୟ ଓ ତତ୍ପରବର୍ଷ ତନ୍ତୁଜାତୀୟ ଫସଲ କରାଯାଇପାରେ ବା ଏହି ପ୍ରକାର ନିୟମ ପାଳନ କରାଯାଇ ପାରେ: ଯଥା-ପ୍ରଥମ ବର୍ଷ ଆଳୁ, ଦ୍ୱିତୀୟ ବର୍ଷ ବାଇଗଣ ଓ ତୃତୀୟ ବର୍ଷ ନଳିତା ।

ଯେଉଁ ଭୂମିରେ ଧାନ ହୁଏ, ସେ ଭୂମିରେ ଏକମୂଳିଆ ଧାନ ପ୍ରତିବର୍ଷ କରିବା ଉଚିତ ନୁହେଁ । ପ୍ରଥମବର୍ଷ କଳାମୂଳିଆ ଧାନବୁଣିଲେ ଦ୍ୱିତୀୟ ବର୍ଷ ଧଳାମୂଳିଆ ଧାନ ବୁଣିବା ଉଚିତ ।

୫. କୀଟ ପତଙ୍ଗାଦି

ଗଛରେ ନାନାପ୍ରକାର କୀଟ ପତଙ୍ଗାଦି ଲାଗନ୍ତି । କେହି ଗଛର ପତ୍ର, କେହି କେହି ରସ, କେହି କେହି ଫୁଲ, ବା କେହି କେହି ଫଳ ଖାଆନ୍ତି । କେତେ କେତେ କୀଟ ଗଛର କାଣ୍ଡ କାଟି କଣା କରିଦିଅନ୍ତି । ହାରାହାରି ହିସାବ ହୋଇଅଛି ଯେ ପ୍ରାୟ ଫସଲର ଦଶମାଂଶ କୀଟ ପତଙ୍ଗଙ୍କ ଦ୍ୱାରା ନଷ୍ଟ ହୁଏ । ଏମାନଙ୍କଠାରୁ ଫସଲକୁ ରକ୍ଷା କରିବା ନିମନ୍ତେ ନାନା ପ୍ରକାର ଉପାୟ ଅଛି । ସେମାନଙ୍କ ମଧ୍ୟରୁ କେତେକ ସହଜ ଉପାୟ ନିମ୍ନରେ ଦିଆଗଲା ।

ଭୂମିକୁ ବାରମ୍ବାର ଭଲକରି ଚାଷକଲେ ଭୂମି ତଳେ ଥିବା କୀଟ ପତଙ୍ଗାଦି ଉପରେ ପଡ଼ିଯାନ୍ତି । ସେମାନଙ୍କ ମଧ୍ୟରୁ କେତେକ ସୁର୍ଯ୍ୟୋତ୍ତାପରେ ନଷ୍ଟ ହୋଇଯାନ୍ତି ଓ କେତେକ କାଉ ପ୍ରଭୃତି ଚଢ଼େଇମାନେ ଖାଇଯାନ୍ତି ।

ଭୂମିରେ ବାରମ୍ବାର ଜଳ ସେଚନ କଲେ କେତେକ କୀଟ ପତଙ୍ଗ ଉପରକୁ ବାହାରି ପଡ଼ନ୍ତି ଓ କାଉ ପ୍ରଭୃତିଙ୍କ ଦ୍ୱାରା ନଷ୍ଟ ହୋଇଯାନ୍ତି । ଏହି ହେତୁରୁ ପ୍ରଥମ ଜଳ ସେଚନ ସମୟରେ କାଉ ପ୍ରଭୃତି ଚଢ଼େଇ ଭୂମି ଉପରେ ଉଡ଼ୁଥାନ୍ତି ।

ପ୍ରତି ବର୍ଷ ଫସଲ ପରିବର୍ତ୍ତନ କଲେ କୀଟ ପତଙ୍ଗଙ୍କ ସଂଖ୍ୟା ହ୍ରାସ ହୋଇଯାଏ । ପ୍ରଥମ ବର୍ଷର ଫସଲରୁ ଜାତ କୀଟ ପତଙ୍ଗାଦି ଦ୍ୱିତୀୟ ବର୍ଷ ସେହି ଜାତୀୟ ଖାଦ୍ୟ ନ ପାଇ ମରିଯାନ୍ତି ବା ଅନ୍ୟତ୍ର ଚାଲିଯିବାକୁ ବାଧ୍ୟ ହୁଅନ୍ତି ।

ପିଡ଼ିଆ ଖତ ଦ୍ୱାରା ଅନେକ କୀଟ ପତଙ୍ଗ ମରିଯାନ୍ତି । ହିଡ଼ରେ ବେଶି ଘାସ ଥିଲେ ସେଥିରେ ଅନେକ ପ୍ରକାର କୀଟ ରହନ୍ତି ଓ ଭୂମିରେ ଫସଲ ହେଲେ ହିଡ଼ରୁ ଆସି ଖାଇଯାନ୍ତି; ଏଥିପାଇଁ ହିଡ଼ ସର୍ବଦା ପରିଷ୍କାର ରଖିବା ବିଧି ।

ଗଛ ପତ୍ରରୁ କୀଟାଦି ହାତରେ ଧରି ନଷ୍ଟ କରି ଦିଆଯାଇ ପାରେ । ଯେଉଁ ସବୁ ଗଛରେ ବେଶୀ କୀଟ ଲାଗିଥାନ୍ତି ସେ ସବୁ ଓପାଡ଼ି ପୋଡ଼ି ପକାଇବା ଉଚିତ । ନୋହିଲେ ସେ ଗଛରେ ଥିବା ପୋକ ଅନ୍ୟ ଗଛ ସବୁ କ୍ରମେ କ୍ରମେ ଖାଇଯାନ୍ତି ।

ଝିଟିପିଟି ପ୍ରଭୃତି ଜନ୍ତୁଙ୍କୁ ଭୂମିରୁ ବାହାର କରି ଦେବା ଉଚିତ ନୁହେଁ । ସେ ସବୁ ଭୂମିରେ ରହିଲେ ଫସଲ ଖାଉଥିବା ପୋକ ସବୁକୁ ଖାଇଯାନ୍ତି ।

ଧୂଆଁପତ୍ରକୁ ଉପଯୁକ୍ତ ପରିମାଣ ପାଣିରେ ସିଝାଇବ । ଥଣ୍ଡା ହୋଇଗଲେ ସାବୁନ୍‌ ପାଣି ମିଶାଇ ପୋକଖିଆ ଗଛପତ୍ରରେ ଢାଳି ଢାଳି ଦେବ । ଏପରି କଲେ ପୋକ ସବୁ ମରିଯିବେ । ଝିଣ୍ଟିକା କ୍ଷେତରେ ପଡ଼ିଲେ ଲୁଣ ଓ ପେଜ ଏକାଠି ମିଶାଇ ଢ଼ାଳି ଢାଳି ଦେବ । ନଚେତ୍‌ ଚୂନପାଣି କ୍ଷେତରେ ଛିଞ୍ଚି ଦେବ । ସାଆଁବାଳୁଆ ଜାତୀୟ ଯେଉଁ ସବୁ ଲୋମବହୁଳ ପୋକ କ୍ଷେତରେ ହୁଅନ୍ତି ସେମାନଙ୍କୁ ଦୂର କରିବାକୁ ହେଲେ ଅଣୁଖୁଆ ଡାଳ କେନ୍ଦୁ ଡାଳ ବା ବେଗୁନିଆ ଡାଳ ମାନ କ୍ଷେତରେ ପୋତି ଦେବ । ସେହି ଡାଳର ଗନ୍ଧରେ ସେହି ପୋକସବୁ ସ୍ଥାନ ଛାଡ଼ି ଚାଲିଯାନ୍ତି ।

 

୬. ଚାଷ

 

ସବୁ ଫସଲ ପକ୍ଷରେ ଚାଷ ବିଶେଷ ଆବଶ୍ୟକ । ବତରଥିବା ସମୟରେ ଭୂମିକୁ ଭଲକରି ଚାଷ କରିବ । ଚାଷ ପରେ ମଇ ଦେବ । ଏପରି କଲେ ଚାଷମାଟି ଚୂନା ହୋଇଯାଏ । ଅନେକ କୀଟ ପତଙ୍ଗ ମଇରେ ଚିପିହୋଇ ମରିଯାନ୍ତି । ଚାଷ କଲାପରେ ମାଟିରୁ ଘାସ ପତ୍ର ସବୁ ବାଛି ଦେବ । ଏପରି ଭାବରେ ଚାଷ କଲେ ଭୂମିରେ ଥିବା ବଣୁଆଗଛ ଓ କୀଟାଦି ନଷ୍ଟ ହୋଇଯାନ୍ତି ।

 

ଏହାଛଡ଼ା ଚାଷର ବିଶେଷ କାର୍ଯ୍ୟ ହେଉଛି ମାଟିକୁ ହାଲୁକା କରିବା । ବାରମ୍ବାର ଚାଷକଲେ ମାଟି ତଳ ଉପର ହୋଇ ହାଲୁକା ହୋଇଯାଏ ଏବଂ ଜଳ ଓ ବାୟୁ ସହଜରେ ମାଟି ମଧ୍ୟରେ ପ୍ରବେଶ କରି ସେଥିରେ ଥିବା ସାରକୁ ଗଛର ଖାଦ୍ୟରେ ପରିଣତ କରନ୍ତି ।

 

ମାଟିକୁ ଅତି ଗଭୀର କରି ଚାଷ କରିବା ଉଚିତ । ଦେଶି ଲଙ୍ଗଳ ଅପେକ୍ଷା ବିଲାତି ଲଙ୍ଗଳ ଏପରି ଚାଷ ପକ୍ଷରେ ଉତ୍କୃଷ୍ଟ । ବିଲାତି ଲଙ୍ଗଳରେ ମାଟି ଏକ ଫୁଟ ଗଭୀରେ ଖୋଳି ହୋଇ ଯାଏ ଏବଂ ଥରେ ଚାଷକଲେ ଭୂମି ପକ୍ଷରେ ଯଥେଷ୍ଟ । ଏକା ବିଲାତି ଲଙ୍ଗଳ ନୁହେଁ; କୃଷି ନିମନ୍ତେ ଯେତେ ପ୍ରକାର ବିଲାତି ଯନ୍ତ୍ର ଅଛି, ସେ ସବୁଦ୍ୱାରା ଅଳ୍ପ ସମୟରେ ଅଳ୍ପ ଖର୍ଚ୍ଚରେ ଭଲ କାର୍ଯ୍ୟ ହୁଏ । ବିଲାତି ଲଙ୍ଗଳ, ବିଲାତି ମଇ, ବିଲାତି ବିଦା ଓ ବିଲାତି ଧାନ ବୁଣିବା କଳ, ଭଲ ଚାଷୀମାନଙ୍କର ଖଣ୍ଡେ ଖଣ୍ଡେ ରଖିବା ଉଚିତ । ସେ ସବୁର କାର୍ଯ୍ୟ ତୁଳନାରେ ମୂଲ୍ୟ ବେଶି ନୁହେଁ-। କୌଣସି ସରକାରୀ କ୍ଷେତ୍ରରେ ବା କୌଣସି କୃଷି କର୍ମଚାରୀଙ୍କ ନିକଟରେ ଅନୁସନ୍ଧାନ କଲେ, ସେ ସବୁ ସମ୍ବନ୍ଧରେ ବିଶେଷ ବିବରଣ ଓ ସେ ସବୁ କେଉଁଠାରୁ ମିଳେ ତାହା ଜଣା ପଡ଼ିବ ।

 

୭. ଗଛର ଡାଳ ଓ ଚେର କାଟିବା ନିୟମ

 

ଯେଉଁ ସବୁ ଗଛର ଡାଳ ପତ୍ର ଗୋଟିଏ ଗୋଟିଏ ଛତାର ଆକୃତି ଧାରଣ କରିଥାଏ ସେଥିରୁ ଯେତେ ଫସଲ ଆମଦାନୀ ହୁଏ, ଅତି ଡେଙ୍ଗା ଗଛରୁ ସେତେ ହୁଏ ନାହିଁ । ଡେଙ୍ଗା ଗଛରେ ଖରାର ତାପ ବେଶି ବାଜେ ; କିନ୍ତୁ ଛତ୍ରାକାର ଗଛରେ ଡାଳ ପତ୍ର ବେଶି ଥିବାରୁ ବେଶି ଫସଲ ଉତ୍ପନ୍ନ ହୁଏ । ଆଉ ମଧ୍ୟ ସେ ସବୁ ଫସଲ ଭୂମିର ନିକଟରେ ଥିବାରୁ ଅନାୟାସରେ ତୋଳା ଯାଇପାରେ ।

 

ଗଛ ଛୋଟ ଥିବା ସମୟରେ ତାହାର ଡାଳ ଏପରି ଭାବରେ କାଟିବ, ଯେପରି ଗଛ ଡେଙ୍ଗା ନ ହୋଇ ଛତ୍ରାକାର ହେବ । ଡାଳ କଟୁରିରେ ନ କାଟି ଖୁବ୍‌ ଦାଢ଼ୁଆ ଛୁରୀରେ କାଟିବ । ଡାଳକୁ ବାରଜାଗା ଖଣ୍ଡିଆ କରିବା ଉଚିତ ନୁହେଁ । ଠିକ୍‌ ଗଣ୍ଠି ପାଖରୁ କାଟିବା ଉଚିତ ଏବଂ କଟା ମୁଣ୍ଡରେ ଗୋବର ବା ମହମ ଲଗାଇବ । ମଲାଡାଳ ସବୁ କାଟି ପକାଇବା ବିଧି । ଧାନ ଗଛସବୁ ନ କାଟି ବେଉଷଣ ପୂର୍ବରୁ ଥରେ ଗୋରୁ ଚରାଇ ଦେବା ଉଚିତ । ତାହାହେଲେ ଗଛମୂଳରୁ ବହୁତ କୁଆଁ ବାହାରି ମୁଠା ଧରେ ।

 

ବୁଢ଼ା ଗଛର ଚେର ମଧ୍ୟ କେବେ ୨ କଟାଯାଏ । ଯେଉଁ ସବୁ ବୁଢ଼ା ଗଛରେ ଫଳ ହେଉନ ଥାଏ ସେ ସବୁର ଚେର କାଟି ଦେଲେ ଭଲ ଫଳ ହୁଏ । ବୁଢ଼ା ଗଛର ଚାରି ପାଖରେ ବୃତ୍ତାକାରରେ ଗାତ ଖୋଳି ଅକର୍ମଣ୍ୟ ଚେର ସବୁ କାଟି ପକାଇବ। ଢଳି ପଡ଼ିଥିବା ଗଛ ସବୁକୁ ଅନ୍ୟ ଭୂମିରେ ରୋପିବା ସମୟରେ ସେମାନଙ୍କର ନାହାକା ଚେରରୁ ଟିକିଏ ଟିକିଏ ଛିଣ୍ଡାଇ ରୋପଣ କରିବ । ଧାନଗଛ ବେଉଷଣ କରିଦେଲେ ତାହାର ଅକର୍ମଣ୍ୟ ଚେର ସବୁ ଛିଣ୍ଡିଯାଏ ।

 

୮. ତଳି ପକାଇବା ବିଷୟ

 

କମଳା, ଆମ୍ବ, ନଡ଼ିଆ ପ୍ରଭୃତି ବହୁବାର୍ଷିକ ଗଛସବୁ କୁଣ୍ଡରେ ତଳି ପକାଇବ । କୁଣ୍ଡର ତଳେ ଗୋଟାଏ ବା ଦୁଇଗୋଟି ଛୋଟ କଣା କରିବ; ଯେପରି ପାଣି ଦେଲେ ତାହା କୁଣ୍ଡରେ ଜମି ନ ରହି ବାହାରି ଯିବ । ପ୍ରଥମେ କେତେ ବାଲି ପକାଇବ ଓ ଉପରେ କେତେ ଖତ ପକାଇବ । ଏପରି କଲେ କୁଣ୍ଡର ମାଟି ତହିଁରେ ଥିବା କଣାକୁ ବନ୍ଦ କରି ନ ପାରେ । ତା ପରେ କୁଣ୍ଡରେ ଢଳ ପକାଇବ । ନଡ଼ିଆ ଓ ଆମ୍ବ ପ୍ରଭୃତି ଅତି ବଡ଼ ଗଛର ମଞ୍ଜି; ଗୋଟିଏ କୁଣ୍ଡରେ ଗୋଟିଏକରି ପୋତିବା ଉଚିତ । କାରଣ ଏହାର ମଞ୍ଜି ଓ ଗଛର ଉଭୟେ ବଡ଼ । ଅନ୍ୟାନ୍ୟ ଛୋଟ ଛୋଟ ମଞ୍ଜି କୁଣ୍ଡରେ ଏକାଧିକ ପୋତା ଯାଇପାରେ । ତଳି ପଡ଼ିଲାପରେ କୁଣ୍ଡର ମାଟି ସର୍ବଦା ଓଦା ରଖିବ ।

 

ଏକ ବାର୍ଷିକ ଗଛର ତଳି ତଳେ ପକାଇବାକୁ ହୁଏ। ମାଟିକୁ ଚାଷ କରି ସେଥିରେ ଖତ ଦେଇ ତଳି ପକାଇବ । ତଳି ଓଦାରେ ଓ ଅନ୍ଧାରରେ ଭଲ ଉଠେ । ଏଣୁକରି ତଳି ପକାଇ ସେଥିରେ ପାଣି ଦେବ ଓ ପରେ ନଡ଼ିଆ ପତ୍ର ବା ନଡ଼ା ଘୋଡ଼ାଇ ଦେବ । ଏହିପରି ପ୍ରତିଦିନ ତଳି ପଟାଳିକୁ ଓଦା ରଖିବ । କେତେକ ଦିନପରେ ଗଛ ଉଠି ଆସିଲେ ଘୋଡ଼ାଇଥିବା ନଡ଼ା ପତ୍ର ସବୁ କାଢ଼ି ପକାଇବ । ତଳି ପଟାଳି ଗଭୀର କରି ଚାଷ କରିବା ଉଚିତ ନୁହେଁ । ଗଭୀର ଚାଷ କଲେ ତଳିର ଚେର ଭିତରକୁ ମାଡ଼ିଯିବ ଏବଂ ତଳି ଉପାଡ଼ିବା ସମୟରେ ଚେର ସମ୍ପୂର୍ଣ୍ଣ ଛିଣ୍ଡି ଯିବ ।

 

୯. ବିହନ ବା ମଞ୍ଜି ବିଷୟ

 

ଧାନ ବିହନ-ଯେଉଁ କିଆରିରେ ବେଶି ବାଳୁଙ୍ଗା, ରାହାଡ଼ି ବା ଅନ୍ୟାନ୍ୟ ବଣୁଆଗଛ ନ ଥାଏ, ସେହି କିଆରିର ଧାନ ବିହନ ରଖିବ । ଧାନ ଆଗରୁ କାଟିଆଣି ସେଥିରୁ ମିଶା ଧାନ ସବୁ ବାଛି ଦେବ । ସେହି ବଛା ଧାନକୁ ଗଦାରେ ନ ମାଡ଼ି ସଙ୍ଗେ ସଙ୍ଗେ ମଳାଇ, ଦୁଇ ତିନିଟା ଖରା ଦେଇ, ଓଳିଆ ବାନ୍ଧି ରଖିଦେବ । ବେଶି ଦିନ ଗଦାରେ ରଖିଲେ ଅନେକ ଧାନ ଖତରା ହୋଇଯାଏ-। ବିହନକୁ ଅମାରରେ ରଖିବା ଉଚିତ ନୁହେଁ । ସେଥିରେ ମଧ୍ୟ ଅନେକ ଧାନ ଖତରା ହୋଇଯାଏ । ଖଣିରେ ପଡ଼ିଥିବା ଦାନ ଆଦୌ ବିହନ ହୋଇ ନ ପାରେ । ବର୍ଷକର ଅଧିକ ଯେ କୌଣସି ପୁରୁଣା ମଞ୍ଜି ହେଉ, ସେଥିରୁ ଗଛ ହୁଏ ନାହିଁ । ଅତଏବ ପୁରୁଣା ଧାନ ବିହନ ସ୍ୱରୂପ ବ୍ୟବହାର କରିବନାହିଁ । ଧାନ ଓଳିଆରେ ରଖିଲେ ସୁଦ୍ଧା ସେଥିରେ ମଧ୍ୟ ପୋକ ହେବା ସମ୍ଭାବନା-। ଅତଏବ ଓଳିଆ ବାନ୍ଧିବା ସମୟରେ ସେଥିରେ ବେଗୁନିଆ ପତ୍ର ରଖିଲେ ତାହାର ଗନ୍ଧରେ ପୋକ ଓଳିଆରେ ପଶି ପାରନ୍ତି ନାହିଁ । ଆଉ ମଧ୍ୟ ଓଳିଆ ଚାରି ପାଖରେ ଚୂନ ପାଣି ବୋଳି ଦେଲେ ତାହାର ଗନ୍ଧରେ ପୋକ ଓଳିଆରେ ପଶି ପାରନ୍ତି ନାହିଁ । ଯେଉଁ ଭାଡ଼ିରେ ଓଳିଆ ରଖିବ ତାହାର ଖୁରାରେ ଆଲକାତରା ବୋଳି ଦେବ । ଏପରି କଲେ ଓଳିଆରେ ଉଇ ଲାଗିବେ ନାହିଁ ।

 

ବ୍ରାହି, ମୁଗ, କୋଳଥ ଓ ହରଡ଼ ପ୍ରଭୃତି ବିହନ ବେଗୁନିଆ ପତ୍ର ସଙ୍ଗରେ ଓଳିଆ ବାନ୍ଧିଲେ ତାହା କୀଟାଦି ଦ୍ୱାରା ନଷ୍ଟ ହୁଏ ନାହିଁ । ଆଉ ମଧ୍ୟ ଏହି ସବୁ ରବି ଫସଲର ବିହନ କୁମ୍ଭାର ଭାଟିର ପାଉଁଶରେ ଗୋଳାଇ ରଖାଯାଏ । ଏହାଦ୍ୱାରା ବିହନ ପୋକଦ୍ୱାରା ନଷ୍ଟ ହୁଏ ନାହିଁ ଏବଂ ଏପରି ରଖା ହୋଇଥିବା ବିହନର ଗଛ ସତେଜ ହୁଏ ।

 

ଲାଉ, କଖାରୁ, ବାଇଗଣ ପ୍ରଭୃତି ପରିବାର ମଞ୍ଜି ରଖିବାକୁ ହେଲେ, ପାଚଲା ଫଳର ମଞ୍ଜି ପାଉଁଶରେ ଗୋଳାଇ ଖରାରେ ଶୁଖାଇ ରଖିବାକୁ ହେବ । ଏପରି କଲେ କୀଟାଦି ମଞ୍ଜିକୁ ନଷ୍ଟକରି ପାରନ୍ତି ନାହିଁ ।

 

ମୂଳା ମଞ୍ଜି ରଖିବାକୁ ହେଲେ ବଢ଼ିଲା ମୂଳାକୁ ଓପାଡ଼ି ତାହା ମୂଳରୁ ଅଧିକରୁ କିଛି ବେଶି କାଟି ପକାଇବ । ପତ୍ରଥିବା ଖଣ୍ଡକୁ ମାଟିରେ ପୋତି ପାଣି ଦେବ । କେତେକ ଦିନ ପରେ ମୂଳାକୁ ଷଣ୍ଢା ବାହାରି ସେଥିରେ ସୋରିଷ ପରି ମଞ୍ଜି ହୁଏ । ମୂଳାକୁ ଏପରି ଖାସି ନ କଲେ ସେଥିରେ ଯେଉଁ ମଞ୍ଜି ହୁଏ ସେ ମଞ୍ଜି ରୁ ମୂଳା ହୁଏ ନାହିଁ, କେବଳ ସାଇଁ ହୋଇଯାଏ ।

 

କଲରା ମଞ୍ଜି ଗୋବର ଗୋଳାଇ ରଖିବାକୁ ହୁଏ ବା ଗୋରୁ ଗୁହାଳରେ କେତେକ ଦିନପାଇଁ ଖଣି ପକାଇ ରଖାହୁଏ ।

 

ଆମ୍ବ ନଡ଼ିଆ ପ୍ରଭୃତି ବଡ଼ ୨ ଗଛର ମଞ୍ଜି ରଖିବାକୁ ହେଲେ ଅତି ପୁରୁଣା ଗଛର ପାଚଲା ଫଳ ନେବ । ଅଳ୍ପ ବୟସ୍କ ଗଛରୁ ମଞ୍ଜି ରଖିଲେ ସେଥିରୁ ଜାତ ଗଛ ସତେଜ ହୁଏ ନାହିଁ କିମ୍ବା ବହୁବର୍ଷ ବଞ୍ଚେ ନାହିଁ । ପୁରୁଣା ମଞ୍ଜିରୁ ଗଛ ହୁଏ ନାହିଁ । ଅତଏବ ନୂଆମଞ୍ଜି କୁଣ୍ଡରେ ତଳି ପକାଇବ । ପୁରୁଣା ପଣସ ଗଚର ସରୁ ଡାଳରେ ଫଳିଥିବା ପଣସରୁ ମଞ୍ଜି ରଖିବ । ଅଇଁଠା ମଞ୍ଜିରୁ ଗଛ କରାଯାଏ ନାହିଁ । ବିଲାତିଆଳୁ ଓ ଶଙ୍ଖସାରୁ ପ୍ରଭୃତି ଖଣ୍ଡ ୨ କରି କାଟିବ ଓ ପ୍ରତି ଖଣ୍ଡରେ ଗୋଟିଏ ଲେଖାଏଁ ଆଖି ରଖିବ, ପରେ ସେହି ସବୁ ଖଣ୍ଡକୁ ଆଖି ଉପରକୁ ରଖି କ୍ଷେତ୍ରରେ ପୋତିବ ଓ ପାଣି ଦେବ । କେତେକ ଦିନପରେ ପ୍ରତି ଆଖିରୁ ଗୋଟିଏ ଗୋଟିଏ କରି ଗଛ ବାହାରିବ । ଦେଶିଆଳୁର ମୂଳ କାଟି ଖାଇବ ଅଗ୍ରଭାଗ ପିଣ୍ଡକୁ ମଞ୍ଜି ରଖିବ । କେହି ୨ ଆଳୁ ମାତ୍ରାକୁ ମଞ୍ଜି ରଖନ୍ତି ।

 

କଦଳୀର ମଞ୍ଜି ନାହିଁ । ତାହାର ପୁଆ ଭୂମିରେ ଲାଗେ । ଫଳନ୍ତି ଗଛର ପୁଆ ଲଗାଇବ-। ଅଫଳନ୍ତି ଗଛର ପୁଆ ଲଗାହୁଏ ନାହିଁ ।

 

ଆଖୁ ପବ କଟା ହୋଇ ଲଗାହୁଏ ।

 

ଯେଉଁ ପାକଳ ବାଉଁଶ ମୂଳରେ ଆଖି ଥାଏ ତାହାର ଅଗ କାଟିରଖି ମୂଳକୁ ଲଗାଇବ । ବାଉଁଶର ଧାନରୁ ଗଛ ହୁଏ । କିନ୍ତୁ ତାହା ଦୁଷ୍ପ୍ରାପ୍ୟ

 

୧୦. କଲମୀ ଗଛ ବିଷୟ

 

ସାଧାରଣତଃ ମଞ୍ଜିରୁ ଗଛ ଉତ୍ପନ୍ନ କରାଯାଏ । ଏହା ଛଡ଼ା କେତେକ ବଡ଼ ବଡ଼ ଗଛର ଡାଳକୁ କଲମିକରି ଗଛରେ ପରିଣତ କରାଯାଇପାରେ । କଲମୀଗଛ, ମଞ୍ଜିରୁ ଜାତ ଗଛ ଅପେକ୍ଷା ଉତ୍କୃଷ୍ଟ । ଭଲ ଫଳ ଫଳୁଥିବାଗଛର ମଞ୍ଜିରୁ ଯେଉଁ ଗଛ ଜାତ ହୁଏ, ସେଥିରେ ସେପରି ଭଲ ଫଳ ହୋଇ ନ ପାରେ; କିନ୍ତୁ ସେହି ଗଛର ଡାଳକୁ କଲମୀକଲେ ସେହି କଲମୀଗଛରେ ସେହିପରି ଫଳ କିମ୍ବା ତାହା ଅପେକ୍ଷା ଉତ୍କୃଷ୍ଟ ଫଳ ହୋଇପାରେ । ଆଉ ମଧ୍ୟ ମଞ୍ଜିରୁ ଜାତ ଗଛରେ ଫଳ ଫଳିବାକୁ ଅନେକ ବର୍ଷଲାଗେ; କିନ୍ତୁ କଲମୀ ଗଛରେ ଦୁଇ ଏକ ବର୍ଷ ମଧ୍ୟରେ ଭଲଫଳ ଉତ୍ପନ୍ନ ହୁଏ । କଲମୀଗଛ ଛୋଟ ହୋଇଥିବାରୁ ଫଳ ସହଜରେ ତୋଳା ହୋଇପାରେ ଓ ମାଙ୍କଡ଼ ପ୍ରଭୃତି ଅନିଷ୍ଟକାରୀ ଜନ୍ତୁମାନଙ୍କଠାରୁ ଫସଲ ରକ୍ଷା କରାଯାଇପାରେ । ଗଛକୁ କଲମୀକରିବାର ପାଞ୍ଚପ୍ରକାର ରୀତି ଅଛି । ସେ ସବୁ ପରେ ଗୋଟି ଗୋଟି ହୋଇ ବିବୃତି ହେଲା ।

 

ଗୋଟି କଲମ

 

ଯେଉଁଡାଳକୁ କଲମୀ କରିବାକୁ ହେବ ତାହାର ଦୁଇଗଣ୍ଠିର ମଧ୍ୟସ୍ଥିତ ପବର ଚାରି ପାଖର ଛାଲ କିଞ୍ଚିତ୍‌ କାଠସହିତ ଚାଞ୍ଛିଦେବ । ତହିଁ ଉତ୍ତାରୁ ଗୋବର, ସଢ଼ାପତ୍ର ପ୍ରଭୃତି ସାର କିଛି ମାଟିରେ ମିଶାଇ ସେହି ସ୍ଥାନରେ ଦେଇ କତା ବା ଛିଣ୍ଡା ମଶିଣାଦ୍ୱାରା ଭଲକରି ଘୋଡ଼ାଇ ବାନ୍ଧିଦେବ ଏବଂ ତାହା ଉପରେ ଗୋଟିଏ ଛିଦ୍ରଯୁକ୍ତ ଜଳକଳସି ଏପରି ଭାବରେ ଝୁଲାଇଦେବ ଯେପରି ତହିଁରୁ ଜଳ ସର୍ବଦା ବିନ୍ଦୁ ବିନ୍ଦୁ ହୋଇ ତାହା ଉପରେ ପଡ଼ିବ । ଏହିପରି ଦୁଇ ତିନିମାସ ବାନ୍ଧିରଖିଲେ ସେହି ବନ୍ଧା ସ୍ଥାନରୁ ଚେର ବାହାରିବ । ତାହାପରେ ସେହି କଲମୀଡାଳକୁ, ଚେର ବାହାର ହୋଇଥିବା ସ୍ଥାନର ନିମ୍ନରୁ କାଟି ଭୂମିରେ ରୋପଣ କରିବାକୁ ହେବ । କଲମୀଗଛ ରୋପଣକରି କେତେକ ଦିନ ତାହାକୁ ଛାଇ କରିବ; ଯେପରି ଖରାତାପ ବେଶି ନ ଲାଗେ । କଲମୀଗଛର ମୂଳରେ ପ୍ରତିଦିନ ପାଣି ଦେବାକୁ ହୁଏ ।

 

ମାଟି କଲମ

 

ସୁବିଧାରେଥିବା ଗଛର କୌଣସି ଡାଳକୁ ନୁଆଇଁଆଣି ମାଟି ଓ ଖତ ଭର୍ତ୍ତିହୋଇଥିବା ପାତ୍ରରେ ପୋତିବାକୁ ହୁଏ । ପ୍ରଥମେ ଯେଉଁ ଡାଳ କଲମ କରିବାକୁ ହେବ ସେହିଡାଳର ଦୁଇଗଣ୍ଠିର ମଧ୍ୟରେ ଥିବା ପବକୁ ଚିରିବାକୁ ହେବ; ନତୁବା ପବର ଉପରୁ ଅଧେ ଛାଲ ଓ କାଠ ଛୁରୀରେ ଚାଞ୍ଛିଦେବ । ତହିଁଉତ୍ତାରୁ ଉକ୍ତ ଡାଳର ସେହି ଦରକଟା ପବକୁ କୁଣ୍ଡରେ ଏପରିଭାବରେ ପୋତିବ ଯେପରି ଡାଳଟି ମାଟିରୁ ବାହାରି ନ ପଡ଼େ । ଡାଳ ପୋତିବା ପରେ ପ୍ରତିଦିନ କୁଣ୍ଡରେ ପାଣି ଦେଉଥିବ । ଏହିପରି ତିନି ଚାରି ମାସ କଲେ ସହିଡାଳରୁ ଚେର ବାହାରେ । ଚେର ଭଲକରି ବାହାରିଲେ କଲମୀଡାଳକୁ କାଟିନେଇ ଅନ୍ୟ ସ୍ଥାନରେ ରୋପଣ କରିବାକୁ ହୁଏ । ଚୈତ୍ର ବୈଶାଖ ମାସରେ କଲମ ବସେ ।

 

ଶାଖା କଲମ

 

ଗଛର ଯେଉଁ ଡାଳ ଓହଳି ପଡ଼ିଥାଏ, ତାହାକୁ ଗଣ୍ଠିପାଖରୁ କାଟି ମାଟିରେ ପୋତିଲେ କେତେକ ଦିନ ପରେ ତାହା ଚେରଦେଇ ଗଛହୁଏ । ସବୁ ଗଛର ଶାଖାକଲମ ବଞ୍ଚେ ନାହିଁ । ସଜନା, ବର ଓ ଗୋଲାପଗଛର ଡାଳ ସହଜରେ ବଞ୍ଚେ ।

 

ଯୋଡ଼ି କଲମ

 

ଯେଉଁ ଗଛର ଡାଳ କଲମ କରିବାକୁ ହେବ ସେହି ଗଛର ଗୋଟିଏ ଛୋଟ ଡାଳର ଏକ ପବର ଫାଳେ ଛୁରୀଦ୍ୱାରା ଚିକ୍କଣକରି ଚାଞ୍ଛିଦେବ । ଆଉ ଗୋଟିଏ ଛୋଟ ଗଛର କାଣ୍ଡକୁ ଛୁରୀଦ୍ୱାରା ଚାଞ୍ଛିଦେବ । ଏହିଛୋଟ ଗଛକୁ ଚାରା କହନ୍ତି । ତତ୍‌ପରେ କଲମୀହେବା ଡାଳର ଚଞ୍ଛା ପବ ଓ ଚାଚାର ଚଞ୍ଛାକାଣ୍ଡକୁ ଏପରିଭାବରେ ଯୋଡ଼ି ବାନ୍ଧିଦେବ ଯେପରି ଫାଙ୍କ ନ ରହେ । ପ୍ରାୟ ପାଞ୍ଚ ବା ଛଅ ମାସପରେ ଭଲକରି ଯୋଡ଼ ଲାଗିଗଲେ ଚାରାର ଅଗ୍ରଭାଗ ଓ କଲମୀଡାଳର ନିମ୍ନଭାଗ କାଟିଦେବ । କଲମୀଡାଳକୁ ଏକଦିନରେ ନକାଟି ପ୍ରତିଦିନ କିଛି କିଛି କରି କାଟି ୧୦ ବା ୧୨ ଦିନରେ ଛିଣ୍ଡାଇଦେବ । ଚାରା ଓ କଲମୀ ପ୍ରାୟ ଏକ ଜାତୀୟ ହୁଏ; କିନ୍ତୁ ଭିନ୍ନ ଜାତୀୟ ହେଲେ ମଧ୍ୟ କଲମୀ ହୋଇପାରେ ।

 

ଚକ୍ଷୁ କଲମ

 

ଗଛର ଗଣ୍ଠିପାଖରୁ ସାଧାରଣତଃ ଡାଳ ବାହାରେ ଯେଉଁସ୍ଥାନରୁ ଡାଳବାହାରେ ତାହାକୁ ଚକ୍ଷୁ କହନ୍ତି। ଗଛର ଚକ୍ଷୁ କିଛି କାଠସହିତ ଉଠାଇଆଣି ଅନ୍ୟ ଏକଡାଳରେ ଚକ୍ଷୁଥିବା ସ୍ଥାନରେ ଲଗାଇବାକୁ ହୁଏ । ଯେଉଁ ସ୍ଥାନରେ ଚକ୍ଷୁ ବସାଇବାକୁ ହେବ ସେହି ସ୍ଥାନକୁ ଛୁରୀଦ୍ୱାରା କିଛି ଚିରି ଦୁଇପାଖର ଛାଲ କାଠଦେହରୁ ଅଲଗା କରିଦେବାକୁ ହେବ । ଏହା ଏପରି ସାବଧାନରେ କରିବାକୁ ହେବ ଯେପରି ଛାଲ ଛିଣ୍ଡି ଅଲଗା ହୋଇଯିବ ନାହିଁ ଏବଂ ଛାଲ ଓ କାଠ ମଧ୍ୟରେ ଫାଙ୍କଥିବ । ତଦନନ୍ତର ଏହି ଫାଙ୍କ ସ୍ଥଳରେ ଉପରୋକ୍ତ ଚକ୍ଷୁକୁ ଆଣି ବସାଇ ଭଲକରି ବାନ୍ଧିଦେବ-। ଉକ୍ତ ଯୋଡ଼ ସ୍ଥାନକୁ ସୂର୍ଯ୍ୟୋତ୍ତାପରୁ ରକ୍ଷାକରିବା ନିମନ୍ତେ ଘୋଡ଼ାଇ ରଖିବ ଓ ସେଥିରେ ପ୍ରତିଦିନ ଜଳ ପ୍ରଦାନ କରୁଥିବ । ନତୁବା ଉପରେ ସଛିଦ୍ର ଜଳ କଳସି ସାହାଯ୍ୟରେ ଜଳ ଦେବାର ବନ୍ଦୋବସ୍ତ କରିବ । କେତେକ ଦିନପରେ ଯୋଡ଼ ଲାଗିଯାଇ ସେହିସ୍ଥାନରୁ ଚେର ବାହାରେ ।

Image

 

ଚତୁର୍ଥ ଅଧ୍ୟାୟ

ଫସଲ

ଧାନ୍ୟାଦି ଖାଦ୍ୟ ଫସଲ

 

ଧାନ-ଧାନ ସାଧାରଣତଃ ତିନିପ୍ରକାର; ଯଥା-ବିଆଳି, ଶାରଦ ଓ ଦାଳୁଅ । କିନ୍ତୁ ଏହି ପ୍ରତ୍ୟକ ପ୍ରକାର ଧାନ ଅନେକ ଜାତିର । କିଏ ଲାଲ, କିଏ ଧଳା, କିଏ କଳା, କିଏ ସରୁ, କିଏ ମୋଟ, କାହାର ପକ୍ଷୀ ଅଛି ଇତ୍ୟାଦି ।

 

ବିଆଳି ଧାନ-ବିଆଳି ମୋଟରେ ଦୁଇ ପ୍ରକାର । ଯଥା-ସାନ ବିଆଳି ଓ ବଡ଼ ବିଆଳି । ସବୁ ବିଆଳି ଜ୍ୟେଷ୍ଠ ଶେଷରେ ବା ଆଷାଢ଼ ଆରମ୍ଭରେ ବୁଣାଯାଏ । କିନ୍ତୁ ସାନ ବିଆଳି ଭାଦ୍ରବ ଶେଷରେ କଟାହୁଏ ଏବଂ ବଡ଼ ବିଆଳି ଆଶ୍ୱିନ ଶେଷରେ କଟାଯାଏ । ଭୂମିକୁ ପାଞ୍ଚ ବା ସାତ ଥର ଚଷି ଖତ ପକାଇ ଧାନ ବୁଣିବାକୁ ହେବ । ଧାନ ବୁଣି ସାରି ବିଲରେ ମଇ ଦେଇ ମାଟିକୁ ଚୌରସ କରିବାକୁ ହେବ । ଦିନେ ଦୁଇ ଦିନ ଗଲେ ଆଉ ଥରେ ହଳ ବୁଲାଇ ମଇ ଦେବାକୁ ହେବ । ଏହାକୁ ‘‘ବତୁରି କାଳ’’ କହନ୍ତି । ଗଛ ଚାରି ବା ପାଞ୍ଚଆଙ୍ଗୁଳି ଉଚ୍ଚ ହେଲେ ତାହା ଉପରେ ପ୍ରସ୍ତେ ବା ଦୁଇପ୍ରସ୍ତ ବିଦାଦେଇ ମଇଦେବ । ଏହି ମଇ ଦେବାକୁ ‘‘ଗରମଇ’’ କହନ୍ତି । ଏହାଦ୍ୱାରା ଗଛ ପତଳା ହୋଇଯାଏ । ଅନେକ ଛୋଟ ଛୋଟ ଘାସ ଉପୁଡ଼ିଯାଏ ଓ ଅସାରଚେର ଛିଣ୍ଡି ଯାଇ ନୂଆ ଚେରଜାତହୁଏ । ଗଛ କ୍ରମେ କ୍ରମେ ବଡ଼ ହେଲେ କିଆରୀରୁ ବାରମିଶା ଗଛ ସବୁ ବାଛି ପକାଇବ । ବିଆଳି ଧାନ ଉଚ୍ଚ ଜମିରେ ଭଲହୁଏ । ୧ ଏକର ଜମିରେ ୧୦୮ ତୋଳା ସେରରେ ୪ ୦ସେର ବିହନ ବୁଣାହୁଏ।

 

ଶାରଦ ଧାନ-ଶାରଦ ଧାନ ଦୁଇ ପ୍ରକାର; ଯଥା-ଲଘୁ ଓ ଗରୁ । ଯେଉଁ ଜମିରେ ବେଶି ପାଣି ନ ଜମେ ସେହି ଜମିରେ ଲଘୁ ଧାନ ହୁଏ । ଅତି ଖାଲ ଜମିରେ ଗରୁ ଧାନ ହୁଏ । ଏକ ଏକର ଶାରଦ ଜମିରେ ୧୦୮ ତୋଳା ସେରରେ ସେ ୪୦ ର ବିହନ ବୁଣାଯାଏ । ପ୍ରଥମେ ବିଲକୁ ଖତ ମାଟି କରି (ଭଲ କରି ତିନି ଚାରି ଥର ଚାଷକରି ଓ ଖତଦେଇ) ବିହନ ବୁଣିବାକୁ ହୁଏ-। ଯେବେ ଶୁଖିଲା ବିଲରେ ବିହନ ବୁଣାଯାଏ ଓ ବର୍ଷା ହେଲେ ଗଛ ଉଠେ, ତାହାହେଲେ ଏପରି ବୁଣାକୁ ଖରୁଡ଼ିବୁଣା କହନ୍ତି । ଯେବେ ଓଦା ମାଟିରେ ବିହନ ବୁଣାଯାଏ ଓ ସେହି ଓଦାରେ ସାଙ୍ଗେ ସାଙ୍ଗେ ଗଛ ଉଠିଯାଏ, ତାହାହେଲେ ଏପରି ବୁଣାକୁ ବତୁରିବୁଣା କହନ୍ତି । ଧାନଗଛ ଉଠି ଛଅ କିମ୍ବା ଆଠ ଆଙ୍ଗୁଳି ଉଚ୍ଚ ହେଲେ କିଆରୀକୁ ଥରେ ବଛାଇ ଦେବ । ଏପରି ବଛାକୁ ‘‘ଖଲି ବଛା’’ କହନ୍ତି ।

 

ଖଲି ବଛାରେ ସବୁ ପ୍ରକାର ଘାସ ବଛାଯାଏ ନାହିଁ । ଯେଉଁସବୁ ଘାସ ବେଉଷଣରେ ସଢ଼ି ନ ଯାଏ ସେହି ସବୁ ଖଲି ବଛାରେ ବଛାଯାଏ । ଧାନ ଚାଖଣ୍ଡେ ଉଚ୍ଚ ହେଲେ କିଆରୀରେ ପାଣି ଭର୍ତ୍ତିକରି ଦେଇ ଦୁଇଥର ହଳ କରି ଦିଆଯାଏ । ଏହାକୁ ବେଉଷଣ କହନ୍ତି । ବେଉଷଣରେ ଧାନର ଅସାର ଚେର ସବୁ ଛିଣ୍ଡିଯାଇ ନୂଆ ଚେର ବାହାରେ, ଅନେକ ବାରମିଶା ଘାସ ସଢ଼ିଯାଇ ଖତରେ ପରିଣତ ହୁଏ ଓ କିଆରୀରେ ଗଛ ପାତଳା ହୋଇ ସତେଜ ଭାବରେ ବଢ଼େ । ବେଉଷଣ ପୂର୍ବରୁ କିଆରୀକୁ ଥରେ ଗୋରୁ ଚରାଇ ଦେଲେ ଧାନଗଛ ଡେଙ୍ଗା ନ ହୋଇ ମୁଠା ଧରେ ଓ ମୂଳରୁ ବହୁତ କୁଆଁ ବାହାରେ । ଧାନଗଛ କଳା ହୋଇ ଆସିଲେ ଥରେ ମଇ ଦିଆଯାଏ । ଏହାକୁ କଳାମଇ କହନ୍ତି । ତହିଁ ଉତ୍ତାରୁ ବଛା । ଏହିବଛାରେ ବିଲରୁ ସମୁଦାୟ ବାରମିଶା ଗଛ ଉପୁଡ଼ାଯାଏ ଏବଂ ଗହଳି ସ୍ଥାନରୁ ଧାନ ଗଛ ନେଇ ଗଛ ନ ଥିବା ସ୍ଥାନରେ ରୁଆ ହୁଏ । ଏହାକୁ ଖେଳୁଆ କହନ୍ତି । ତତ୍‌ପରେ ବିଲରେ ପାଣି ଯେପରି ନ ଶୁଖେ ସେହିପରି ଦେଖିବ । ଧାନ ବାହାରିବା ସମୟରେ ପାଣିର ବିଶେଷ ଆବଶ୍ୟକ । ଏପରି ଭାବରେ ଯେଉଁ ଫସଲ ହୁଏ ତାହାକୁ ବୁଆ କହନ୍ତି । ଆଉ ମଧ୍ୟ ବିଲକୁ କାଦୁଅ କରି ଧାନ ତଳି ତହଁରେ ରୁଆଯାଏ । ଏହାକୁ ରୁଆ ଫସଲ କହନ୍ତି । ରୁଆଧାନ ବେଉଷଣ ହୁଏ ନାହିଁ ଓ ବଛାରେ ବେଶି କଷ୍ଟ ହୁଏ ନାହିଁ । ରୁଆଧାନ ବେଶି ଫଳପ୍ରଦ । ଧାନ ବିଶୃଙ୍ଖଳ ଭାବରେ ରୁଆଇଲେ ଯେତେ ଫଳେ, ଚାଖଣ୍ଡେ ଛଡ଼ାରେ ଧାଡ଼ି ଧାଡ଼ି କରି ରୁଆଇଲେ ତାହା ଅପେକ୍ଷା ବେଶି ଫଳେ ।

 

ଦାଳୁଅ ଧାନ-ଦାଳୁଅ ଧାନ ପୌଷ ବା ମାଘ ମାସରେ ବୁଣା ଯାଏ ଏବଂ ବୈଶାଖ ବା ଜ୍ୟେଷ୍ଠ ମାସରେ ଧାନ କଟାଯାଏ । ପାଣି ଥିବା ଭୂମିରେ ଦାଳୁଅ ଫସଲ ହୁଏ । ବିଲରେ କାଦୁଅ କରି ଦାଳୁଅ ଛଟାଯାଏ । ଏହାକୁ ‘‘ଅଛରା’’ କହନ୍ତି । କେହି କେହି କାଦୁଅ କରି ଦାଳୁଅ ତଳି ରୁଆନ୍ତି । ଷାଠିକା ଓ କଳାକେରୀ ପ୍ରଭୃତି ବିଆଳି ଧାନର ବିହନ ଦାଳୁଅ ବିହନରୂପେ ବ୍ୟବହୃତ ହୁଏ ।

 

ଗହମ- ଆଶ୍ୱିନ ବା କାର୍ତ୍ତିକମାସରେ ଗହମ ବୁଣାଯାଏ । ଦୋରସାମାଟି ଗହମପକ୍ଷରେ ଉତ୍କୃଷ୍ଟ । ଜମିକୁ ଚାଖଣ୍ଡେ ବା ତହିଁରୁ ବେଶି ଗଭୀର ଚାଷକରି ମାଟିକୁ ଚୂନାକରି ରଖିବ । ଗହମକୁ ଗୋରୁମୂତ ବା କାଞ୍ଜିପାଣିରେ ଦୁଇ ଏକଘଣ୍ଟା ତିନ୍ତାଇ ତଦନନ୍ତର ଶୁଖାଇ ବୁଣିବ । ଗଛ ଚାଖଣ୍ଡେ ଉଚ୍ଚ ହେଲେ କିଆରୀରୁ ଏଣୁ ତେଣୁ ଗଛ ବାଛିଦେବ । କିଆରୀ ଶୁଖିଗଲେ ପାଣି ଦେଉଥିବ । ଏକ ଏକରରେ ୮ବା ୯ ସେର ବିହନ ଲାଗେ ।

 

ମାଣ୍ଡିଆ-ଢିପ ଜମିରେ ବା ଦୋରସା ଜମିରେ ମାଣ୍ଡିଆ ହୁଏ । ମାଣ୍ଡିଆର କୌଣସି ସମୟ ନାହିଁ । ଯେଉଁ ସମୟରେ ମାଣ୍ଡିଆ ବୁଣିବ ସେ ସମୟରେ ହେବ; ସାଧାରଣତଃ ବିଆଳି ସାଙ୍ଗରେ ଜ୍ୟେଷ୍ଠ ବା ଆଷାଢ଼ ମାସରେ ବୁଣାହୁଏ । ଅନେକ ସ୍ଥଳରେ ମାଣ୍ଡିଆତଳି ବିଲରେ ରୁଆହୁଏ ।

 

ମୁଗ-ମୁଗ ତିନିପ୍ରକାର; ଯଥା-ଝାଇଁମୁଗ, କଳା ବା ଡିହମୁଗ ଏବଂ ସୁନା ବା ମେଥିମୁଗ-। ଆମ୍ଭମାନଙ୍କ ଦେଶରେ ଝାଇଁମୁଗ ଓ କଳାମୁଗର ପ୍ରଚଳନ ବେଶି । ଝାଇଁମୁଗ ପୌଷ ବା ମାଘ ମାସରେ ବୁଣାହୁଏ ଏବଂ କଳାମୁଗ ଆଶ୍ୱିନ ବା କାର୍ତ୍ତିକ ମାସରେ ଢିପ ଜମିରେ ବୁଣାହୁଏ । ଏକରକରେ ୧୦୮ ତୋଳା ସେରରେ ୧୦ ସେର ମଞ୍ଜିର ପ୍ରୟୋଜନ । ଧାନ କଟା ଶେଷରେ ବିଲ ବତୁରିଥାଏ । ସେହି ବତୁରି ବିଲକୁ ଚାଷକରି ମୁଗ ବୁଣିବ । ଯଦି ବତୁରି ନ ଥାଏ ପାଣି ମଡ଼ାଇ ଚାଷକରିବ । ମୁଗ ଫସଲ ବଛା ହୁଏ ନାହିଁ କିମ୍ବା ଜମିରେ ସାରଦେବା ପ୍ରୟୋଜନ ନାହିଁ । ଏ ଫସଲ ପକ୍ଷରେ ଖରାବେଶି ଦରକାର । ଏଣୁ ଏହାକୁ ରବିଫସଲ କହନ୍ତି । କଳାମୁଗ ଢିହଜମିରେ ଆଶ୍ୱିନ ଓ କାର୍ତ୍ତିକ ମାସରେ ବୁଣାହୁଏ । ଏହାର ଚାଷ ଝାଇଁମୁଗ ଚାଷପରି ।

 

ବ୍ରୀହୀ-ବ୍ରୀହୀ ଦୁଇପ୍ରକାର ଯଥା–ଲହବ୍ରୀହୀ ଓ ଚୈତି ବା ମୁଣ୍ଡିବ୍ରୀହୀ ବ୍ରୀହୀର ଚାଷ ଠିକ୍‌ ମୁଗ ଚାଷପରି । ଲହବ୍ରୀହୀ ଆଷାଢ଼ ବା ଶ୍ରାବଣମାସରେ ଢିପ ଜମିରେ ହୁଏ । ଚୈତି ବା ମୁଣ୍ଡିବ୍ରୀହୀ ଭାଦ୍ରବ ବା ଆଶ୍ୱିନମାସରେ ବିଆଳି ଓ ମାଣ୍ଡିଆ ଆମଦାନି ହୋଇଗଲେ ଜମିକୁ ଚାଷକରି ବୁଣିବାକୁ ହୁଏ ।

 

କୋଳଥ-କୋଳଥ ଦୁଇପ୍ରକାର ମୁଗି ଓ ଚୈତି । କୋଳଥ ମଧ୍ୟ ବିଆଳି ଓ ମାଣ୍ଡିଆ ଆମଦାନିପରେ ସେହି ଭୂମିରେ ହୁଏ । ଜମିକୁ ଗୁଣ୍ଡା କରି ଚାଷକରି କୋଳଥ ବୁଣିବ । କୋଳଥଚାଷ ମୁଗ ଓ ବ୍ରୀହୀ ଚାଷପରି । ଚୈତା କୋଳଥ ପୌଷମାସରେ ବୁଣାହୁଏ ।

 

ହରଡ଼-ହରଡ଼ ଦୁଇପ୍ରକାର, ଯଥା–ନାଲି ହରଡ଼ ଓ ଚୈତା ହରଡ଼ । ନାଲିହରଡ଼ ଆଷାଢ଼ମାସରେ ଢିପଜମିରେ ବୁଣାହୁଏ । ଏକରକରେ ୧୦୮ ତୋଳା ସେରରେ ୮ ସେର ମଞ୍ଜି ଲାଗେ । ଜମିକୁ ଭଲ କରି ଚଷି ହରଡ଼ ବୁଣିବ । କେହି କେହି ମାଣ୍ଡିଆ କିଆରୀରେ ହରଡ଼ ବୁଣିଥାନ୍ତି । ମାଣ୍ଡିଆ ପାଚିଲେ ଥୋପା ଛିଣ୍ଡାଇ ଆଣନ୍ତି ଓ ହରଡ଼ ଗଛ ଛାଡ଼ି ଆସନ୍ତି । ହରଡ଼ଗଛ ଯଥାସମୟରେ ଫୁଲ ଫଳ ଧାରଣକରେ । ଚୈତା କୋଳଥର ଚାଷ ଯେଉଁ ଜମିରେ, ଯେଉଁ ସମୟରେ ଓ ଯେଉଁ ରୀତିରେ ହୁଏ, ଚୈତା ହରଡ଼ର ଚାଷ ଠିକ୍‌ ସେହିପରି ହୁଏ ।

 

ତୈଳପ୍ରଦ ଫସଲ

 

ସୋରିଷ-ସୋରିଷ ଦୁଇ ପ୍ରକାର । ଯଥା–ନାଲି ଓ ରାଇ । ନାଲି ସୋରିଷ ଆଶ୍ୱିନ ଓ କାର୍ତ୍ତିକମାସରେ ମଟାଳ ମାଟିରେ ବୁଣାହୁଏ । ଏକ ଏକର ଭୂମିରେ ୧୦୮ ତୋଳା ସେରର ୪ ବା ୫ ସେର ବିହନ ଦରକାର । ଜମିକୁ ଗୁଣ୍ଡା ଚାଷକରି ବିହନ ବୁଣିବ ଓ ମଇଦେଇ ଜମିକୁ ସମାନ କରିବ । ଗଛ ଚାରି ବା ଛଅ ଆଙ୍ଗୁଳ ଉଚ୍ଚ ହେଲେ ଥରେ ବଛାଇ ଦେବ । ଛୁଇଁ ଶୁଖିଲେ ଗଛ ଉପାଡ଼ିଆଣି ଖରାରେ ଶୁଖାଇ ଅମଳ କରିବ । ରାଇସୋରିଷ ପୌଷ ବା ମାଘମାସରେ ବୁଣାହୁଏ-। ଏହାର ଚାଷ ନାଲିସୋରିଷ ଚାଷପରି ।

 

ରାଶି ବା ଖସା-ରାଶି ଦୁଇପ୍ରକାର; ଯଥା-ଭୋଦେଇ ଓ ମାଘୀ । ଭୋଦେଇ ରାଶି ଜ୍ୟେଷ୍ଠ ବା ଆଷାଢ଼ରେ ବୁଣାହୁଏ ଏବଂ ଭାଦ୍ରବରେ ଅମଳହୁଏ । ମାଘୀରାଶି ଆଶ୍ୱିନମାସରେ ବୁଣାହୁଏ ଏବଂ ମାଘରେ ଅମଳ ହୁଏ । ଭୂମି ୩ ବା ୪ ଥର ଗୁଣ୍ଡା ଚାଷକରି ବିହନବୁଣିବ ଓ ମଇଦ୍ୱାରା ଭୂମିକୁ ସମାନ କରିବ । ଏକ ଏକର ଭୂମିରେ ୧୦୮ ତୋଳା ସେରରେ ସେ ୪।୫ର ବିହନ ଲାଗେ । ବର୍ଷାପାଣି ବାହାରି ଆସିବା ନିମନ୍ତେ କିଆରୀରେ ସିଆର କାଟିବ । ମାଘୀରାଶିକୁ ୩ ବା ୪ ଥର ପାଣି ଦରକାର । ଫଳପାଚି ଶୁଖିବାକୁ ଆରମ୍ଭ କଲେ ଗଛ କାଟିଆଣି ୩ ବା ୪ ଦିନ ଜମାଇ ଫସଲ ଆମଦାନି କରିବ ।

 

ପେଶୀ-ଆଶ୍ୱିନ ଓ କାର୍ତ୍ତିକରେ ପେଶୀ ବୁଣାଯାଏ । ଏହାର ଚାଷ ସୋରିଷ ଚାଷପରି । ଏକ ଏକର ଜମିରେ ୧୦୮ ତୋଳା ସେରର ୬ ସେର ବିହନ ଲାଗେ । ପେଶୀ ଗଛରୁ ଏକପ୍ରକାର ସରୁ ତନ୍ତୁ ଆମଦାନି ହୁଏ । ଏହା ବିଶେଷ ଲାଭଜନକ।

 

ଜଡ଼ା ବା ଗବ-ଜଡ଼ା ଭାଦ୍ରବମାସରେ ଲଗାହୁଏ । କେହି କେହି କାର୍ତ୍ତିକ ବା ମାର୍ଗଶିର ମାସରେ ଲଗାନ୍ତି । ଭୂମି କୁ ୫ ବା ୭ ଥର ଗୁଣ୍ଡା ଚାଷକରି ସିଆର କରିବ । ସେହିସବୁ ଶିଆରରେ ୮ ବା ୯ ଇଞ୍ଛ ଛଡ଼ାରେ ଗୋଟିଏ ଗୋଟିଏ ମଞ୍ଜି ଲଗାଇବାକୁ ହେବ । ଗଛ ୧ ଫୁଟ ଉଚ୍ଚହେଲେ ମୂଳରେ ମାଟି ଦେବ । ଗବ ପାକଳ ହୋଇ ଶୁଖିବାକୁ ଆରମ୍ଭ କଲେ ସେ ସବୁକୁ ତୋଳିଆଣି ଗୋବର ଗୋଳାଇ ୩ ବା ୪ ଦିନ ଗମାଇ ରଖିବ । ପରେ ଖରାରେ ଶୁଖାଇଦେଇ ବାଡ଼େଇ ଫସଲ ଆମଦାନି କରିବ ।

 

ଜଟଙ୍ଗୀ ବା ତିଳା–ଏହାର ଚାଷ ଠିକ୍‌ ସୋରିଷ ଚାଷ ପରି ।

 

ପୁନାଙ୍ଗ-ପୁନାଙ୍ଗ ଗୋଟିଏ ବଡ଼ ଗଛ । ଗୋଟିଏ ବଡ଼ ପୁନାଙ୍ଗ ଗଛରୁ ବର୍ଷକୁ ପ୍ରାୟ ପାଞ୍ଚଟଙ୍କାର ତେଲ ଆମଦାନୀ ହୁଏ । ଅତଏବ ପୁନାଙ୍ଗ ଗୋଟିଏ ଲାଭଜନକ ଗଛ । ପୁନାଙ୍ଗ ବର୍ଷକୁ ଦୁଇଥର ଫଳେ । ବାଲି ବା ଦୋରସା ମାଟିରେ ପୁନାଙ୍ଗ ଭଲହୁଏ । ସାତ ବା ଆଠ ହାତ ଅନ୍ତରରେ ଗୋଟିଏ ଗୋଟିଏ ପୁନାଙ୍ଗ ଗଛ ଲଗାଇବାକୁ ହେବ । ଗଛ ସାନ ଥିବା ସମୟରେ ଆବଶ୍ୟକ ମତେ ମୂଳରେ ପାଣି ଦେବାକୁ ହେବ ।

 

ତନ୍ତୁପ୍ରଦ ଫସଲ

 

କପା-କପା ଓ ଶୀମିଳି ପ୍ରଭୃତି ବୃକ୍ଷରୁ ତୁଳା ହୁଏ । ସେମାନଙ୍କ ମଧ୍ୟରେ କପାତୁଳା ପ୍ରଧାନ । କପା ସୂତାରେ ଲୁଗା ହୁଏ । ଏଣୁକରି କପା ଗୋଟିଏ ସର୍ବୋତ୍କୃଷ୍ଟ ଫସଲ । ଏହାମଧ୍ୟ ବିଶେଷ ଲାଭଜନକ । କପା ଅନେକ ପ୍ରକାର; ଯଥା-ବଡ଼ କପା, ହଳଦିଆ, ଆଛୁଆ ଓ ଆମେରିକା ଦେଶୀୟ ପ୍ରଭୃତ । ବଡ଼ କପା ଡିହ ଜାଗାରେ ଲାଗେ । ଏହି ଗଛ ଅନେକ ବର୍ଷ ରହେ-। ଏହାର ତୁଳା ଭଲ । ଅନ୍ୟପ୍ରକାର କପା ଉଚ୍ଚ ମଟାଳ ଭୂମିରେ ଭଲହୁଏ । କପା ଚାଷରେ ଭମିକୁ ବେଶି ଓଡ଼ ଚାଷ କରିବ । କଥାରେ କହନ୍ତି, ‘‘ଷାଠିଏ ଗାର ତଳା, ତାର ଅଧ ମୂଳା,ତାହାର ଅଧ ଧାନ, ତାହାର ଅଧ ପାନ !’’ ଜମି ଗୁଣ୍ଡାଚାଷ ହେଲାପରେ, ହାତେ ଛଡ଼ାରେ ଓ ଚାଖଣ୍ଡେ ଓସାରରେ ଗୋଟିଏ ୨ ଶିଆର କାଟି ପାଣି ମଡ଼ାଇ ଦେବ । ପାଣି ଶୁଖିଲା ପରେ କପାମଞ୍ଜି ଲଗାଇବାକୁ ହୁଏ । କପାମଞ୍ଜିକୁ ଗୋବରରେ ଗୋଳାଇ ଦିନେ ଖରା ଓ କାକର ଦେଇ, ଏକ ଫୁଟ ଛଡ଼ାରେ ଗୋଟିଏ ୨ ଗାତ କରି, ତିନି ଚାରି ଗୋଟି କପାମଞ୍ଜି ଲଗାଇବାକୁ ହୁଏ । ଏକ ଏକର ଜମିରେ ୧୨ ପାଉଣ୍ଡ ମଞ୍ଜି ଲାଗେ । ଗଛ ଚାରି ପାଞ୍ଚ ଆଙ୍ଗୁଳି ଉଚ୍ଚ ହେଲେ କିଆରୀକୁ ବଛାଇ ଦେବ ଓ ବଛା ସାଙ୍ଗରେ ଏକ ବୁଦାରେ ଗୋଟିଏ ବା ଦୁଇ ଗୋଟି ଗଛ ରଖି ଆଉ ସବୁ ଛୋଟ ଗଛ ଉପାଡ଼ି ଦେବ । ବିଲରେ ପାଣି ଶୁଖିଗଲେ ପାଣି ଦେଉଥିବ । ବକରା ଶୁଖି ଫାଟିଗଲ କପା ତୋଳି ଆଣିବ । କପାକୁ କପାଖାଇରେ ପେଡ଼ିଲେ ମଞ୍ଜି ଓ କପା ଅଲଗା ୨ ହୋଇଯିବ । ଦେଶୀ କପାର ତନ୍ତୁ ଛୋଟ ଓ ତୁଳା ସେତେ ପରିଷ୍କାର ନୁହେଁ । ଏହି ସୂତାର ଲୁଗା ସଫା ହୁଏ ନାହିଁ । କିନ୍ତୁ ଆମେରିକାର କପାର ତୁଳା ପରିଷ୍କାର ଓ ତାହାର ତନ୍ତୁ ବଡ଼ । ଅତଏବ ଏହି ଜାତୀୟ କପା ଆମ୍ଭମାନଙ୍କ ଦେଶରେ ବହୁଳ ପ୍ରଚାର ହେବା ଆବଶ୍ୟକ । ଆହୁରି ମଧ୍ୟ କପା ମଞ୍ଜିରୁ ଏକପ୍ରକାର ତେଲ ବାହାରେ । କପା ମଞ୍ଜି ଗୋରୁମାନଙ୍କର ଏକ ପୁଷ୍ଟିକର ଖାଦ୍ୟ ।

 

ନଳିତା-ନଳିତାରୁ ଝୋଟ ହୁଏ । ଜ୍ୟେଷ୍ଠ ବା ଆଷାଢ଼ମାସରେ ବୁଣାଯାଏ ଏବଂ ଆଶ୍ୱିନ ବା କାର୍ତ୍ତିକ ମାସରେ କଟାଯାଏ । ଏକ ଏକର ଭୂମିରେ ୧୦୮ ତୋଳା ସେରେ ୩ ସେର ବିହନ ବୁଣାଯାଏ । ଜମିକୁ ଭଲକରି ଚଷି, ଖତ ଦେଇ ନଳିତା ବୁଣିବାକୁ ହେବ । ଗଛ ୬ ବା ୭ ଇଞ୍ଚ ଉଜ ହେଲେ କିଆରୀକୁ ଥର ଭଲକରି ବାଛିବାକୁ ହେବ । ଗଛ ବଢ଼ିବା ସଙ୍ଗେ ତାହାର ପତ୍ର ଉଞ୍ଛି ଦେଉଥିବ । ଗଛ ବଡ଼ ହୋଇ ମଞ୍ଜି ପାକଳ ହେଲେ କେତେକ ମଞ୍ଜି ବିହନ ସ୍ୱରୂପ ରଖିବ ଏବଂ ଗଛକୁ କାଟି ବିଡ଼ା ବାନ୍ଧି ପାଣିରେ ମାଡ଼ି ଦେବ । ସାତ ବା ଆଠଦିନ ପରେ ଗଛ ସଢ଼ି ଗଲେ ତାହାକୁ କାଚ କାଉଁରିଆ ଓ ଝୋଟକୁ ଅଲଗା ୨ କରିଦେବ । ନଳିତା ଉଚ୍ଚ ଜମିରେ ହୁଏ । ଏହା ଭୂମିକୁ ଉର୍ବର କରେ । ନଳିତା ଦୁଇ ପ୍ରକାର, ଯଥା–ଛୋଟ ଓ ବଡ଼। ବଡ଼ ନଳିତା ଅନ୍ୟ ଅପେକ୍ଷା ଲାଭଜନକ ।

 

ଛଣପଟ–ଛଣପଟରୁ ଝୋଟ ହୁଏ । ଏହାର ଚାଷ ସବୁ ବିଷୟରେ ଠିକ୍‌ ନଳିତା ଚାଷପରି ।

 

ପରିବା ଫସଲ

ଫଳ ଜାତୀୟ

 

ବାଇଗଣ-ବାଇଗଣ ତିନିପ୍ରକାର; ଯଥା–ବାରି ବାଇଗଣ, ପାଳୁଆ ବାଇଗଣ ଓ ଜହରୀ ବାଇଗଣ । ବାରି ବାଇଗଣ ଜ୍ୟେଷ୍ଠ ବା ଆଷାଢ଼ରେ ଲାଗେ । ପାଳୁଆ ବାଇଗଣ ଆଶ୍ୱିନ ବା କାର୍ତ୍ତିକରେ ଲାଗେ ଓ ଜହରୀ ମାଘ ବା ଫାଲ୍ଗୁନରେ ଲାଗେ । ବାଇଗଣ ଢିପ ଓ ଦୋରସା ମାଟିରେ ହୁଏ ।

 

ପ୍ରଥମେ ବିଲକୁ ଭଲକରି ଚାଷକରି ଶିଆର କରିବ । ଅନ୍ୟ ସ୍ଥାନରେ ବାଇଗଣ ତଳି ପକାଇବ । ତଳି ଚାରି ଛଅ ଆଙ୍ଗୁଳି ଉଚ୍ଚ ହେଲେ ୧ ଫୁଟ ଛଡ଼ାରେ ଶିଆରରେ ଲଗାଇବ । ଗଛ ଚାଖଣ୍ଡେ ଉଚ୍ଚ ହେଲେ ମୂଳ କୋଡ଼ି ଦେବ । ଗଛ ଫୁଲ ଧରିବା ପୂର୍ବରୁ ମୂଳରେ ଥରେ ପିଡ଼ିଆ ଦେବ । କିଆରୀ ଶୁଖିଗଲେ ପାଣି ମଡ଼ାଉଥିବ । କଲିକତି ବାଇଗଣ ମଧ୍ୟ ଏ ଦେଶ ମାଟିରେ ହୁଏ-। ଏହା ଦେଶି ବାଇଗଣ ଅପେକ୍ଷା ବଡ଼ ଓ ସୁସ୍ୱାଦୁ । ଏପରିକି ଗୋଟିଏ ଗୋଟିଏ ବାଇଗଣ ଚାରିସେର ପର୍ଯ୍ୟନ୍ତ ଓଜନ ହୁଏ ।

 

କଦଳୀ-ପୋଖରୀ ହୁଡ଼ାରେ ବା ପକାମାଟିରେ କଦଳୀ ଭଲ ହୁଏ । ଆଷାଢ଼ ବା କାର୍ତ୍ତିକ ମାସରେ କଦଳୀପୁଆ ଲାଗେ । ପ୍ରଥମେ ପାଞ୍ଚହାତ ଛଡ଼ାରେ ଗୋଟିଏ ଲେଖାଁଏ ଗାତକରି ଖତ ଭର୍ତ୍ତିକରିବ । ଗୋଟିଏ ଗୋଟିଏ ଗାତରେ ଗୋଟିଏ ଗୋଟିଏ ପୁଆ ଲଗାଇ ମାଟିଦ୍ୱାରା ପୁଆମୂଳ ଭଲ କରି ପୋତି ଦେବ । କଦଳୀ ଗଛରୁ ପତ୍ର କାଟିବା ବିଧି ନୁହେଁ । କଦଳୀ ନ ଫଳିବା ପର୍ଯ୍ୟନ୍ତ ଯେତେ ପୁଆ ହେଉଥିବ । ସେସବୁ କାଟି ଦେଉଥିବ, କଦଳୀ ବାହାରିଲେ ଆଉ ପୁଆ କାଟିବ ନାହିଁ-। କୌଣସି ବୁଦାରେ ତିନି ଚାରି ଗୋଟିରୁ ବେଶି ପୁଆ ରଖିବନାହିଁ । ଆଉ ସବୁ ତାଡ଼ି ଅନ୍ୟ ସ୍ଥାନରେ ଲଗାଇବ । ଭଣ୍ଡାକୁ ବେଶିଦିନ ରଖିବ ନାହିଁ । ତଳ ଫେଣାରୁ ଚାଖଣ୍ଡେ ବାହାରି ଗଲେ ଭଣ୍ଡା ଭାଙ୍ଗିଦେବ । କଦଳୀ ପାକଳ ହେଲାପରେ କଟା ହୋଇଗଲେ, ଗଛ ମୂଳକୁ ଭଲକରି ତାଡ଼ି ସେ ଗାତରେ ଖତ ଭର୍ତ୍ତି କରିଦେବ । ନଚେତ୍‌ ମୂଳ ସେଠାରେ ସଢ଼ି ଅନ୍ୟ ଗଛମାନଙ୍କୁ ରୁଗ୍ଣ କରିଦିଏ । ଏକସ୍ଥାନରେ କଦଳୀ ପାଞ୍ଚ ବର୍ଷରୁ ବେଶି ରହିଲେ ତେଣିକି ଭଲ ଫଳ ହୁଏ ନାହିଁ ।

 

ବୋଇତାଳୁ- ଏହା ବାଲିମାଟିରେ ଭଲ ହୁଏ । ପ୍ରାୟ ବର୍ଷରେ ଦୁଇଥର ଲାଗେ । ଜ୍ୟେଷ୍ଠ ବା ଆଷାଢ଼ ମାସରେ ଯେଉଁ ବୋଇତାଳୁ ଲାଗେ, ତାହା ପିଢ଼ାଉପରେ ବା ମଞ୍ଚାରେ ମାଡ଼େ-। ଏହା ବେଶି ମାଡ଼େ; କିନ୍ତୁ ଭଲ ଫଳ ହୁଏ ନାହିଁ । କାର୍ତ୍ତିକ ବା ମାର୍ଗଶିର ମାସରେ ଏକପ୍ରକାର ବୋଇତାଳୁ ଲାଗେ । ଏହା ନଈକୂଳିଆ ବାଲିମାଟିରେ ହୁଏ । ଏଣୁ ଏହାକୁ ବାଲିବୋଇତାଳୁ କହନ୍ତି-। ଏହା ଚୈତ୍ର ବା ବୈଶାଖମାସରେ ଆମଦାନି ହୁଏ । ଏହା ବର୍ଷାଦିନ ବୋଇତାଳୁ ଅପେକ୍ଷା ସୁସ୍ୱାଦୁ ଓ ବଡ଼ ହୁଏ । ବୋଇତାଳୁ ବଡ଼ ଲାଭଜନକ ଫସଲ ।

 

ଏକ ଏକ ଗାତକରି ସେଥିରେ ଚାରି ପାଞ୍ଚଟି ମଞ୍ଜି ଲଗାଇବାକୁ ହୁଏ । ଏକ ଏକ ମନ୍ଦା ପ୍ରାୟ ଚାରି ପାଞ୍ଚ ହାତ ଦୂରରେ ରହିବା ଉଚିତ । ଗଛ ଯେତେ ବଢ଼ୁଥିବ ତା ମୂଳକୁ ତେତେ ମାଟି ଦେଉଥିବ । ବାଲି ବୋଇତାଳୁ ତଳେ ମାଡ଼େ । କଖାରୁ ଫୁଲ ଛିଣ୍ଡାଇଲେ ଭଲ ଫଳ ହୁଏ ନାହିଁ ।

 

ପାଣିକଖାରୁ ଓ ଲାଉ-ପାଣିକଖାରୁ ଓ ଲାଉ ଚାଷ ଠିକ୍‌ ବର୍ଷାକାଳର କଖାରୁ ଚାଷପରି-

 

ତରଭୁଜ–ଏହାର ଚାଷ ଠିକ୍‌ ବାଲି ବୋଇତାଳୁ ଚାଷ ପରି । ଏ ମଧ୍ୟ ନଈବାଲିରେ ହୁଏ-। ଫାଲ୍ଗୁନ ବା ଚୈତ୍ର ମାସରେ ମଞ୍ଜି ଲଗାଯାଏ ଏବଂ ବୈଶାଖ ଓ ଜ୍ୟେଷ୍ଠ ମାସରେ ଫଳ ପାଚେ ।

 

କାକୁଡ଼ି ଓ ଫୁଟି–ଏମାନଙ୍କର ଚାଷ କଖାରୁ ଚାଷପରି । କଖାରୁ ପରି ମଧ୍ୟ ଏକ ଜାତୀୟ କାକୁଡ଼ି ବର୍ଷାକାଳରେ ରଞ୍ଜାରେ ମାଡ଼େ ଓ ଅନ୍ୟ ଜାତୀୟ ବାଲି ବିଲରେ ହୁଏ ଓ ତଳେ ମାଡ଼େ । ବିଲ କାକୁଡ଼ି ଛୋଟ । ବିଲରେ ଯେଉଁ କାକୁଡ଼ି ଓ ଫୁଟି ହୁଏ ତାହାର ଚାଷ ବାଲିବୋଇତାଳୁ ଚାଷ ପରି । କିନ୍ତୁ ପ୍ରତ୍ୟେକ ବୁଦା ହାତେ ଛଡ଼ାରେ ଲାଗେ ।

 

କଲରା-କଲରା ଦୋରସାମାଟିରେ ଭଲହୁଏ । କାର୍ତ୍ତିକ ଓ ମାର୍ଗଶିରମାସରେ କଲରା ମଞ୍ଜି ଲାଗେ । ବିଲକୁ ଭଲକରି ଚାଷକରି ହାତେ ହାତେ ଛଡାକରି ଦୁଇ ଚାରୋଟି ଲେଖାଏଁ ମଞ୍ଜି ଲଗାଇବାକୁ ହୁଏ । ଗଛ ବଢ଼ିବା ସଙ୍ଗେ ସଙ୍ଗେ ତାହାର ମୂଳରେ ଖତଦେଇ ମାଟି ଟେକିବାକୁ ହୁଏ-

 

ମୂଳଜାତୀୟ ପରିବା

 

ବିଲାତିଆଳୁ-ବିଲାତିଆଳୁ ଆଶ୍ୱିନ ଓ କାର୍ତ୍ତିକମାସରେ ଲାଗେ ଏବଂ ମାଘ ଓ ଫାଲ୍‌ଗୁନ ମାସରେ ଖୋଳା ହୁଏ । ଏହା ଏକ ଲାଭଜନକ ଫସଲ । ଏକ ଏକରରେ ଦୁଇ ତିନିଶ ଟଙ୍କା ଆୟ ହୋଇପାରେ । ଏହା ଦୋରସା ମାଟିରେ ଭଲ ହୁଏ । ପ୍ରଥମେ ଜମିକୁ ପାଞ୍ଚ ବା ସାତ ଓର ଚଷି ସେଥିରେ ଖତ ଓ ପିଡ଼ିଆ ଦେଇ ମାଟିକୁ ଗୁଣ୍ଡା କରିବ । ପରେ ଶିଆରକରି ଦେଢ଼ ବା ଦୁଇ ହାତରେ ଗୋଟିଏ ଗୋଟିଏ ହୁଡ଼ା କରିବ । ଆଳୁମଞ୍ଜି ଛୋଟଥିଲେ ଗୋଟିଏ ଗୋଟିଏ କରି ଏବଂ ବଡ଼ ହେଲେ ଏକ ଖଣ୍ଡରେ ଦୁଇ ତିନିଟା ଆଖି ଥିବାଭଳି ଖଣ୍ଡ ଖଣ୍ଡ କରି କାଟି ପ୍ରତି ହୁଡ଼ାରେ ଚାଖଣ୍ଡେ ବା ତହିଁରୁ କିଛି ଅଧିକ ଦୂରରେ ଲଗାଇବ। ଗଛ ଲାଗିବାଠାରୁ ଆଳୁ ହେବା ପର୍ଯ୍ୟନ୍ତ କିଆରୀରେ ଆବଶ୍ୟକମତେ ପାଣି ଦେଉଥିବ ଏବଂ ମୂଳକୁ ମାଟି ଟେକି ଦେଉଥିବ । ଗଛ ବଢ଼ିବାବେଳେ ମଧ୍ୟରେ ଥରେ ଦୁଇଥର ପିଡ଼ିଆ ଦେବାକୁ ହେବ । ଆଳୁ ପାକଳ ହେଲେ ଗଛ ମରିଆସେ । ଏହି ସମୟରେ କିଆରୀରେ ବର୍ଷା ହେଲେ ବା ପାଣି ମଡ଼ାଇଲେ ଆଳୁସବୁ ସଢ଼ିଯାଏ-। ଗଛ ମରିଗଲେ ଆଳୁ ଖୋଳାଯାଏ ।

 

ଦେଶୀଆଳୁ-ଆଳୁକୁ କାଟି ଖାଇବ । ତାହାର ଅଗ୍ରଭାଗକୁ ବିହନ ରଖିବ । ଏହି ଅଗ୍ରଭାଗକୁ ପିଣ୍ଡ କହନ୍ତି । କେହି କେହି ଆଳୁ ମାତ୍ରାରୁ ମଞ୍ଜି ରଖନ୍ତି । ଆଳୁ ଲତାର ଗଣ୍ଠି ସ୍ଥାନ ମାଟିରେ ପୋତି ଦେଲେ ସେଥିରୁ ମଧ୍ୟ ଆଳୁ ବାହାରେ । ସାଧାରଣତଃ ପିଣ୍ଡରୁ ଜାତ ଆଳୁ ବଡ଼ । ବାଡ଼ ପାଖରେ ହାତେ ବା ମୁଠୁଣିଏ ଛଡ଼ାରେ ଗାତ ଖୋଳି ସେଥିରେ ଖତ ବା ପାଉଁଶ ଭର୍ତ୍ତି କରିବ-। ସେହି ଗର୍ତ୍ତରେ ଉପରେ ଆଳୁପିଣ୍ଡ ପୋତି ତା ଉପରେ ଆଙ୍ଗୁଳେ ବା ଦୁଇ ଆଙ୍ଗୁଳ ଉଚ୍ଚରେ ମାଟି ଚଢ଼ାଇ ଦେବ । ଜ୍ୟେଷ୍ଠ ମାସରେ ଆଳୁ ଲାଗେ ଓ ମାଘ ମାସରେ ଖୋଳାହୁଏ । କେହି କେହି ବିଲରେ ଆଳୁ ଲଗାନ୍ତି । ବିଲକୁ ଭଲକରି ଚଷି ଖତ ଦେଇ ଶିଆର କାଟନ୍ତି । ପରେ ଦୁଇହାତ ଛଡ଼ାରେ ଶିଆରରେ ଆଳୁ ଲଗାନ୍ତି । ଗଛ ହେଲେ ତା ମୂଳରେ ମାଟି ଦିଅନ୍ତି ଓ ପ୍ରତି ଗଛ ମୂଳରେ ଖଣ୍ଡେ ଖଣ୍ଡେ ରଞ୍ଜା ତେର୍ଛାଭାବରେ ପୋତି, ପାଖ ଦୁଇ ଶିଆରର ରଞ୍ଜାର ଅଗକୁ ଯୋଡ଼ା ଯୋଡ଼ା କରି ବାନ୍ଧି ଦିଅନ୍ତି ।

 

ସାରୁ-ସାରୁ ଅନେକ ପ୍ରକାର; ଯଥା-ତେଲିୟା, ଶାରଦୀୟା, ମାଙ୍କଡ଼ା ଓ ଶଙ୍ଖ ପ୍ରଭୃତି । ସାରୁ ଛାଇ ବା ପାଣିକୁଳିଆ ସ୍ଥାନରେ ଭଲ ହୁଏ । ଆଷାଢ଼ ମାସରେ ଛୋଟ ସାରୁ ଲାଗେ ଓ ପୌଷ ବା ମାଘମାସରେ ଶଙ୍ଖସାରୁ ଲାଗେ । ପ୍ରଥମେ ମାଟିକୁ ହାତେ ଗଭୀରରେ ଚାଷକରି ଗୋବରଖତ ଦେବ ଓ କିଆରୀରେ ହୁଡ଼ା କରିବ । ତଦନନ୍ତର ସାରୁ ମଞ୍ଜି ଚାଖଣ୍ଡେ ଛଡ଼ାରେ ପ୍ରତି ହୁଡ଼ାରେ ଲଗାଇବ । ଗଛ କିଛି ବଢିଗଲେ ତା ମୂଳରେ ଗୋବର ଖତ ଦେଇ ମାଟି ଟେକିଦେ । ସାରୁ ପକ୍ଷରେ ପାଣି ବିଶେଷ ଆବଶ୍ୟକ । ସାରୁ ଗଛରୁ ଷଣ୍ଢା ବାହାରି ମରିଗଲେ ସାରୁ ଖୋଳିବ । ଶଙ୍ଖସାରୁର ଚାଷ ଏହିପରି ,କିନ୍ତୁ କିଆରୀରେ ହାତେ ଛଡ଼ାରେ, ହାତେ ଗଭୀରରେ ଗୋଟିଏ ଗୋଟିଏ ଗାତ କରି ସେଥିରେ ଗୋବର ଖତ ଦେବ । ପରେ ଶଙ୍ଖସାରୁକୁ ଗୋଟିଏ ଲେଖାଏଁ ଆଖି ରଖି ଖଣ୍ଡ ଖଣ୍ଡ କରିବ । ଆଖିକୁ ଉପରକୁ ରଖି ଖଣ୍ଡିଏ ଲେଖାଏଁ ଗୋଟିଏ ଗୋଟିଏ ଗାତରେ ପୋତି ମାଟି ଚଲାଇ ଦେବ । ସାରୁ ଗଛ ବଢ଼ିବା ସମୟରେ ଥରେ ଦୁଇଥର ପିଡ଼ିଆ ଦେବ । ଏଥିକୁ ପାଣି ବିଶେଷ ଆବଶ୍ୟକ।

 

ମୂଳା-ମୂଳା ବର୍ଷରେ ଦୁଇଥର ଲାଗେ । ଆଶ୍ୱିନ ମାସରେ ଥରେ ଓ ବୈଶାଖରେ ଥରେ-। ଏହା ଦୋରସା ମାଟିରେ ହୁଏ । ପ୍ରଥମେ ମାଟିକୁ ମୁଠୁଣିଏ ଗଭୀର ଚାଷ କରି ଖତ ଦେବ-। ପରେ ଚାଖଣ୍ଡେ ଛଡ଼ାରେ ଗୋଟିଏ ମଞ୍ଜି ପଡ଼ିଲା ପରି ମଞ୍ଜି ବୁଣି ଦେବ । କେହି କେହି ମୁଠୁଣିଏ ଛଡ଼ାରେ ଚାଷ ଭୂମିରେ ଗୋଟିଏ ୨ ଗାତ କରି, ଗୋଟିଏ ବା ଦୁଇଗୋଟି ମଞ୍ଜି ପକାଇ ଦିଅନ୍ତି । ଗଛ ବଡ଼ ହେଲେ ତା ମୂଳରେ ପିଡ଼ିଆ ଦେଇ ମାଟି ଟେକି ଦିଅନ୍ତି । ଏପରି ଭାବରେ ମୂଳା କଲେ ବଡ଼ ମୂଳା ହୁଏ । ମୂଳା କିଆରୀରେ ଆବଶ୍ୟକମତେ ପାଣି ଦେବ ।

 

କନ୍ଦମୂଳ-ଆଷାଢ଼ ଓ ଶ୍ରାବଣମାସରେ କନ୍ଦମୂଳ ଲଗାଯାଏ । ମାଟିକୁ ଭଲକରି ଚାଷକରି ସେଥିରେ ଖତଦେବ । ଚାଖଣ୍ଡେ ଗଭୀର ଓ ହାତେ ଓସାରରେ ଶିଆର କାଟିବ । କନ୍ଦମୂଳ ଲତାଆଣି ତାହାର ଗଣ୍ଠିପାଖ ଶିଆରରେ ପୋତିବ । ଲତା ଯେତେ ବଢ଼ି ବଢ଼ି ଯାଉଥିବ ତାହାର ଗଣ୍ଠି ତେତେ ପୋତି ପୋତି ଯାଉଥିବ । ଯଥା ସମୟରେ ମୂଳରେ ପିଡ଼ିଆ ଦେବ । ଉପଯୁକ୍ତ ସମୟରେ କିଆରୀରେ ପାଣିଦେବ ।

 

ଆରାରୁଟ୍‌ ବା ପାଳୁଅ-ବୈଶାଖ ବା ଜ୍ୟେଷ୍ଠମାସରେ ଆରାରୁଟ ଲଗାଯାଏ ଓ ମାଘ ବା ଫାଲ୍ଗୁନମାସରେ ଫସଲ ଆଦାୟ ହୁଏ । ପ୍ରଥମେ ଜମିକୁ ଖୋଳି ବା ଚାଷକରି ମାଟିକୁ ଗୁଣ୍ଡାକରିବ-। କିଆରୀରେ ଖତଦେଇ ଗୋଟିଏ ଗୋଟିଏ ହୁଡ଼ା କରିବ । ସେହି ହୁଡ଼ାରେ ଚାଖଣ୍ଡେ ଛଡ଼ାରେ ଗୋଟିଏ ଗୋଟିଏ ଆରାରୁଟ୍‌ ମୂଳ ପୋତିବ । ଗଛ ହୋଇଗଲେ ସମୟେ ସମୟେ କିଆରୀରେ ପାଣି ଦେବ ଓ ଗଛ ମୂଳକୁ ମାଟି ଦେବ । ଶୀତକାଳ ହୋଇଗଲେ ଗଛମୂଳରେ ମାଟିଦେବା ଦରକାର ହୁଏ ନାହଁ ।

 

ଶାଗ ଜାତୀୟ

 

କୋଶଳା-କୋଶଳା ଦୁଇ ପ୍ରକାର, ଯଥା–କଟା କୋଶଳା ଓ ଡେଙ୍ଗା କୋଶଳା । କଟା କୋଶଳାର ମୂଳକୁ ଛାଡ଼ି ଥରକୁ ଧର ଅଗ କାଟି ଶାଗ ଆଦାୟ କରାଯାଏ । ଡେଙ୍ଗା କୋଶଳାକୁ ଉପାଡ଼ି ନିଆଯାଏ । କୋଶଳା କାର୍ତ୍ତିକ ବା ମାର୍ଗଶିରମାସରେ ବୁଣାଯାଏ । ପ୍ରଥମେ କିଆରିକୁ ଖୋଳି ମାଟି ଗୁଣ୍ଡା କରିବ । ତାହାପରେ ଛୋଟ ଛୋଟ ପଟାଳି ବାନ୍ଧି ଖତ ଦେଇ କୋଶଳାମଞ୍ଜି ବୁଣି ଦେବ ଓ ଉପର ମାଟି ଚଲାଇଦେବ । ପଟାଳିରେ ପ୍ରତିଦିନ ସନ୍ଧ୍ୟା ସମୟରେ ପାଣି ଦେଇ ନଡ଼ା ବା ନଡ଼ିଆ ପତ୍ର ଘୋଡ଼ାଇ ଦେବ । ଦୁଇ ତିନିଦିନ ପରେ କୋଶଳା ଗଛ ଉଠିବାକୁ ଆରମ୍ଭ କଲେ ନଡ଼ାପତ୍ର ସବୁ ଉପରୁ କାଢ଼ି ଦେବ । ଗଛ ବଢ଼ିବା ସମୟରେ ଥରେ ଦୁଇଥର ପିଡ଼ିଆକୁ ପାଣିରେ ଗୋଳାଇ କିଆରୀରେ ଛିଞ୍ଚି ଦେବ । କୋଶଳା ପଟାଳିରେ ପ୍ରତିଦିନ ସନ୍ଧ୍ୟା ସମୟରେ ପାଣି ଦେଉଥିବ ।

 

ଲେଉଟିଆ–ଲେଉଟିଆର ଚାଷ କୋଶଳା ଚାଷପରି । ଏହା ଫାଲ୍ଗୁନ ବା ଚୈତ୍ର ମାସରେ ବୁଣାଯାଏ ଓ କାଟି ଖିଆଯାଏ ।

 

ଖଡ଼ା-ଖଡ଼ା ମଟାଳ ମାଟିରେ ବେଶି ବଢ଼େ । କିନ୍ତୁ ଦୋରସା ମାଟିରେ ଯେଉଁ ଖଡ଼ା ହୁଏ ତାହା ସୁସ୍ୱାଦୁ । ଜ୍ୟେଷ୍ଠ ବା ଆଷାଢ଼ ମାସରେ ତଳି ପକାଇବ । ତଳି ଚାରି ଛଅ ଆଙ୍ଗୁଳି ଉଚ୍ଚ ହେଲେ ଚାଖଣ୍ଡେ ଛଡ଼ାରେ ଗୋଟିଏ ଗୋଟିଏ ଗଛ ରୁଆଇ ଦେବ । ମଧ୍ୟରେ ଥରେ ଖଡ଼ା କିଆରୀ ବଛାଇ ଦେବ ।

 

ବିଲାତି ପରିବା

 

ଆମ୍ଭମାନଙ୍କ ଦେଶର ପରିବା ଅପେକ୍ଷା ଆମେରିକା ପ୍ରଭୃତି ଦେଶର ପରିବା ଆକାରରେ ଖୁବ୍‌ ବଡ଼ । ସେଠାରୁ ବାଇଗଣ, ଲଙ୍କାମରିଚ, ମକ୍କା,କଖାରୁ, କାକୁଡ଼ି, ଓ ଭେଣ୍ଡି ପ୍ରଭୃତିର ମଞ୍ଜି ଆମ୍ଭମାନଙ୍କ ଦେଶରେ କେଉଁ ୨ ସ୍ଥାନରେ ଲଗା ହେଉଅଛ । ଏସବୁ ଆକାରରେ ବଡ଼, ଏବଂ ଏଣୁକରି ଲାଭଜନକ । ଏପରିକି ଗୋଟାଏ ଗାଟାଏ ବାଇଗଣ ପ୍ରାୟ ଚାରି ଛଅ ସେର ଓଜନ ହୁଏ, ଗୋଟାଏ ୨ ଲଙ୍କାମରିଚ ଗୋଟିଏ ବଡ଼ ଭେଣ୍ଡି ବା ବାଇଗଣ ପରି ହୁଏ । ଗୋଟାଏ ୨ କଖାରୁ ମହଣେ ଓଜନ ହୁଏ । ଅତଏବ ଆମ୍ଭମାନଙ୍କ ଦେଶରେ ଏହିସବୁ ଫସଲର ବହୁଳ ଚାଷ ଏକାନ୍ତ ବିଧେୟ ।

 

ଏହାଛଡ଼ା ଅନେକ ବିଲାତି ପରିବା ଅଛି ଯାହା ପୂର୍ବକାଳରେ ଆମ୍ଭମାନଙ୍କ ଦେଶରେ ନ ଥିଲା; ଯଥା-କୋବି, ସାଲଗମ,ଗାଜର, ବିଟ୍‌ରୁଟ ପ୍ରଭୃତି । ଏସବୁ ଫସଲ ପ୍ରାୟ ଭାଦ୍ର, ଆଶ୍ୱିନ ବା କାର୍ତ୍ତିକ ମାସରେ ଲାଗେ ଓ ମାର୍ଗଶିର, ପୌଷ ଓ ମାଘ ମାସରେ ଆମଦାନୀ କରାଯାଏ । ଏମାନଙ୍କର ମଞ୍ଜି ଏ ଦେଶରେ ଉତ୍ପନ୍ନ ହୁଏନାହିଁ । ଆମେରିକା ଓ ଇଂଲଣ୍ଡ ପ୍ରଭୃତି ଦେଶରୁ ଆସେ-। ଏମାନଙ୍କ ଚାଷ ପ୍ରାୟ ଏକ ପ୍ରକାର । ଏଣୁକରି ସମୁଦାୟର ଚାଷ ପ୍ରଣାଳୀ ନିମ୍ନରେ ଏକତ୍ର ପ୍ରଦତ୍ତ ହେଲା ।

 

ପ୍ରତ୍ୟେକ ଜାତୀୟ ବୀଜକୁ ପ୍ରଥମେ ଚାରା ପ୍ରସ୍ତୁତ କରି, ଚାରା ବଡ଼ ହେଲେ ଅନ୍ୟତ୍ର ରୋପଣ କରାଯାଏ । ଯେ ଇଚ୍ଛା ସେ ସ୍ଥାନରେ ଏହାର ଚାରା ହୁଏ ନାହିଁ । ଯେଉଁ ମାଟିରେ ଚାରା ପକାଇବ ସେ ମାଟିରେ ଘସି ଖତ ମିଶାଇ ଧୂଳି ପରି ଚୂନା କରିବ । ସେ ଚୂନା ମାଟିକୁ ଚାରାପକା କୁଣ୍ଡରେ ଭର୍ତ୍ତିକରି ସମାନ କରିଦେବ । ତଦନନ୍ତର ମଞ୍ଜି ବୁଣି ଦେବ । ତା ଉପରେ ମଞ୍ଜି ଯେତେ ମୋଟ ତାହାର ଦ୍ୱିଗୁଣ ବହଳରେ ଚୂନାମାଟି ବିଛାଇ ଦେବ । ସନ୍ଧ୍ୟାସମୟକୁ ଆବଶ୍ୟକ ମତେ ପାଣି ଦେଉଥିବ । କିଛିଦିନ ପରେ ଗଛ ଉଠେ । ଗଛ ଏକ ଇଞ୍ଚ ଉଚ୍ଚ ହୋଇ ଗଲେ ଖତ ଓ ଚୂନା ମାଟି ଭର୍ତ୍ତି ହୋଇଥିବା ଅନ୍ୟ କୁଣ୍ଡରେ ରୁଆ ହୁଏ । ଏହି ରୁଆ କୁଣ୍ଡସବୁ ପ୍ରାୟ ୨ ବା ୩ ଦିନ ଦିନବେଳେ ଛାଇରେ ଓରାତ୍ରରେ ପଦାରେ ରହେ । ବର୍ଷା କୋବି ପ୍ରଭୃତିର ପ୍ରଧାନ ଶତ୍ରୁ । ଅତଏବ ବର୍ଷା ହେଉଥିବା ଦିନରେ ବା ଆକାଶ ମେଘାଚ୍ଛନ୍ନ ଥିବା ଦିନରେ କେବେହେଁ କୋବି ଚାରା ପକାଇବ ନାହିଁ । କୋବି ଚାରା ହେଲାପରେ ଯଦି କ୍ରମାନ୍ୱୟ ୩ ବା ୪ ଦିନ ଆକାଶ ମେଘାଚ୍ଛନ୍ନ ହୁଏ, ତାହାହେଲେ ଚାରାଗୁଡ଼ିକ ରକ୍ଷାକରିବା ସହଜ ନୁହେଁ । ବର୍ଷା ଅବଶ୍ୟ କୋବି ପ୍ରଭୃତିର ଶତ୍ରୁ ; କିନ୍ତୁ ଜଳ ବିନା ଏ ଫସଲ ଆମଦାନୀ ହୋଇ ପାରେନାହିଁ । ଏହି ଫସଲରେ କିଆରୀ ଭଲକରି ଶୁଖିବା ପୂର୍ବରୁ ପାଣି ଦେଉଥିବ; ଯେପରି କିଆରୀ ସବୁବେଳେ କାଦୁଆ ନ ହୁଏ ।

 

ଚାରା ୨ ବା ୩ ଇଞ୍ଚ ଉଚ୍ଚ ହେଳେ କିଆରୀରେ ରୁଆଯାଏ । ପ୍ରଥମରେ ଖୋଳି ବା ଭଲକରି ଚାଷକରି ମାଟିକୁ ଚୂନା କରିବ । ତତ୍‌ପରେ ପିଡ଼ିଆଖତ ବା ଗୋବରଖତ ସିଞ୍ଚି ଏକଫୁଟ ଛଡ଼ାରେ ଗୋଟିଏ ୨ ଗଛ ଲଗାଇବ । ବନ୍ଧାକୋବି ଦୁଇ ଫୁଟ ଛଡ଼ାରେ ଲଗାଇଲେ ଭଲ । ଗଛ ଶୁଖିଲା ମାଟିରେ ଲଗାଇ ସଙ୍ଗେ ୨ ପାଣି ଦେବ । ଗଛ ଲାଗିଲା ଉତ୍ତାରୁ ତିନିଦନ ଖରାବେଳେ ଘୋଡ଼ାଇବ । ଯେଉଁଦିନ ଖରାଥାଏ ଓ ଯେଉଁଦିନ ଆକାଶ ମେଘାଚ୍ଛନ୍ନ ନ ଥାଏ ସେହିଦିନ ଚାରା ଲଗାଇବ । ଗାଜର, ସାଲଗମ, ବିଟ୍‌ ରୁଟ୍‌ କେହି ୨ ଚାରା ନ ପକାଇ ମଞ୍ଜି କିଆରୀରେ ଲଗାଇ ଦିଅନ୍ତି । କିନ୍ତୁ କୋବିକୁ ଚାରା ପକାଇବାକୁ ହେବ । କୋବି ୩ ପ୍ରକାର; ଯଥା-ଫୁଲକୋବି, ବନ୍ଧାକୋବି ଓ ଓଲକୋବି ବା ଗଣ୍ଠିକୋବି । ବେଶି କୋବି ଚାଷକଲେ ଏକାଦିନରେ ସବୁ ଚାରା ପକାଇବ ନାହିଁ କି ଏକାଦିନରେ ଚାରା ଲଗାଇବ ନାହିଁ । ଏପରି କଲେ ଏକ ସମୟରେ ସବୁ ଫସଲ ହୋଇଯାଏ ।

 

କେହି କେହି ଏକ ପଟାଳିରେ କୋବି, ଗାଜର, ସାଲଗମ ଲଗାନ୍ତି । ପ୍ରତି ଧାଡ଼ିରେ କ୍ରମାନ୍ୱୟ ଗୋଟିଏ ବନ୍ଧାକୋବି, ତାପରେ ଗୋଟିଏ ଫୁଲକୋବି, ତାପରେ ଗୋଟିଏ ଗଣ୍ଠିକୋବି ତାପରେ ଗୋଟିଏ ଗାଜର ଓ ତାପରେ ଗୋଟିଏ ସାଲଗମ ଚାରା ଲଗାନ୍ତି । ଏପରି କଲେ ଏକ ଜାତୀୟ ଫସଲ ପ୍ରଥମେ ହୋଇ ଗଲେ ଅନ୍ୟ ଜାତୀୟ ଫସଲକୁ ବଢ଼ିବାକୁ ସ୍ଥାନ ମିଳେ ।

 

ଗଛ ବଢ଼ୁଥିବା ସମୟରେ ଥରେ ବା ଦୁଇଥର ମୂଳରେ ପିଡ଼ିଆ ଦେଇ ମାଟି ଟେକିଦେବ । ଗୋବର ବା ପିଡ଼ିଆକୁ ପାଣିରେ ଗୋଳାଇ ଥରେ ଥରେ ମୂଳରେ ଢାଳି ଦେବ । ଲୁଣପାଣି ମଧ୍ୟ କୋବି ପ୍ରଭୃତି ଫସଲ ମୂଳରେ ଦିଆଯାଏ ।

 

ମଶଲାଜାତୀୟ ଫସଲ

 

ଲଙ୍କାମରିଚ-ଲଙ୍କାମରିଚ ଆଶ୍ୱିନ ମାସରେ ଲଗାହୁଏ । ଏହା ଦୋରସା ମାଟିରେ ଭଲ ହୁଏ । ଲଙ୍କାମରିଚ ଠିକ୍‌ ବାଇଗଣ ପରି ତଳି ପକାଇବ । ତଳି ଚାରି ଛଅ ଆଙ୍ଗୁଳ ଉଚ୍ଚ ହେଲେ ଜମିକୁ ଭଲ କରି ଚାଷକରି ଶିଆର କାଟି ପ୍ରତି ଶିଆରରେ ହାତେ ଛଡ଼ାରେ ଗୋଟିଏ ଗୋଟିଏ ଗଛ ଲଗାଇବ । ଆବଶ୍ୟକ ମତେ ଗଛ ମୂଳରେ ପାଣି ଦେଉଥିବ । ଗଛ ବଢ଼ିବା ସଙ୍ଗେ ସଙ୍ଗେ ଏହା ମୂଳକୁ ମାଟି ଟେକି ଦେଉଥିବ । ଛେଳିନଣ୍ଡି ଲଙ୍କାମରିଚ ପକ୍ଷରେ ଭଲଖତ । ଏହା ଛାଇ ସ୍ଥାନରେ ଭଲ ହୁଏ ନାହିଁ । ଲଙ୍କା ମରିଚ ଲାଭଜନକ ଫସଲ ।

 

ଧନିଆ-ଧନିଆ କାର୍ତ୍ତିକ ବା ମାର୍ଗଶିର ମାସରେ ବୁଣାଯାଏ । ଏକ ଏକର ଜମିରେ ୧୦୮ ତୋଳା ସେରର ୧୨ ସେର ଧନିଆ ବିହନ ଲାଗେ । ଏହାର ଚାଷ ସୋରିଷ ଚାଷପରି । ଧନିଆ ଓ ଧନିଆଶାଗ ଉଭୟେ ମଶଲା ସ୍ୱରୂପ ବ୍ୟବହାର ହୁଅନ୍ତି । ଧନିଆ ପତ୍ର ମଧ୍ୟ ଚଟଣି ହୁଏ-

 

ପାନମହୁରୀ-ପାନମହୁରୀ ମାର୍ଗଶିର ମାସରେ ବୁଣାଯାଏ । ଏକ ଏକରକୁ ୧୦୮ ତୋଳା ସେରର ୫ ସେର ବିହନ ଲାଗେ । ଏହାର ଚାଷ ଧନିଆ ଚାଷ ପରି ।

 

ହଳଦୀ–ହଳଦୀ ଜ୍ୟେଷ୍ଠ ବା ଆଷାଢ଼ ମାସରେ ଲଗା ହୁଏ ଏବଂ ପୌଷ ବା ମାଘ ମାସରେ ଖୋଳା ହୁଏ । ପୂର୍ବବର୍ଷର ହଳଦୀ ମୁଣ୍ଡା ମଞ୍ଜି ସ୍ୱରୂପ ରଖାହୁଏ । ହଳଦୀ ଦୁଇ ପ୍ରକାର; ଯଥା-ଦେଶୀ ହଳଦୀ ଓ କୁଆଁର ପୁରିଆହଳଦୀ । ଦୁଇ ଜାତୀୟ ହଳଦୀର ଚାଷ ଏକ ପ୍ରକାର । ହଳଦୀ ଦୋରସା ମାଟିରେ ଭଲ ହୁଏ । ପ୍ରଥମେ ଜମିକୁ ଚାଖଣ୍ଡେ ଗହୀର ଗୁଣ୍ଡା ଚାଷକରି ଖତ ଦେବ । ପରେ ଚାଖଣ୍ଡେ ଛଡ଼ାରେ ଶିଆର କରିବ । ହଳଦୀ ମୁଣ୍ଡାକୁ କେତେକ ଦିନ ପାଣିରେ ବତୁରାଇ ଛାଇତଳେ ଓଦା ବାଲିରେ ଶୁଖାଇ ପ୍ରତି ଶିଆରରେ ଚାଖଣ୍ଡେ ଛଡ଼ାରେ ଲଗାଇବ । ଗଛ ଚାଖଣ୍ଡେ ଉଚ୍ଚ ହେଲେ ତାହା ମୂଳକୁ ମାଟି ଦେବ । ଏହାକୁ ହଳଦୀ କୋଡ଼ା କହନ୍ତି । ପତ୍ର ଶୁଖିଗଲେ ହଳଦୀ ଖୋଳିବ । ହଳଦୀକୁ ପାଣିରେ ଶିଝାଇ ଅମଳ କରାଯାଏ । କୁଆଁରପୁରିଆ ହଳଦୀ ଏବର୍ଷ ନ ଖୋଳି ଅନ୍ୟ ବର୍ଷ ଖୋଳନ୍ତି ।

 

ଅଦା–ଅଦା ଛାଇ ତଳିଆ ବାଲିଆ ଜମିରେ ଭଲ ହୁଏ । ମାଟିକୁ ଗୁଣ୍ଡା ଚାଷକରି ହଳଦୀ ପରି ଲଗାଇବ । ଗଛ ଚାଖଣ୍ଡେ ଉଚ୍ଚ ହେଲେ ତାହାକୁ କୋଡ଼ି ଦେବ । ମଧ୍ୟରେ ଗଛ ମୂଳରେ ପିଡ଼ିଆ ଓ ଖତ ଦେବ । ଗଛ ଚାଖଣ୍ଡକରୁ ବେଶି ଉଚ୍ଚ ହେଲେ ତାହାର ଏକ ପାଖ ଖୋଳି ବଡ଼ ବଡ଼ ଅଦା ବାହାର କରି ଆଣିବ । ଯେପରି ଗଛ ମରି ନ ଯାଏ । ଗଛ ମଲେ ପୁଣି ସବୁ ଅଦା ଖୋଳି ଆଣିବ । ଅଦା ଜ୍ୟେଷ୍ଠ ମାସରେ ଲଗାଯାଏ ।

 

ପିଆଜ–ପିଆଜ କାର୍ତ୍ତିକ ମାସରେ ଲାଗେ ଏବଂ ମଟାଳ ଓ ଦୋରସା ମାଟିରେ ଭଲ ହୁଏ । ମାଟିକୁ ଗୁଣ୍ଡା ଚାଷ କରି, ଖତ ଦେଇ କିଆରୀ ବାନ୍ଧିବ । ପ୍ରତି କିଆରୀରେ ଚାଖଣ୍ଡେ ଛଡ଼ାରେ ଶିଆର କାଟିବ । ପ୍ରତି ଶିଆରରେ ଚାଖଣ୍ଡେ ଛଡ଼ାରେ ପିଆଜ ମଞ୍ଜି ପୋତିବ । ଗଛ ମୂଳରେ ଆବଶ୍ୟକ ମତେ ପାଣି ମଡ଼ାଉଥିବ । ଗଛ ଚାଖଣ୍ଡେ ଉଚ୍ଚ ହେଲେ ମୂଳକୁ କୋଡ଼ି ଦେବ ଓ ମୂଳରେ ଖତ ଓ ପିଡ଼ିଆ ଦେବ । ଗଛ ମଲା ପରେ ପିଆଜ ଖୋଳି ନେବ ।

 

ରସୁଣ-ରସୁଣ ଚାଷ ଠିକ୍‌ ପିଆଜଚାଷ ପରି ।

 

ଧୂଆଁପତ୍ର-ଧୂଆଁପତ୍ର କାର୍ତ୍ତିକ ବା ମାର୍ଗଶିର ମାସରେ ଲାଗେ । ଏହା ଦୋରସା ଓ ପଟୁ ମାଟିରେ ଭଲ ହୁଏ । ଏଣୁ କରି ଲୋକେ ଏହାକୁ ନଈ କୂଳରେ ଲଗାନ୍ତି । ମାଟିକୁ ଗୁଣ୍ଡା ଚାଷ କରି ଖତ ମିଶାଇ ହାତେ ହାତେ ଛଡ଼ାରେ ଶିଆର କାଟିବ । ଏଣେ ଧୂଆଁପତ୍ର ମଞ୍ଜି ତଳି ପକାଇଥିବ । ତଳି ପ୍ରାୟ ଆଠ ଆଙ୍ଗୁଳ ଉଚ୍ଚ ହେଲେ ତାହାକୁ ଉପାଡ଼ି ପ୍ରାୟ ଏକ ଫୁଟ ଛଡ଼ାରେ ପ୍ରତି ଶିଆରରେ ଗୋଟିଏ ଗୋଟିଏ ଗଛ ଲଗାଇବ । ଗଛ ବଞ୍ଚିବାପାଇଁ କିଆରୀରେ ପାଣି ମଡ଼ାଇବ । ଦିନବେଳେ ଛାଇ କରିବ । ଗଛସବୁ ଚାଖଣ୍ଡେ ଉଚ୍ଚ ହେଲେ ତାହାର ମୂଳକୁ କୋଡ଼ିଦେବ । ଗଛ ବଡ଼ ହେଲେ କିଆରୀ ବାଛି ଦେବ । ଏହି ସମୟରେ ମୂଳ ପତ୍ର ସବୁ ଉଞ୍ଛି ଦେଇ ଗଛର ଅଗ ଭାଙ୍ଗି ଦେବ । ଏପରି କଲେ ଗଛ ଚକାଧରେ । କିଆରୀ ଶୁଖିଗଲେ ସେଥିରେ ପାଣି ମଡ଼ାଉଥିବ । ମଞ୍ଜି ପାକଳ ହେଲେ ଓ ପତ୍ର ପାଚି ହଳଦିଆ ହୋଇଗଲେ ଗଛକୁ କାଟିଆଣି ଖରାରେ ଶୁଖାଇବ । କାଟିଲା ପରେ ମଧ୍ୟ ମୂଳରୁ କୁଆଁ ବାହାରି ପୁଣି ଗଛହୁଏ । ଏହି ସବୁଗଛ ଉପଯୁକ୍ତ ହେଲେ ପୁନର୍ବାର କାଟି ଆଣିବ। ଶୁଖିଲା ଧୂଆଁ ପତ୍ର ଗଛକୁ ମେଣ୍ଟା ବାନ୍ଧି, ଧାନ ପରି ଖଣିରେ ପୋତି ପକାଇବ । ଦୁଇମାସପରେ ଖଣିରୁ ଧୁଆଁପତ୍ର ବାହାର କରିବ । ଧୁଆଁପତ୍ର ମଞ୍ଜିରୁ ମଧ୍ୟ ଏକ ପ୍ରକାର ତେଲ ବାହାରେ । ଧୁଆଁପତ୍ର ଏକ ପ୍ରକାର ଲାଭଜନକ ଫସଲ । ଏକ ଏକର ଜମିରେ ପ୍ରାୟ ତିନିଶ ଚାରିଶ ଟଙ୍କାର ଧୁଆଁପତ୍ର ଆମଦାନୀ ହୋଇପାରେ ।

 

ପାନ-ପାନ ବାଲି ବା ଦୋରସା ମାଟିରେ ଭଲ ହୁଏ । ବୈଶାଖ ବା ଜ୍ୟେଷ୍ଠମାସରେ ପାନ ଲଗାଯାଏ । ପାନ ଯହିଁରେ ଲଗାଯାଏ ତାହାକୁ ବରଜ କହନ୍ତି । ଦୁଇ ଏକର ଜମିରେ ଗୋଟିଏ ବଡ଼ ବରଜ ହୋଇପାରେ । ବରଜ ସ୍ଥାନକୁ ମାଟି ପକାଇ ଉଚ୍ଚ କରିବ । ତାହାକୁ ଚାଷକରି ଇଙ୍କଡ଼ ବାଡ଼ ଦେବ ଓ ଉପରେ ଇଙ୍କଡ଼ ତାଟି ଘୋଡ଼ାଇବ । ଚାଖଣ୍ଡେ ଛଡ଼ାରେ ଗୋଟିଏ ଗୋଟିଏ ପାନ ଲତା ଲଗାଇବ । ଲତା ମାଡ଼ିବା ପାଇଁ ଗୋଟିଏ ଗୋଟିଏ ଇଙ୍କଡ଼ ପୋତିବ । ଲତା ବେଶି ମାଡ଼ି ଗଲେ, ତାହାର ପତ୍ର ତୋଳି ନେଇ, ତାହାକୁ ଖସାଇ ଆଣି ପୁନର୍ବାର ଅଗ ପାଖ ଗଣ୍ଠି ମାଟିରେ ପୋତି ଦେବ । ମଝିରେ ମୂଳରେ ପିଡ଼ିଆ ଦେବ । ପାନକୁ ପ୍ରତିଦିନ ପାଣି ଦରକାର । ଏଣୁ କରି ପାଖରେ ଛୋଟ ପୋଖରୀ ଖୋଳିଥିବ । ପାନ ଏକ ଲାଭଜନକ ଫସଲ । ଗୋଟିଏ ବରଜରେ ମାସକୁ ୩୦ ବା ୪୦ ଟଙ୍କା ଆମଦାନୀ ହୋଇପାରେ ।

 

ଶର୍କରା ପ୍ରଦ ଫସଲ

 

ଆଖୁ-ଚୈତ୍ର ବା ବୈଶାଖ ମାସରେ ଆଖୁ ଲଗାଯାଏ । ମଟାଳ ମାଟିରେ ଆଖୁ ଭଲହୁଏ-। ଜମିକୁ ପନ୍ଦର ବା ଷୋଳ ଓଡ଼ ଚଷି ଦୁଇହାତ ଅନ୍ତରରେ ଗୋଟିଏ ଗୋଟିଏ ଶିଆର କାଟିବ । ସେହି ଶିଆରମାନଙ୍କରେ ଗୋବର ଓ ପିଡ଼ିଆ ଖତଦେଇ ମାଟି ଚଢ଼ାଇଦେବ । ଅନନ୍ତର ଆଖୁର ଗଣ୍ଠିଠାରୁ ଦୁଇପାଖରେ ଚାରିଆଙ୍ଗୁଳ ଲେଖାଏଁ ଆଖୁ ରଖି, ଖଣ୍ଡ ଖଣ୍ଡ କରି କାଟି ସେହିସବୁ ଖଣ୍ଡକୁ ଏକ ଏକ ହାତ ଅନ୍ତର ପ୍ରତି ଶିଆରରେ ଲଗାଇ ପାଣିଦେବ । ଗଛ ଚାଖଣ୍ଡେ ଚାଖଣ୍ଡେ ଉଚ୍ଚହେଲେ ତାହା ମୂଳକୁ ମାଟି ଆଉଜାଇ ଦେବ । କିଆରୀ ଶୁଖିଗଲେ ପାଣି ମଡ଼ାଇ ଦେଉଥିବ ।

 

ବହୁ ବାର୍ଷିକ ଫଳପ୍ରଦବୃକ୍ଷ

 

ନଡ଼ିଆ, ଆମ୍ବ, ପଣସ,ତେନ୍ତୁଳୀ, କମଳାଲେମ୍ବୁ ଓ ପିଜୁଳି ପ୍ରଭୃତି ବହୁବାର୍ଷିକ ଫଳପ୍ରଦ ବୃକ୍ଷ । ଏସବୁର ଚାଷ ପ୍ରଣାଳୀ ଏକପ୍ରକାର । ଏ ସବୁର ମଞ୍ଜିକୁ ଗଛକରି ଉପଯୁକ୍ତ ବ୍ୟବଧାନରେ ଲଗାଇବ । ନଡ଼ିଆ ଓ ପଣସ ପ୍ରଭୃତି ଦୋରସା ମାଟିରେ ଭଲହୁଏ । ଭଲ ଫଳର ମଞ୍ଜି ଲଗାଇଲେ ଭଲ ଫଳହୁଏ । ନଡ଼ିଆ ପ୍ରଭୃତି ଶାଖାହୀନ ବୃକ୍ଷଛଡ଼ା ଅନ୍ୟବୃକ୍ଷର କଲମ ହୋଇପାରେ । ଗଛ କଲମ କରିବା ସମ୍ବନ୍ଧରେ ପୂର୍ବରୁ କୁହାଯାଇଅଛି । ଆମ୍ବଗଛ ବଉଳହୋଇ ଚଣା ହେଲେ ପିଚକାରୀ ଦ୍ୱାରା ଏହିସବୁ ଚଣା ଉପରେ ଜଳ ସେଚନ କରିବା ବିଧି । ଏପରିକଲେ ଚଣା ଝଡ଼ି ନ ପଡ଼ି ଆମ୍ବ ହୁଏ । ଏହିସବୁ ଗଛ ଉଚ୍ଚସ୍ଥାନରେ ଲଗାଇବା ଉଚିତ; ଯେପରି ପାଣି ନ ଜମେ । ଏହିସବୁ ଫଳପ୍ରଦ ଗଛମାନଙ୍କ ମଧ୍ୟରେ ନଡ଼ିଆ ବିଶେଷ ଲାଭ ଜନକ । ଗୋଟିଏ ଗଛର ବର୍ଷକୁ ପ୍ରାୟ ୫ ଟଙ୍କା ଆମଦାନୀ ହୋଇପାରେ । ଏହିସବୁ ଗଛ ମୂଳରେ ଗେଣ୍ଡା, ଶାମୁକା ଓ ଛୋଟ ମାଛ ଖତ ସ୍ୱରୂପ ଦିଆଯାଏ ।

Image

 

ପଞ୍ଚମ ଅଧ୍ୟାୟ

ଗୋମହିଷାଦି ଗୃହପାଳିତ ପଶୁ

 

ପ୍ରାଚୀନ କାଳରେ ଗୋଜାତି ଭାରତବାସୀର ପ୍ରଧାନ ସହାୟ ଥିଲା । ଭୂମି କର୍ଷଣରେ କେବଳ ଯେ ଗୋଜାତିର ଆବଶ୍ୟକ ଥିଲା, ତାହା ନୁହେଁ; ଗୋଦୁଗ୍ଧ ଓ ତଜ୍ଜନିତ ପଦାର୍ଥ ଭାରତବାସୀର ପ୍ରଧାନ ଖାଦ୍ୟ ଥିଲା । ଏଣୁ ଗୋଜାତି ଭାରତୀୟ ପକ୍ଷରେ ତାହାର ପ୍ରଧାନ ଧର୍ମଗ୍ରନ୍ଥ ବେଦ ତୁଲ୍ୟ ପୂଜନୀୟ ଥିଲା । ଗୋରୁ ନ ଖାଇଲେ ଭାରତୀୟ କୃଷକ ଅନ୍ନ ଜଳ ସ୍ପର୍ଶ କରୁ ନ ଥିଲା । ଏହିପରି ଭାରତବାସୀ କୃଷି ଓ ତହିଁର ପ୍ରଧାନ ସହାୟ ଗୋଜାତି ଉପରେ ନିର୍ଭର କରି ଶାନ୍ତିମୟ ଜୀବନ ଯାପନ ପୂର୍ବକ ନାନା ଉଚ୍ଚ ଚିନ୍ତାରେ ସମୟ ଅତିବାହିତ କରୁଥିଲା । କିନ୍ତୁ ଆଜି ସେ ଯୁଗ ନାହିଁ । ଗୋଜାତିର ଅବନତି ସଙ୍ଗେ ସଙ୍ଗେ ଭାରତବାସୀର ଶାରୀରିକ ଓ ମାନସିକ ଅବନତି ଘଟିଅଛି ଓ ଭାରତ ନାନା ଜାତିର କ୍ରୀଡ଼ାଭୂମି ହୋଇଅଛି । କେହି କେହି କହନ୍ତି ଭାରତରେ ଗୋଜାତିର ଅବନତିର ପ୍ରଧାନ ହେତୁ ମୁସଲମାନ ଓ ଇଂରାଜ; କାରଣ ମୁସଲମାନମାନେ ଗୋରୁ ମାରି ତାହାର ମାଂସ ଭକ୍ଷଣ କରୁଅଛନ୍ତି ଓ ଇଂରାଜମାନେ ଶାସନକର୍ତ୍ତା ହୋଇ ସୁଦ୍ଧା ତାହାର କୌଣସି ପ୍ରତିକାର କରୁ ନାହାନ୍ତି କିମ୍ବା ପ୍ରତିବର୍ଷ ବିଦେଶକୁ ଯେଉଁ ସହସ୍ର ସହସ୍ର ଗୋରୁ ରପ୍ତାନି ହେଉଛନ୍ତି–ତାହା ବନ୍ଦ କରୁ ନାହାନ୍ତି । ଅବଶ୍ୟ ଉଲ୍ଲିଖିତ ଉକ୍ତି କେତେକାଂଶରେ ସତ୍ୟ ହୋଇପାରେ; କିନ୍ତୁ ଟିକିଏ ପ୍ରଣିଧାନ କରି ଦେଖିଲେ ବୁଝାଯିବ ଯେ ଗୋଜାତିର ଅବନତିର ପ୍ରଧାନ ହେତୁ କେବଳ କୌଣସି ବିଦେଶୀୟ ଜାତି ନୁହେଁ ବା ଭାରତର କୌଣସି ବିଶେଷ ଜାତି ନୁହେଁ;ଏଥି ନିମନ୍ତେ ସମସ୍ତ ଭାରତବାସୀ ଦାୟୀ ।

 

ଅବଶ୍ୟ ଇଂରାଜ ଗୋଖାଦକ ଜାତି ଓ ଭାରତବାସୀ ହିନ୍ଦୁ ଗୋପୂଜକ ଜାତି । ବର୍ତ୍ତମାନ ଦେଖାଯାଉ ଗୋଜାତିର ଉନ୍ନତି କଳ୍ପେ ଇଂରାଜ କଣ କରିଅଛି ଓ ହିନ୍ଦୁ କଣ କରିଅଛି । ଇଂରାଜ ପ୍ରଧାନତଃ ବ୍ୟବସାୟୀ ଜାତି ହେଲେ ସୁଦ୍ଧା ସେମାନଙ୍କ ମଧ୍ୟରେ କୃଷିଜୀବୀ ଅଛନ୍ତି । ଇଂରାଜ ମଧ୍ୟ ଗୋଖାଦକ ଜାତି । ଏଣୁ ସେମାନେ ଦୁଇ ପ୍ରକାର ଗୋରୁ ପୋଷୁଛନ୍ତି । ଏକ ପ୍ରକାର ମାଂସ ନିମନ୍ତେ ଓ ଅନ୍ୟ ପ୍ରକାର ଦୁଧ ନିମନ୍ତେ । ଯେଉଁ ମାନେ ମାଂସ ନିମନ୍ତେ ପୋଷା ହୋଇଥାନ୍ତି ସେମାନେ ପ୍ରାୟ ଦୁଗ୍ଧ ଦିଅନ୍ତି ନାହିଁ, କିନ୍ତୁ ସେମାନେ ଦୁଗ୍ଧପ୍ରଦ ଗୋରୁ ଅପେକ୍ଷା ଅଧିକ ହୃଷ୍ଟ ପୁଷ୍ଟ । ଯେଉଁ ସବୁ ଗୋରୁ ଦୁଗ୍ଧ ନିମନ୍ତେ ପୋଷା ହୋଇଥାନ୍ତି, ସେମାନେ ପ୍ରଥମ ଜାତୀୟ ଗୋରୁ ଅପେକ୍ଷା ବେଶି ହୃଷ୍ଟପୁଷ୍ଟ ନ ହେଲେ ମଧ୍ୟ ଭାରତୀୟ ଗୋରୁ ଅପେକ୍ଷା ଯଥେଷ୍ଟ ହୃଷ୍ଟପୁଷ୍ଟ । ସେ ଜାତୀୟ ଗୋଟିଏ ଗାଈ ଥରକୁ ସେ ୪୦ର ପର୍ଯ୍ୟନ୍ତ ଦୁଧ ଦିଏ । ଭାରତୀୟ ଦୁଗ୍ଧବତୀ ଗାଭୀ ସାଧାରଣତଃ ଥରକୁ ପ୍ରାୟ ଅଧସେର ପରିମାଣର ଦୁଧ ଦିଏ । ଏହିପରି ଭାବରେ ଦେଖିଲେ ୮୦ଗୋଟି ଭାରତୀୟ ଗାଭୀ ଗୋଟିଏ ବିଲାତି ଗାଭୀ ସହିତ ସମାନ ।

 

ପ୍ରାୟ ଦୁଇଶ ବର୍ଷ ପୂର୍ବରେ ଇଂଲଣ୍ଡରେ ଗୋଜାତିର ଅବସ୍ଥା ଅତି ଶୋଚନୀୟ ଥିଲା । ସେମାନେ ଭାରତୀୟ ଗୋରୁ ଅପେକ୍ଷା କୌଣସି ଅଂଶରେ ଶ୍ରେଷ୍ଠ ନ ଥିଲେ । କିନ୍ତୁ ଆଜିକାଲି ଇଂଲଣ୍ଡ ବାସୀଙ୍କର ପ୍ରଗାଢ଼ ଯତ୍ନ ଯୋଗୁଁ ସେହି ଗୋଜାତିର ଅବସ୍ଥା ଏତେଦୂର ଉନ୍ନତ ହୋଇଅଛି ।

 

ଏହା ଧ୍ରୁବ ଯେ ଭଲ ମଞ୍ଜିରୁ ଭଲ ଗଛ ହୁଏ । ସେହି ନିୟମାନୁଯାୟୀ ଦୁଧିଆଳୀ ଗାଈଠାରୁ ଜାତ ଗାଈ ନିଶ୍ଚୟ ବେଶି ଦୁଧ ଦେବ ଓ ବଳିଷ୍ଠ ଷଣ୍ଢର ବାଛୁରୀ ନିଶ୍ଚୟ ବଳିଷ୍ଠ ହେବ । ଯଦି ଷଣ୍ଢ ଦୁଧିଆଳୀ ଗାଈଠାରୁ ଜାତ ଓ ବଳିଷ୍ଠ ହୋଇଥିବ ଓ ଗାଈ ଦୁଧିଆଳୀ ଥିବ, ତାହାହେଲେ ଏମାନଙ୍କ ଠାରୁ ଜାତ ଗାଈ ନିଶ୍ଚୟ ଅଧିକ ଦୁଧିଆଳୀ ହେବ । ଏପରି ଭାବରେ ଜାତ ଅଣ୍ଡିରା ବାଛୁରୀ ବଡ଼ ହେଲେ ବଡ଼ ବଳଦ କିମ୍ବା ବଡ଼ ଷଣ୍ଢ ହେବ । ଏପରି ବାଛୁରୀକୁ ଏ ଦେଶରେ ବଡ଼ଷଣ୍ଢିଆ ବାଛୁରୀ କହନ୍ତି।

 

ଏହି ନିୟମ ଅନୁଯାୟୀ ବାଛୁରୀ ଉତ୍ପନ୍ନ କରାଇ ଇଂରାଜ ଜାତି ଗୋଜାତିର ଏତେ ଦୂର ଉନ୍ନତି କରିଅଛନ୍ତି । ସେମାନେ ଦୁଧିଆଳୀ ଗାଈର ବାଛୁରୀକୁ ଷଣ୍ଢ କରି ପୋଷିଥାନ୍ତି । ତାହା ସଂସର୍ଗରୁ ଓ ଦୁଧିଆଳୀ ଗାଈଠାରୁ ଜାତ ଗାଈ ତାହା ମାଆ ଅପେକ୍ଷା ଅଧିକ ଦୁଧିଆଳୀ ହୁଏ ଓ ଦୁଧିଆଳୀ ନ ଥିବା ଗାଈଠାରୁ ଜାତ ଗାଈ ଦୁଧିଆଳୀ ନ ହେଲେ ମଧ୍ୟ ବଳିଷ୍ଠ ହୁଏ ଓ ଯଥା ସମୟରେ ମାଂସାର୍ଥ ବ୍ୟବହୃତ ହୁଏ । ଏପରି ଭାବରେ ଇଂଲଣ୍ଡ ପ୍ରଭୃତି ପାଶ୍ଚାତ୍ୟ ଦେଶ ମାନଙ୍କରେ ଦୁଧିଆଳୀ ଗାଈର ସଂଖ୍ୟା ବଢ଼ୁଅଛି ଓ ଅନ୍ୟ ଗାଈର ସଂଖ୍ୟା କମୁଅଛି ।

 

କିନ୍ତୁ ଆମ୍ଭମାନଙ୍କ ଦେଶରେ ଭଲ ଷଣ୍ଡ ପୋଷିବାର ବା ଭଲ ବାଛୁରୀ ଉତ୍ପନ କରାଇବାର କୌଣସି ନିୟମ ଲୋକେ ପାଳୁନାହାନ୍ତି । ଏଦେଶରେ କ୍ୱଚିତ୍‌ ଲୋକେ ଷଣ୍ଢ ପୋଷନ୍ତି-। ଅଧିକାଂଶ ବୁଲାଷଣ୍ଢ । ସାଧାରଣତଃ ଦେଖାଯାଏ ଯେଉଁ ଅଣ୍ଡିରା ବାଛୁରୀ ଭବିଷ୍ୟତରେ ଭଲ ବଳଦ ହେବାକୁ ଅନୁପଯୁକ୍ତ ବୋଧହୁଏ, ପୋଷିଥିବା ଲୋକ ତାହାକୁ ମହାଦେବଙ୍କ ନାମରେ ଷଣ୍ଢ କରି ଛାଡ଼ିଦିଏ । ଏପରି ଷଣ୍ଢ ନିଶ୍ଚୟ ଦୁର୍ବଳ ହେବ ଓ ତାହାର ବାଛୁରୀମଧ୍ୟ ଦୁର୍ବଳ ହେବେ । ଆଉମଧ୍ୟ ଏ ପ୍ରକାର ଷଣ୍ଢର ମାଲିକ କେହି ନଥାନ୍ତି ଓ କେହି ମଧ୍ୟ ଏହାର ତତ୍ତ୍ୱ ନିଅନ୍ତି ନାହିଁ । ସେ ଏଣେ ତେଣେ ବୁଲି ଚରେ; ଗଛ ମୂଳେ ଶୋଇ ସମୟ କଟାଏ । ବନପର୍ବତ ଅଞ୍ଚଳ ଛାଡ଼ିଦେଲେ ଅନ୍ୟସ୍ଥଳର ଲୋକେ ଆଜି କାଲି ଗୋଚାରଣ ଭୂମି ଖୁବ୍‌ କ୍ୱଚିତ୍‌ ରଖିଛନ୍ତି । ଏଣୁ ଏପରି ସ୍ଥଳରେ ଷଣ୍ଢ ପେଟ ପୁରାକରି ଚରିବାକୁ ନ ପାଇ ରାତିରେ କିମ୍ବା ଅନ୍ୟ ସୁବିଧା ସମୟରେ ଲୋକଙ୍କର ଫସଲ ନଷ୍ଟ କରେ । ଏପ୍ରକାର ଷଣ୍ଢର ବାଛୁରୀ କାହିଁକି ଅବା ଦୁର୍ବଳ ବା କ୍ଷୀଣକାୟ ନ ହେବ ? ଅତଏବ ଯଦି ଗୋଜାତିର ଉନ୍ନତି କରିବାକୁ ହୁଏ ତାହାହେଲେ ସର୍ବାଦୌ ଦୁଧିଆଳୀ ଗାଈର ବଡ଼ ବାଛୁରୀ ଷଣ୍ଢ କରି ପୋଷିବାକୁ ହେବ ଓ ତାହାର ଖାଇବା ପିଇବାର ସୁବ୍ୟବସ୍ଥା କରିବାକୁ ହେବ । ଅଳ୍ପ ବୟସ୍କ ବା ହଡ଼ା ଷଣ୍ଢର ବାଛୁରୀ ଦୁର୍ବଳ ହୁଅନ୍ତି । ଏଣୁ ଏପରି ଷଣ୍ଢଠାରୁ ବାଛୁରୀ ଜନ୍ମାଇବା ଉଚିତ ନୁହେଁ । ଏସବୁ ଗଲା ବାଛୁରୀ ଉତ୍ପନ୍ନ କରିବାର କଥା । କିନ୍ତୁ ଭଲ ବାଛୁରୀ ହେଲେ ଯେ ଭଲ ଗୋରୁ ହେବେ ଏପରି କିଛି ନିୟମ ନାହିଁ । ଭଲ ଗୋରୁ ବଢ଼ାଇବାକୁ ହେଲେ ଗୋରୁକୁ ଭଲକରି ଖାଇବାକୁ ଦେବାକୁ ହେବ । ଆଜି କାଲି ଏ ଦେଶର ଲୋକେ ଗୋରୁକୁ ଦେବତା ବୋଲି ମାନିଲେ ସୁଦ୍ଧା, ତାହାର ଖାଇବା ପିଇବା ବିଷୟରେ ନିତାନ୍ତ ଉଦାସୀନ । ବଳଦ କୃଷି କାର୍ଯ୍ୟରେ ଲାଗେ । ଏଣୁକରି ଲୋକ ବଳଦକୁ ମନ୍ଦାଏ କୁଣ୍ଡା ପାଣି ଦିଅନ୍ତି; କିନ୍ତୁ ଗାଈ ଓ ବାଛୁରୀର ଖାଦ୍ୟ ବିଷୟରେ ସେମାନେ ଅତି ଉଦାସୀନ । ଗ୍ରାମର ପ୍ରାନ୍ତଭାଗରେ ଯେଉଁ ସାମାନ୍ୟ ଗୋଚାରଣ ଭୂମି ଥାଏ ସେଠାରେ ଗ୍ରାମର ସବୁଗୋରୁ ପ୍ରତ୍ୟହ ଚରନ୍ତି । ସେ ସାମାନ୍ୟ ଭୂମିରେ କେତେ ଅବା ଘାସ ହେବ ? ଆଉ ମଧ୍ୟ ଏ ଦେଶବାସୀ ଗୋଟିଏ ସବଳକାୟ ଗୋରୁ ରଖିବା ଅପେକ୍ଷା ବହୁସଂଖ୍ୟକ ଦୁର୍ବଳ ଗୋରୁ ରଖିବାକୁ ପସନ୍ଦ କରନ୍ତି । ଏଣୁ କରି ସେହି ସାମାନ୍ୟ ଗୋଚର ଭୂମିର ଘାସ ଗ୍ରାମର ବହୁସଂଖ୍ୟକ ଗୋରୁଙ୍କୁ ଅକୁଳାନ ହୁଏ ଏବଂ ଅନେକ ସମୟରେ ବିଶେଷତଃ ଗ୍ରୀଷ୍ମ କାଳରେ ସେମାନେ ପଡ଼ିଆରେ ଠିଆ ହୋଇ ୨ ଆସନ୍ତି । ଏଥିରେ ସେମାନଙ୍କ ପେଟତ ପୂରେ ନାହିଁ ସହଜରେ, ଏହାଛଡ଼ା ସେମାନଙ୍କ ଉପରେ ଅନ୍ୟାନ୍ୟ ନାନା ପ୍ରକାର ବିପଦ ଆସିପଡ଼େ । ସମସ୍ତେ ଜାଣନ୍ତି ଯେ ମନୁଷ୍ୟ ଯେପରି ନାନା ପ୍ରକାର ସଂକ୍ରାମକ ରୋଗର ଅଧୀନ, ଗୋଜାତି ମଧ୍ୟ ସେହିପରି ଫାଟୁଆ, ବସନ୍ତ ପ୍ରଭୃତି ନାନା ସଂକ୍ରାମକ ବ୍ୟାଧିର ଅଧୀନ । ଯଦି ଗୋଟାଏ ପଡ଼ିଆରେ ଏକ ବା ଅଧିକ ଗ୍ରାମର ଗୋରୁ ଏକାଠି ଚରନ୍ତି, ତାହାହେଲେ ତାହା ମଧ୍ୟରୁ ଗୋଟାଏ ଗୋରୁ କୌଣସି ସଂକ୍ରାମକ ବ୍ୟାଧିଦ୍ୱାରା ଆକ୍ରାନ୍ତ ହେଲେ ଅନ୍ୟାନ୍ୟ ସମୁଦାୟ ଗୋରୁ ତଦ୍ୱାରା ଆକ୍ରାନ୍ତ ହେବାର ସମ୍ଭାବନା । ଅତଏବ ଗୋଟାଏ ପଡ଼ିଆରେ ସମସ୍ତ ଗୋରୁ ଚରାଇବା କୌଣସି ମତେ ବାଞ୍ଛନୀୟ ନୁହେଁ ।

 

ତାହାହେଲେ ଗୋରୁପାଇଁ କି ବନ୍ଦୋବସ୍ତ କରିବାକୁ ହେବ ? ଇଟାଲୀବାସୀ ଏ ସମ୍ବନ୍ଧରେ କି ବନ୍ଦୋବସ୍ତ କରିଅଛନ୍ତି,–ସେ ବିଷୟରେ କିଛିଦିନ ପୂର୍ବେ ଗଞ୍ଜାମ ଜିଲ୍ଲାର କଲେକ୍ଟର ମିଷ୍ଟର ଗ୍ୟାଲେଟୀ ‘ସ୍ଟେଟ୍‌ସମ୍ୟାନ’ ପତ୍ରିକାରେ ଗୋଟିଏ ସୁଚିନ୍ତିତ ପ୍ରବନ୍ଧ ପ୍ରକାଶ କରିଥିଲେ । ତାହାର ମର୍ମ ଏହି ଯେ ଇଟାଲୀର କୃଷକ ଏକ କ୍ଷେତ୍ରରେ ପ୍ରତିବର୍ଷ ଏକ ଫସଲ ନ କରି ପର୍ଯ୍ୟାୟକ୍ରମେ ଭିନ୍ନ ୨ ଫସଲ କରେ । ସେ ନିଜ କ୍ଷେତ୍ରକୁ ତିନି ଭାଗରେ ବିଭକ୍ତ କରି ଏକଭାଗରେ ତାହାର ନିଜ ଖାଦ୍ୟ ପାଇଁ ଫସଲ କରେ ଓ ଅନ୍ୟ ଦୁଇ ଭାଗରେ ତାହାର ଗୋରୁର ଖାଦ୍ୟ ପାଇଁ ଫସଲ କରେ । ଦ୍ୱିତୀୟ ବର୍ଷ ଯେଉଁ ଭାଗରେ ନିଜପାଇଁ ଫସଲ ହୋଇଥାଏ, ସେ ଭାଗ ଓ ଅନ୍ୟ ଗୋଟିଏ ଭାଗ–ଏପରି ଦୁଇ ଭାଗରେ ଗୋରୁପାଇଁ ଫସଲ କଲେ । ତୃତୀୟ ବର୍ଷ ତୃତୀୟ ଭାଗରେ ଅର୍ଥାତ୍ ଯେଉଁ ଭାଗରେ ଦୁଇ ବର୍ଷ ହେଲା ଗୋରୁ ପାଇଁ ଫସଲ ହେଉଥିଲା, ସେହି ଭାଗରେ ନିଜ ପାଇଁ ଫସଲ କରେ ଓ ଅବଶିଷ୍ଟ ଦୁଇ ଭାଗରେ ଗୋରୁ ପାଇଁ ଫସଲ କରେ । ଏହିପରି ଭାବରେ ବୈଜ୍ଞାନିକ ନିୟମ ଅନୁସାରେ କୃଷି କରି ୬ଏକର ଭୂମିଥିବା ଜଣେ ଇଟାଲୀ ଦେଶୀୟ ସାଧାରଣ କୃଷକ ତାହାର ପରିବାର ଓ ଗୋରୁ, ଗାଈ, ମେଣ୍ଢା, ଛେଳି, କୁକୁଡ଼ା ପ୍ରଭୃତି ସହିତ ଶାନ୍ତିରେ କାଳଯାପନ କରୁଅଛି । ତାହାର ଗୋଟିଏ ଗାଈ ଦିନକୁ ୩୦ ବା ୪୦ ସେର ପର୍ଯ୍ୟନ୍ତ ଦୁଧ ଦିଏ; ନିଜର ହୃଷ୍ଟପୁଷ୍ଟ ଛେଳି, ମେଣ୍ଢା,କୁକୁଡ଼ା ଥିବାରୁ ତାହାର ମାଂସର ଅଭାବ ନଥାଏ । ଆଉ ମଧ୍ୟ ମେଣ୍ଢାଲୋମ ବିକି କିଛି ୨ ପାଏ । ନିଜ କ୍ଷେତ୍ରରୁ ପରିବାର ପାଇଁ ବର୍ଷକର ଖାଦ୍ୟ ପାଏ । ତାହାର ସ୍ତ୍ରୀ କନ୍ୟା ବୁଣା ବୁଣି ଓ ସିଆଁ ସିଇଁ କରି କିଛି ୨ ରୋଜଗାର କରନ୍ତି । ଏଥିରେ ସେ ଅବା କାହିଁକି ଶାନ୍ତିରେ ନ ଚଳିବ ? ସେକାଳେ ଆମ ପୂର୍ବପୁରୁଷମାନେ ଏହିପରି ଭାବରେ ଶାନ୍ତିମୟ ଜୀବନ ଯାପନ କରୁଥିଲେ । କିନ୍ତୁ ଏବେ ଦେଖ ଭାରତୀୟ କୃଷକର ଅବସ୍ଥା । ଭାରତୀୟ କୃଷକକୁ ଦୁଇ ଓଳି ଭଲକରି ମୁଠାଏ ଖାଇବାକୁ ମିଳୁନାହିଁ, ତାହାର ଗୋ ସମ୍ପଦ ଆଜି ନାହିଁ କହିଲେ ଚଳେ । ସେ ଋଣଜାଲରେ ଆବଦ୍ଧ, ତାହାର କ୍ଷେତ୍ର ଖଣ୍ଡ ୨ ହୋଇ ବିକ୍ରି ହେବାରେ ଲାଗିଛି । ଏ ସବୁ କାହାର ଦୋଷ ? ଥାଇପାରେ ପରୋକ୍ଷ ଭାବରେ ଅନ୍ୟ କାହାରି ଦୋଷ; କିନ୍ତୁ ପ୍ରତ୍ୟକ୍ଷ ଭାବରେ ଦେଖାଯାଉଛି ଏହା ନିଜର ଦୋଷ । ଭାରତର କୃଷକ ଗୋମାତା ପ୍ରତି ଉଦାସୀନ ହୋଇଅଛି; ନିଶ୍ଚୟ ମାତୃ ଅଭିଶାପ ଭୋଗକରିବ । ଥାଉ ଏବେ ସେ କଥା ।

 

ପୂର୍ବେ କୁହାଯାଇ ଅଛି ଇଟାଲୀର କୃଷକ ଦୁଇଭାଗ ଗୋରୁପାଇଁ ଫସଲ କରେ ଓ ଭାଗେ ନିଜପାଇଁ କରେ । ଏକଥା ଆମ ଦେଶବାସୀଙ୍କୁ କିମିତି କିମିତି ବୋଧହେବ । କିନ୍ତୁ ଭାବିବା ଉଚିତ ଇଟାଲୀ କୃଷକ ନିହାତ୍‌ ବୋକାନୁହେଁ । ସେ ଭାଗକରେ ଯେତେ ଫସଲ ଉତ୍ପନ୍ନକରେ ଭାରତୀୟ କୃଷକ ସମୁଦାୟ କ୍ଷେତ୍ରରୁ ତାହାର ଅର୍ଦ୍ଧ ପରିମାଣରେ ଆମ ଦାନୀ କରିପାରନ୍ତା ନାହିଁ । ଏହାଛଡ଼ା ତାହାର ଗୋ ସମ୍ପଦ ଅଛି । ମିଷ୍ଟର ଗ୍ୟାଲେଟୀ ଏସବୁ ହିସାବକରି ତାହାଙ୍କ ପ୍ରବନ୍ଧରେ ଦେଖାଇ ଦେଇଛନ୍ତି । ମୂଳକଥା ଇଟାଲୀ କୃଷକ ବୈଜ୍ଞାନିକ ପ୍ରଣାଳୀରେ ଚାଷ କରେ, ଭାରତର କୃଷକ ସେପରି କରେ ନାହିଁ । ଯଦି ଭାରତର କୃଷକ ବୈଜ୍ଞାନିକ ପ୍ରଣାଳୀରେ ଚାଷ କରନ୍ତା ତେବେ ତାହାର ଗୋ ସମ୍ପଦ ଫେରି ପାଆନ୍ତା ଓ ତଦ୍ୱାରା ତାହାର ସବୁ ଦୁଃଖ ଦୂର ହୁଅନ୍ତା ।

 

ଆମ ଦେଶରେ ଗୋରୁପାଇଁ ଫସଲ କରିବାର ପ୍ରଥା ଆଦୌ ପ୍ରଚଳିତ ନାହିଁ । ଏହା ପାଶ୍ଚାତ୍ୟ ଦେଶର ପ୍ରଚଳିତ । ଏହାଦ୍ୱାରା ସେମାନେ ଶୁଭଫଳ ପାଉଥିବା କଥା ପୂର୍ବରେ କୁହାଗଲା-। ଏଣୁ ଆମ ଦେଶରେ କୃଷକମାନଙ୍କର ଏହି ନୂଆ ନିୟମ ପାଳନ କରିବା ଉଚିତ । ପ୍ରଥମତଃ ସେମାନଙ୍କର ନିଜର ଭୂମିର ଅନୁପାତରେ ଗୋରୁ ରଖିବା ଉଚିତ ଓ ନିଜ ଭୂମିର କେତେକାଂଶରେ ଗୋରୁପାଇଁ ଫସଲ କରିବା ଉଚିତ । ଗୋରୁପାଇଁ ସୁଆଁଦୁବ ପ୍ରଭୃତି ନାନାପ୍ରକାର ଘାସ ଫସଲ କରିବା ଉଚିତ । ଖରାଦିନପାଇଁ ସେ ସବୁ ଘାସ କାଟି ଶୁଖାଇ ରଖିବା ଉଚିତ; କାରଣ ସେ ସମୟରେ ଘାସ ଜନ୍ମେନାହିଁ । ନଡ଼ା, କୁଟା, ବ୍ରୀହିବୋତି, ମୁଗବୋତି ପ୍ରଭୃତି ବର୍ଷା ଓ ଶରତ୍‌ କାଳ ପାଇଁ ସଞ୍ଚୟକରି ରଖିବା ଉଚିତ।

 

ପୂର୍ବରେ ଯେଉଁ ଘାସ କୁଟା କଥା କୁହାଗଲା, ତାହା ଗୋ ମହିଷ୍ୟାଦିର ଏକମାତ୍ର ଖାଦ୍ୟ ନୁହେଁ କିମ୍ବା ସେ ସବୁ ସେତେ ପୁଷ୍ଟିକର ନୁହେଁ । ଅତଏବ ସେମାନଙ୍କ ପାଇଁ ଅନ୍ୟାନ୍ୟ ଫସଲ କରିବା ଉଚିତ । କୋଳଥ, ବ୍ରୀହି, ମୁଗ ପ୍ରଭୃତି ଗୋରୁର ଅତି ପୁଷ୍ଟିକର ଖାଦ୍ୟ । ବ୍ରୀହି, ମୁଗ ଓ ହରଡ଼ ପ୍ରଭୃତି ମନୁଷ୍ୟର ନାନା ବ୍ୟବହାରରେ ଲାଗେ । କୃଷକ ସେ ସବୁ ଗୋରୁକୁ ନିୟମିତରୂପେ ଯୋଗାଇ ନ ପାରିଲେ ସୁଦ୍ଧା, ସେ ସବୁର ଚୋପା ତୋରାଣିରେ ଗୋଳାଇ ଗୋରୁକୁ ଦେଇପାରେ-। କୋଳଥ ମନୁଷ୍ୟ ପକ୍ଷରେ ପୁଷ୍ଟିକର ନୁହେଁ, କିନ୍ତୁ ଗୋରୁ ପକ୍ଷରେ ପୁଷ୍ଟିକର । ଏଥିପାଇଁ ଲୋକେ ଏହାକୁ ଘୋଡ଼ାଦାନା ବୋଲି କହନ୍ତି । ଇଂରାଜିରେ ମଧ୍ୟ ସେଇଆ (horse-gram) କହନ୍ତି । ଗୋଦୁଗ୍ଧ ଓ ତଜ୍ଜନିତ ଖାଦ୍ୟ ମନୁଷ୍ୟର ପକ୍ଷରେ ଶ୍ରେୟଷ୍କର । ମନୁଷ୍ୟ ଲୋଭ ନ କରି ଗୋରୁର ଖାଦ୍ୟ କୋଳଥ ଗୋରୁକୁ ଖାଇବାକୁ ଦେଲେ, ପ୍ରତିବଦଳରେ ତାହାର ନିଜର ଉପଯୋଗୀ ଖାଦ୍ୟ ଯଥେଷ୍ଟ ପାଇପାରିବ । ଲୋଭକରି ଗୋରୁ ଘୋଡ଼ାଦାନା ନିଜେ ଉଦରସ୍ଥ କଲେ, ପରିଶେଷରେ ତାହାହିଁ ମିଳିବ ନାହିଁ । ଏହି କୋଳଥ ପ୍ରଭୃତିକୁ ଗୋରୁ ପାଇଁ ଛାଡ଼ିଥିବା ଭୂମିରେ ଉପଯୁକ୍ତ ମନେକଲେ ପର୍ଯ୍ୟାୟକ୍ରମେ କରାଯାଇପାରେ ।

 

ଗୋରୁଙ୍କୁ ଯାହା ଖାଇବାକୁ ଦିଆଯାଏ ତାହାକୁ ଭିଜାଇ, ପାଣି ବା ତୋରାଣି ସଙ୍ଗରେ ଖାଇବାକୁ ଦେଲେ, ସେମାନେ ଭଲକରି ଖାଇପାରନ୍ତି । କୋଳଥକୁ ପାଣି ରେ ଭଲକରି ଭିଜାଇବ-। ନତୁବା ସିଝାଇଦେବ । ପରେ ତୋରାଣି ବା କୁଣ୍ଡାପାଣି ରେ ମିଶାଇ ଖାଇବାକୁ ଦେବ । ବ୍ରୀହି ଓ ମୁଗ ପ୍ରଭୃତିକୁ ରଗଡ଼ିଦେଇ ପାଣି ବା ତୋରାଣିରେ ଭିଜାଇ ଖାଇବାକୁ ଦେବ । ବ୍ରୀହିଚୋପା ଓ ମୁଗଚୋପା ପ୍ରଭୃତି ସେହିପରି ଦିଆଯାଏ ।

 

ଧାନକୁ କୁଟିଦେଇ ତସୁ ସହିତ ପାଣିରେ ଭିଜାଇ ତୋରାଣି ବା ପାଣି ସହିତ ଗୋରୁଙ୍କୁ ଦିଆଯାଏ । ଏହାକୁ କୁଳୁଚି କହନ୍ତି । କୁଳୁଚି ଗୋରୁଙ୍କର ଗୋଟିଏ ଭଲ ଖାଦ୍ୟ ।

 

ଖାଲି ନଡ଼ା ଖାଇବାକୁ ଦେବା ଅପେକ୍ଷା ତାହାକୁ ଭୁଷିକର ଖାଇବାକୁ ଦେବା ଉଚିତ । ନଡ଼ାକୁ ଚାରି ଚାରି ଆଙ୍ଗୁଳ ଲମ୍ବରେ କାଟି ତାହାକୁ ପାଣିରେ ଭିଜାଇବ । ପରେ ତୋରାଣିରେ ମିଶାଇ ଗଣ୍ଡାଏ ଲୁଣପକାଇ ଗୋରୁକୁ ଖାଇବାକୁ ଦେବ ଏହାକୁ ଭୁଷି କହନ୍ତି । ବ୍ରୀହି ବା ମୁଗବୋତିକୁ ଖାଲି ଖାଇବାକୁ ନ ଦେଇ ଏହିପରି ତୋରାଣି ବା ପାଣିରେ ମିଶାଇ ଖାଇବାକୁ ଦେବା ଉଚିତ ।

 

ପିଡ଼ିଆ ଗୋରୁଙ୍କର ଗୋଟିଏ ପୁଷ୍ଟିକର ଖାଦ୍ୟ । ପିଡ଼ିଆକୁ ଚୂନାକରି ପୂର୍ବପ୍ରକାର ଗୋରୁଙ୍କୁ ଖାଇବାକୁ ଦେବ ।

 

କପାମଞ୍ଜି ଗୋରୁଙ୍କର ଗୋଟିଏ ଭଲ ଖାଦ୍ୟ । କପାମଞ୍ଜିକୁ ସେହିପରି ଖାଇବାକୁ ଦିଆଯାଏ ।

 

ନଡ଼ିଆକୋରା ମଧ୍ୟ ଗୋରୁଙ୍କୁ ଖାଇବାକୁ ଦିଆଯାଏ । ଲୁଣ ମନୁଷ୍ୟ ପକ୍ଷରେ ଯେପରି ଆବଶ୍ୟକୀୟ, ଗୋରୁ ପକ୍ଷରେ ମଧ୍ୟ ସେହିପରି । ଏହାର ଖାଦ୍ୟ ଜୀର୍ଣ୍ଣ କରାଇବାର ଶକ୍ତି ଅଛି । ଏଣୁ ପ୍ରତିଦିନ ଖାଦ୍ୟରେ ଉପଯୁକ୍ତ ପରିମାଣରେ ଲୁଣ ମିଶାଇ ଗୋରୁଙ୍କୁ ଖାଇବାକୁ ଦେବ । ଅନେକ ରୋଗ ସମୟରେ ଲୁଣ ସେମାନଙ୍କ ପକ୍ଷରେ ଔଷଧର କାର୍ଯ୍ୟ କରେ । ଆମ ଦେଶରେ ପ୍ରାୟ କେହି ପ୍ରତିଦିନ ଗୋରୁଙ୍କୁ ଲୁଣ ଖାଇବାକୁ ଦେଉନାହାନ୍ତି ।

 

ଏହିପରି ମନୁଷ୍ୟପରି ଗୋରୁଙ୍କର ନାନା ଖାଦ୍ୟ ଅଛି । ବାହୁଲ୍ୟ ଭୟରେ ସମୁଦାୟର ଏଠାରେ ଉଲ୍ଲେଖ ହେଲା ନାହିଁ । ଏବେ ଖାଦ୍ୟର ବିଷୟ ଗଲା । ବର୍ତ୍ତମାନ ସେମାନଙ୍କୁ କିପରି ଅବସ୍ଥାରେ ପୋଷିବାକୁ ହେବ, ସେଥିର ବିଷୟ ଟିକିଏ ଆଲୋଚନା କରିବା ।

 

ମନୁଷ୍ୟମାନଙ୍କ ପକ୍ଷରେ ଯେପରି ଅମ୍ଳଜାନ ଆବଶ୍ୟକ ଓ ଅଙ୍ଗାରକାମ୍ଳ ବିଷ ସ୍ୱରୂପ, ପଶୁମାନଙ୍କ ପକ୍ଷରେ ମଧ୍ୟ ସେହିପରି । ଏଣୁ ସେମାନେ ଯେଉଁ ଗୁହାଳରେ ରହିବେ, ସେଥିରେ ବାୟୁ ଗମନାଗମନର ବିଶେଷ ସୁବିଧା ଥିବା ଆବଶ୍ୟକ । ନୋହିଲେ ସେମାନଙ୍କ ସ୍ୱାସ୍ଥ୍ୟର ହାନି ଘଟିବ । ସେମାନେ ଯେଉଁ ପ୍ରଶ୍ୱାସବାୟୁ ତ୍ୟାଗ କରନ୍ତି ସେଥିରେ ଅଙ୍ଗାରକାମ୍ଳ ବାଷ୍ପ ବିଶେଷ ପରିମାଣରେ ଥାଏ ଓ ଉନ୍ମୁକ୍ତ ବାୟୁରେ ଅମ୍ଳଜାନ ବାଷ୍ପ ବିଶେଷ ପରିମାଣରେ ଥାଏ । ଏଣୁ ଗୁହାଳରେ ବାୟୁ ସଞ୍ଚାଳନର ବିଶେଷ ପରିମାଣରେ ଥାଏ । ଏଣୁ ଗୁହାଳରେ ବାୟୁ ସଞ୍ଚାଳନର ବିଶେଷ ବନ୍ଦୋବସ୍ତ ନ ଥିଲେ ସେମାନେ ପ୍ରଶ୍ୱାସବାୟୁ ନିଶ୍ୱାସ ସ୍ୱରୂପ ଗ୍ରହଣ କରିବେ ଓ ତଦ୍ୱାରା ସେମାନଙ୍କର ସ୍ୱାସ୍ଥ୍ୟହାନି ଘଟିବ । ଗୁହାଳରେ ଗୋରୁମାନଙ୍କୁ ଲଗା ଲଗି ନ ବାନ୍ଧି ତିନି ତିନି ହାତ ଅନ୍ତରରେ ବାନ୍ଧିବାକୁ ହେବ । ଗୁହାଳ ଦୁଇଓଳି ପରିଷ୍କାର କରିବା ବିଧେୟ । ଗୁହାଳରେ ଟାଇଲ୍‌ ବା ପଥର ପାରିଦେବା ଉଚିତ । ଏହାଦ୍ୱାରା ଗୁହାଳ କାଦୁଆ ହେବ ନାହିଁ ଓ ଗୋରୁଙ୍କ ଦେହ ଅପରିଷ୍କାର ହେବନାହିଁ । ଗୁହାଳକୁ ଦୁଇପାଖରୁ ଢାଲୁକରି ମଝିରେ ଗୋଟିଏ ନାଳ ରଖିବା ଉଚିତ-। ଏପରି କଲେ ଗୋରୁ ମୂତ ବୋହି ଆସି ନାଳରେ ପଶିବ ଓ ନାଳେ ନାଳେ ପଦାକୁ ବାହାରି ଯିବ-। ଗୋରୁମୂତ, ଗୋବର ଓ ଗୁହାଳର ଅନ୍ୟାନ୍ୟ ଖଦିଆରି ଫୋପାଡ଼ି ନ ଦେଇ ଗୋଟାଏ ଗାତରେ ଜମାକରି ରଖିବ । ଏହା ସମୟରେ ଭଲ ଖତ ହୁଏ । ଗୋରୁଙ୍କ ସପ୍ତାହରେ ଦୁଇ ତିନିଥର ଭଲ କରି ଗାଧୋଇ ଦେବ।

 

ଗୋଜାତି ନୀରିହ ପଶୁ । ସେମାନଙ୍କ ତୁଣ୍ଡ ଫିଟୁ ନାହିଁ । ସେମାନେ ମନୁଷ୍ୟ ଜାତିର ପରମ ଉପକାରୀ ଜୀବ । ଏଣୁ ସେମାନଙ୍କ ପ୍ରତି ନିର୍ଦ୍ଦୟ ବ୍ୟବହାର କରିବ ନାହିଁ । ସେମାନଙ୍କ ପ୍ରତି ନିର୍ଦ୍ଦୟ ବ୍ୟବହାର କଲେ ସେମାନଙ୍କର ସ୍ୱାସ୍ଥ୍ୟହାନି ଘଟିବ ଓ ମନୁଷ୍ୟର ପରୋକ୍ଷ ଭାବରେ ଯଥେଷ୍ଟ କ୍ଷତି ହେବ । ସେମାନଙ୍କୁ ହଳ କରିବାରେ ବା ଗାଡ଼ି ବୁହାଇବାରେ ବେଶି ସମୟ ଖଟାଇ କ୍ଳାନ୍ତ କରିବା ଓ ସେମାନଙ୍କୁ ନିର୍ଦ୍ଦୟ ଭାବରେ ପ୍ରହାର କରିବା କୌଣସି ମତେ ବିଧି ନୁହେଁ । ଆମଦେଶରେ ଲୋକେ ଦାଆ ତତାଇ ଗୋରୁକୁ ଚରୁଦିଅନ୍ତି । ସେମାନଙ୍କର ବିଶ୍ୱାସ ଏପରି କଲେ ଗୋରୁ ଭବିଷ୍ୟତରେ ରୋଗମୁକ୍ତ ହେବ । ଏହା କେବଳ କୁସଂସ୍କାର । ସେମାନଙ୍କୁ ଚରୁ ଦେବା ଗୋଟାଏ ପାଶବିକ କାର୍ଯ୍ୟ ମାତ୍ର । ଏପରି କରିବା ଆଦୌ ବିଧି ନୁହେଁ ।

 

ଗୋରୁ ନାନାପ୍ରକାର ସଂକ୍ରାମକ ବ୍ୟାଧିରୁ ଅଧୀନ । ଗୋଟାଏ ପଡ଼ିଆରେ ଗ୍ରାମର ସବୁ ଗୋରୁ ଚରିବାରୁ ସାଧାରଣତଃ ବ୍ୟାଧି ସଂକ୍ରାମିତ ହୁଏ । ଗୋରୁ ଅସୁସ୍ଥ ହେଲେ, ଅସୁସ୍ଥତାର ନାନାପ୍ରକାର ସଙ୍କେତ ଦେଖାଯାଏ; ଯଥା–ରୋମ ଟାଙ୍କୁରିବା, ଶିଙ୍ଗ ଓ କାନର ଅଗ ଅତି କାକର ଲାଗିବା, ନ ଖାଇବା, ପାକୁଳ ନ କରିବା, ପାଟିରୁ ଲାଳ ବୋହିବା, ପ୍ରଖର ନିଶ୍ୱାସ ବୋହିବା,ଏକସ୍ଥାନରୁ ଅନ୍ୟ ସ୍ଥାନକୁ ଯିବାକୁ ଅନିଚ୍ଛା ପ୍ରକାଶ କରିବା, ଅନ୍ୟ ଗୋରୁମାନଙ୍କପାଖରୁ ଅଲଗା ହୋଇ ଏକସ୍ଥାନରେ ଶୋଇବା, ଅନ୍ୟଦିନ ଅପେକ୍ଷା ମାନ୍ଦା ଦେଖାଯିବା ଇତ୍ୟାଦି । ଏ ଛଡ଼ା ବିଶେଷ ବିଶେଷ ବ୍ୟାଧିର ବିଶେଷ ବିଶେଷ ଲକ୍ଷଣ ଅଛି ।

 

କୌଣସି ଗୋରୁ ଅସୁସ୍ଥ ହେଲେ ତାକୁ ଅନ୍ୟ ଗୋରୁଙ୍କଠାରୁ ଅଳଗାରଖି ଯଥାସାଧ୍ୟ ଚିକିତ୍ସା କରିବା ଉଚିତ । ଯଦି ଭଲ ହୋଇଯାଏ, ତାହାହେଲେ ଭଲହେବାର ଦଶ ପନ୍ଦରଦିନ ପର୍ଯ୍ୟନ୍ତ ଏହିପରି ଅଲଗା ରଖିବ । ଯଦି ଭୟଙ୍କର ସଂକ୍ରାମକ ବ୍ୟାଧିରେ କୌଣସି ଗୋରୁ ଆକ୍ରାନ୍ତ ହୋଇ ମରିଯାଏ, ତାହାହେଲେ ମଢ଼କୁ ଦୂର ନିର୍ଜନ ସ୍ଥାନରେ ପକାଇବ ନତୁବା ଗଭୀର ଗର୍ତ୍ତଖୋଳି ପୋତି ପକାଇବ । ଯେଉଁସ୍ଥାନରେ ରୋଗୀ ଗୋରୁ ରହେ ସେ ସ୍ଥାନ ବିଧିମତେ ପରିଷ୍କାର କରୁଥିବ ଓ ସେ ସ୍ଥାନରେ ଚୂନପାଣି ପକାଉଥିବ । ତାହାର ଗୋବର ଓ ଖଦିଆରିସବୁ ଦୂର ଜାଗାରେ ପୋତି ପକାଇବ । ତାପରେ ଯଥେଷ୍ଟ ଲୁଣ ମିଶାଇ ରୋଗୀ ଗୋରୁକୁ ଖାଇବାକୁ ଦେବ ।

 

ଗୋରୁପରି ମହିଷ, ଛେଳି, ମେଣ୍ଢା ପ୍ରଭୃତି ଆବଶ୍ୟକୀୟ ଗୃହପାଳିତ ପଶୁ । ସେମାନଙ୍କର ପାଳନ ମଧ୍ୟ ଠିକ୍‌ ଗୋପାଳନ ପରି । ଅନେକ ସ୍ଥଳରେ ଅଣ୍ଡିରାମହିଷ ହଳକାର୍ଯ୍ୟ ଓ ଶଗଡ଼ ଟାଣିବା କାର୍ଯ୍ୟରେ ବ୍ୟବହୃତ ହୁଅନ୍ତି ।

 

ଗାଈ,.ମହିଷ ଓ ଛେଳି ଦୁଧରୁ, ଘିଅ, ଦହି ଓ ଛେନା ପ୍ରଭୃତି ହୁଏ । ଆମ ଦେଶରେ ଲହୁଣି, ଘିଅ, ଦହି ପ୍ରଭୃତି ବାହାରେ କରିବାରେ ଯେଉଁସବୁ ଯନ୍ତ୍ର ବ୍ୟବହୃତ ହେଉଅଛି ତାହା ଭଲନୁହେଁ । କାରଣ ଏହି ସବୁ ଯନ୍ତ୍ର ସାହାଯ୍ୟରେ ନହୁଣି ବାହାର କରିବା ବହୁ ପରିଶ୍ରମ ସାଧ୍ୟ ଓ ତଦ୍ୱାରା ନହୁଣି ମଧ୍ୟ ବେଶି ବାହାରେ ନାହିଁ । ପାଶ୍ଚାତ୍ୟ ଦେଶରେ ଯେଉଁ ସବୁ ଯନ୍ତ୍ର ବ୍ୟବହୃତ ହେଉଅଛି ତଦ୍ୱାରା ଅନାୟାସରେ ବହୁ ପରିମାଣ ଦୁଧରୁ ଅଳ୍ପ ସମୟରେ ଲହୁଣି ବାହାର । ଯେଉଁମାନଙ୍କର ବହୁତ ଦୁଧ ଆମଦାନୀ ହେଉଛି, ସେମାନେ ଏହିସବୁ ଯନ୍ତ୍ର ବ୍ୟବହାର କଲେ ଭଲ ହୁଅନ୍ତା ।

 

ବାଛୁରୀ ଜନ୍ମ ହେବାର ଦୁଇମାସ ପରେ ଦୁଧ ଦୁହିଁବାକୁ ହେବ । ଗାଈଠାରୁ ଦୁଇଓଳି ଦୁଧ ଦୁହିଁବାକୁ ହେବ । ଓଳିଏ ଦୁହିଁଲେ ଖରାପ ଦୁଧ ମିଳେ । ଗାଈଠାରୁ ସବୁ ଦୁଧ ଦୁହିଁବାକୁ ହେବ-। ସେବୁ ନଦୁହିଁଲେ ଗାଈର ଦୁଧ କ୍ରମେ ୨ ବନ୍ଦ ହୋଇଯାଏ । ଗାଈ ଯେପରି ଖାଦ୍ୟ ଖାଏ ସେହିପରି ଦୁଧ ଦିଏ । କୋଚିଲା ଫଳ ଖାଇଲେ ଦୁଧ ପିତା ଲାଗେ । ଏଣୁ ଦୁଧ ଦେଉଥିବା ସମୟରେ ଗାଈକୁ ଭଲ ଖାଦ୍ୟ ଖାଇବାକୁ ଦେବ । ଏଣୁ ତେଣୁ ଖାଇବାକୁ ଦେଲେ ଦୁଧରେ ବେଶି କୀଟାଣୁ ରହିବେ ଓ ଏପରି ଦୁଧ ଶରୀର ପକ୍ଷରେ କ୍ଷତିକାରକ ।

 

ଆମ ଦେଶରେ ଆଜିକାଲି ଗୋରକ୍ଷଣୀ ସମିତି ଓ ଗୋଶାଳା ସ୍ଥାପନ ବିଷୟରେ ଅନେକଙ୍କର ମନ ଆକୃଷ୍ଟ ହୋଇଅଛି । ସେମାନେ ଏହିସବୁ ଗୋଶାଳାରେ କେତେକ ହଡ଼ାଗୋରୁ ପୋଷିବା ଛଡ଼ା ଆଉ କିଛି କରୁନାହାନ୍ତି । ସେହିସବୁ ହଡ଼ାଗୋରୁ ପୋଷିବା ନିଶ୍ଚୟ ଦୟାର କାର୍ଯ୍ୟ; କିନ୍ତୁ ସେମାନଙ୍କର ଭାବିବା ଉଚିତ ଯେ ହଡ଼ାଗୋରୁ ଚିରକାଳ ବଞ୍ଚିବେ ନାହିଁ । କେବଳ ସେହିମାନଙ୍କୁହିଁ ପୋଷି ସେମାନେ ସମାଜକୁ କୌଣସି ଆଦର୍ଶ ଦେଖାଇ ପାରିବେ ନାହିଁ । ଅତଏବ ସେହିସବୁ ଗୋଶାଳା ମାନଙ୍କରେ ଗୋଜାତିର ଅଭିବୃଦ୍ଧି ନିମନ୍ତେ ଯାହା ଯାହା କରିବା ଉଚିତ, ସେମାନଙ୍କର ତାହା କରିବା ବିଧି । ଦୁଗ୍ଧ ସମ୍ବନ୍ଧୀୟ ବ୍ୟବସାୟ (Dairy industry) ଆମ ଦେଶରେ ବିଧିମତେ ନାହିଁ କହିଲେ ଚଳେ । ସେହି ବ୍ୟବସାୟ ଗୋଶାଳାମାନଙ୍କରେ ଖୋଲି ଲୋକମାନଙ୍କୁ ଆଦର୍ଶ ଦେଖାଇବା ଉଚିତ । ଏହା ସଙ୍ଗେ ୨ ସେମାନେ ହଡ଼ାଗୋରୁ ପୋଷି ପାରନ୍ତି, କିଛି କ୍ଷତି ନାହିଁ । ତାହାହେଲେ ସେମାନେ ସମାଜ ଆଗରେ ଉଚ୍ଚ ଆଦର୍ଶ ଦେଖାଇ ପାରିବେ ଓ ତଦ୍ୱାରା ସମାଜର ଅଶେଷ ମଙ୍ଗଳ ସାଧିତ ହେବ ।

Image

 

ଷଷ୍ଠ ଅଧ୍ୟାୟ

କୃଷିସମ୍ବନ୍ଧୀୟ ପ୍ରବଚନ

 

ଆମ ଦେଶରେ କୃଷିବିଷୟରେ ଅନେକ ପ୍ରବଚନ ପ୍ରଚଳିତ ଅଛି । ସେଗୁଡ଼ିକରେ ଯେ ବିଜ୍ଞାନ ସମ୍ମତ କୃଷିତତ୍ୱ ନିହିତ ଅଛି, ଏଥିରେ କୌଣସି ସନ୍ଦେହ ନାହିଁ । କିନ୍ତୁ ଦୁଃଖର ବିଷୟ ସେଗୁଡ଼ିକ କ୍ରମଶଃ ଦେଶରୁ ଲୋପ ପାଇବାକୁ ବସିଅଛି । ଆଜି କାଲି ବୃଦ୍ଧ ବା ସ୍ତ୍ରୀମାନଙ୍କ ମୁଖରୁ ଏହିସବୁ ପ୍ରବଚନ ଶୁଣାଯାଏ । ଶିକ୍ଷିତ ସମାଜ ପ୍ରାୟ ଏସବୁ ଜାଣନ୍ତି ନାହିଁ । କାରଣ ସେମାନଙ୍କର ଗ୍ରାମ ସମାଜ ସହିତ ସମ୍ପର୍କ ଖୁବ୍‌ ଊଣା । ଆମ ଓଡ଼ିଆରେ କୃଷି, ଜ୍ୟୋତିଷ, ସ୍ୱାସ୍ଥ୍ୟ ପ୍ରଭୃତି ନାନାବିଷୟରେ ଅନେକ ପ୍ରବଚନ ପ୍ରଚଳିତ ଅଛି । ସେସବୁ ଡାକବଚନ ନାମରେ ପରିଚିତ । ସୁଖର କଥା ଏସୁ ସଂଗ୍ରହ କରିବା ବିଷୟରେ କେତେକଙ୍କର ଦୃଷ୍ଟି ଆକୃଷ୍ଟ ହୋଇଅଛି । ଏଠାରେ ପୁସ୍ତକର କଳେବର ଦୃଷ୍ଟିରେ କୃଷିବିଷୟରେ କେତୋଟିମାତ୍ର ପ୍ରବଚନ ଅର୍ଥ ସହିତ ନିମ୍ନରେ ଦିଆହେଲା ।

 

ବର୍ଷା

 

ଯେବେ ବରଷଇ ପୁଷର ଶେଷ,

ପୋଡ଼ୁ ସେ ରାଜା ପୋଡ଼ୁ ସେ ଦେଶ ।

ଯେବେ ବରଷଇ ମାଘର ଶେଷ,

ଧନ୍ୟ ସେ ରଜା ଧନ୍ୟ ସେ ଦେଶ ।

 

ପୁଷ ମାସରେ ବର୍ଷା ହେଲେ ଦେଶରେ ଫସଲ ଭଲହୁଏ ନାହିଁ; ଅତଏବ ରାଜାର ମଙ୍ଗଳ ହୁଏ ନାହିଁ । ମାଘ ମାସରେ ବର୍ଷାହେଲେ ଦେଶରେ ଫସଲ ଭଲହୁଏ ଓ ରାଜାର ମଙ୍ଗଳ ହୁଏ ।

 

ମେଘ ଚଇତ ମତା କଲା,

ଗଉଡ଼ ଗାଈ ଦୁହିଁ ୨ ମଲା ।

 

ଚୈତ୍ର ମାସରେ ବେଶି ବର୍ଷା ହେଲେ, ଘାସ ବେଶି ବଢ଼େ ଓ ଗାଈମାନେ ଘାସ ବେଶି ଚରିବାକୁ ପାଇ ବେଶି ଦୁଧ ଦିଅନ୍ତି ।

 

ଆଠ ଦୁମୁକାଣି ଷୋଳ ଅସରା,

ବତିଶ ଝୁପୁ ୨ ଚଉଷଠି କୁଣ୍ଡା ଝରା,

ତେବେ ଯାଇଁ ଚଷାର ପେଟ ହୁଏ ପୁରା ।

 

ଆଠ ଅସରା ଦୁମ ୨ ବର୍ଷା, ଷୋଳ ଅସରା ସାଧାରଣ ବର୍ଷା, ବତିଶ ଅସରା, ଝୁପୁ ୨ ବର୍ଷା ଓ ଚଉଷଠି ଅସରା କୁଣ୍ଡାଝରା ବର୍ଷ ମଧ୍ୟରେ ହେଲେ ଧାନ ଫସଲ ଭଲ ହୁଏ ।

 

ପୁରୂବ ମେଘ ପଶ୍ଚିମେ ଯାଇ,

ଡାକ ବୋଲେ ପୁତା ନିଶ୍ଚେ ବର୍ଷଇ ।

ପୂର୍ବରୁ ମେଘ ଉଠି ପଶ୍ଚିମକୁ ଗଲେ ନିଶ୍ଚେ ବର୍ଷା ହୁଏ ।

ଉଇଁ ନ ଦିଶେ ହସି ପଶେ

ଡାକ ବୋଲେ ପୁତାରେ ନିଶ୍ଚେ ବରଷେ ।

 

ସୂର୍ଯ୍ୟୋଦୟ ସମୟରେ ଆକାଶ ମେଘାଚ୍ଛନ୍ନ ହୋଇଥିବାରୁ ସୂର୍ଯ୍ୟ ଦେଖାଯାଉ ନଥିବେ ଓ ସୂର୍ଯ୍ୟାସ୍ତ ସମୟରେ ଆକାଶ ନିର୍ମଳ ହେଉଥିବ, ତାହାହେଲେ ନିଶ୍ଚୟ ବର୍ଷା ହେବ ।

 

ରାତି ବରଷା, ମାଆ ପରସା ।

 

ମାଆ ପରସିଲେ ଯେପରି ପୁଅ ମନ ବୋଧକରି ଖାଇବାକୁ ପାଏ, ରାତିରେ ବରଷିଲେ ସେହିପରି ଧାନ ଭଲ ବଢ଼େ ।

 

ପୂର୍ବେ ଅର୍ଦଳି ପଶ୍ଚିମେ ଧୋଇ,

ଡାକ ବୋଲେ ପୁତା ନିଶ୍ଚେ ବର୍ଷଇ ।

 

ପୂର୍ବଦିଗରେ ଇନ୍ଦ୍ରଧନୁ ପଡ଼ିଥିବ ଓ ପଶ୍ଚିମଦିଗରେ ଧୁସରା ମେଘ ଉଠିଥିବ, ତାହାହେଲେ ନିଶ୍ଚୟ ବର୍ଷା ହେବ ।

 

ମେଘ ହୋଇଥିଲେ ପୁଷ୍କର,

ଜାଣିକ ନଜାଣି ଚାଷକର ।

 

ମେଘ ଚାରିପ୍ରକାର, ଯଥା-ଆବର୍ତ୍ତକ, ସମ୍ବର୍ତ୍ତକ,ଦ୍ରୋଣ ଓ ପୁଷ୍କର । ଯେଉଁ ବର୍ଷ ମେଘ ପୁଷ୍କର,ସେହିବର୍ଷ ଫସଲ ଅନିଶ୍ଚିତ ।

 

ତୁଳରେ ବର୍ଷି ଲେ ମଳରେ ଫଳେ ।

 

ତୁଳ ମାସରେ ବର୍ଷା ହେଲେ, ଆଳୁ ଓ ମୂଳା ପ୍ରଭୃତି ମୂଳଜାତୀୟ ଫସଲ ଭଲହୁଏ ।

 

ଦିବସେ ହୁଳା ହୁଳା, ରାତିକି ନିରିମଳା, ଡାକବୋଲେ

ପୁତାରେ ଏ ଦେଶ ଛାଡ଼ି ପଳା ।

ଦିନରେ ମେଘ ମାଳ ମାଳ ହୋଇ ଉଠୁଥିବ ଓ ରାତିରେ ଆକାଶ ନିର୍ମଳ ହେଉଥିବ ତାହାହେଲେ ବର୍ଷା ହେବ ନାହଁ ।

 

ବେଙ୍ଗ ଡାକେ ଘନ ଘନ, ଶୀଘ୍ର ବୃଷ୍ଟିହେବ ଜାଣ ।

ବେଙ୍ଗ ଘନ ୨ ବୋବାଇଲେ ବୃଷ୍ଟିଶୀଘ୍ର ହୁଏ ।

 

ଚାଷ

 

ଷାଠିଏ ଓଡ଼ ମୂଳା, ତହିଁର ଅଧ ତୁଳା, ତହିଁର ଅଧ ଧାନ, ତହିଁର ଅଧ ପାନ ।

 

ମୂଳା ଷାଠିଏ ଓଡ଼ ଚାଷ କରିବ, ତୁଳାପାଇଁ ୩୦ ଓଡ଼, ଧାନପାଇଁ ୧୫ ଓଡ଼, ପାନପାଇଁ ୭ ବା ୮ ଓଡ଼ ଚାଷ କରିବ।

 

ମାଘର ଚାଷ ସୁନାର କସ ।

 

ମାଘ ମାସରେ ଚାଷ କଲେ ସୁନା କସିଲାପରି ଧାନ ଭଲହୁଏ ।

 

ଫଗୁଣ ଚାଷ ସୁନାର କସ,

ଚୈତ୍ର ଚାଷ କୁଟୁମ୍ବ ପୋଷ,

ବୈଶାଖ ଚାଷ ମୂଲିଆ ପୋଷ,

ଜ୍ୟେଷ୍ଠ ଚାଷ ବେଳହୁଁ ଖସ ।

 

ଧାନପାଇଁ ଫଗୁଣ ମାସର ଚାଷ ସବୁଠାରୁ ଭଲ; ଚୈତ୍ରମାସରେ ଚାଷ କଲେ ସାମାନ୍ୟ ଫସଲ ହୁଏ, ମାତ୍ର କୁଟୁମ୍ବପାଇଁ ଖାଦ୍ୟ ଅଣ୍ଟେ, ବୈଶାଖରେ ଚାଷ କଲେ ଖର୍ଚ୍ଚଟା ମିଳେ, ଜ୍ୟେଷ୍ଠ ମାସରେ ଚାଷ କଲେ କ୍ଷତି ହୁଏ, ଲାଭ କିଛି ହୁଏ ନାହିଁ ।

 

ଅନା ବନା କରି ଚାଷ, ମଇଦେଇ ଘସ ।

ଯେଉଁ ଭଳି ଚାଷକର, ମଇ ଭଲକରି ଦିଅ ।

ଚୈତ୍ରେ ଚାଷ ଭାଙ୍ଗଇ ବାସ ।

 

ଚୈତ୍ରମାସରେ ଚାଷକଲେ ବାସ ରହେନାହିଁ ।

 

ମିଥୁନ ବୋଲି କର୍ଣ୍ଣେ ଶୁଣ,

ଦୁବ ଚିରି ଧାନ ବୁଣ ।

 

ମିଥୁନ ମାସ ହୋଇଗଲେ ଯେ କୌଣସି ପ୍ରକାର ଚାଷକରି ଧାନ ବୁଣିବା ଉଚିତ ।

 

ଛାଡ଼ିବୁ ଚଉଦ ଧରିବୁ ଚାରି,

କୋମଣ କରିବୁ ଚାଷ କିଆରି ।

 

ଚୌଦ ମାଣ ଏଣୁ ତେଣୁ ଚାଷ କରିବା ଅପେକ୍ଷା, ଚାରିମାଣ କୋମଣ କରି ଚାଷକରିବା ଭଲ । ଏଥିରେ ଭଲ ଲାଭହୁଏ ।

 

ପାଗ

 

ଆଷାଢ଼ମାସର ଆଦ୍ୟ ଚଉଠି,

ଚାରିଆଡ଼ୁ ଯେବେ ମେଘ ନଉଠି,

ଆଡ଼ ବାଡ଼ ହୋଇ ନବହେ ବାଆ,

ଡାକ ବୋଲେ ପୁତା ଦେଶାନ୍ତର ଯାଆ ।

 

ଆଷାଢ଼ମାସର କୃଷ୍ଣପକ୍ଷ ଚତୁର୍ଥୀ ସମୟକୁ ବା ପ୍ରଥମ ସପ୍ତାହରେ ଯଦି ଚାରିଆଡ଼ୁ ମେଘ ନଉଠେ, ଚାରିଆଡ଼ୁ ଯଦି ପବନ ନବହେ, ତାହାହେଲେ ଧାନ ଫସଲ ଭଲ ହୁଏ ନାହିଁ ।

 

ଧାନ

 

ଆଷାଢ଼ ମାସର ମାଇ ଖରୁଡ଼ି, ଅତି ଭାଗ୍ୟଥିଲେ ପାଇ;

ଠିଆ ଠିଆ ହୋଇ ବୁଣି ଦେଇଥିଲେ, ନଇଁ ନଇଁ କରି ଦାଇ ।

 

ଅତିଭାଗ୍ୟ ଥିଲେ ଆସାଢ଼ମାସରେ ଖରୁଡ଼ିପାଗ ମିଳେ । ସେହି ପାଗରେ ଏଣୁ ତେଣୁ କରି ବୁଣି ଥିଲେ ମଧ୍ୟ ଭଲଧାନ ହୁଏ ଓ ନଇଁ ୨ କରି ଧାନ କାଟିବାକୁ ପଡ଼େ ।

 

ଆଗ ବୁଣ୍‌, ପଛ ବୁଣ୍‌, ଗର୍ଭଣାକୁ ଟୁଣ୍‌

ଯେଉଁ ସମୟରେ ଧାନ ବୁଣ, ଗର୍ଭଣାସଂକ୍ରାନ୍ତିକୁ ଧାନ ଥୋର ହେବ ।

ମିଥୁନେ ଛତା, କର୍କଟେ ହତା,

ସିଂହ ଚଉକା, କନ୍ୟେ ନିଘଞ୍ଚ ରୋଉ;

ତୁଳରେ ରୋଇଲେ, ମୂଳରେ ଫଳେ,

ବିଡ଼ି ବିଡ଼ି କରି ଥୋଉ ।

 

ମିଥୁନମାସରେ ଛଡ଼ା ଛଡ଼ିକରି, ସିଂହମାସରେ ଚଉକେ ଚଉକେ ଛଡ଼ାରେ, କନ୍ୟାମାସରେ ଲଗା ଲଗିକରି ଧାନ ରୋଇବ ତୁଳମାସରେ ରୋଇଲେ ଆଦୌ ଧାନ ହୁଏ ନାହିଁ, ଅତଏବ ତଳି ବିଡ଼ା ବିଡ଼ା କରି ପକାଇ ଦେବ ।

 

ଆଡ଼ ଦିମୁଠି ଠିଆ ମୁଠି,

କିଆରି ମଝିରେ ପୋତିବ କାଠି,

କାଠିକି କରିବ ପାଣି ସମାନ,

ପର୍ବତ ଶିଖରେ କରିବ ଧାନ,

ଯେବେ ନୋହିବ ତହିଁରେ ଧାନ,

ତେବେ କାଟିବ ଡାକର କାନ,

ମାନରେ ଭାଇ ମାନ୍‌,

ଯହିଁ ପାଣି ତହିଁ ଧାନ ।

 

ଦୁଇମୁଠାମ୍ବର ଖଣ୍ଡେ କାଠିନେବ । ମୁଠାଏଲମ୍ବରେ ପୋତିବ ଓ ମୁଠାଏ ଉପରେ ରଖିବ । କାଠିରଅଗ ସହିତ କିଆରିରେ ପାଣି ସମାନ ରଖିବ । ଅର୍ଥାତ୍‌ କିଆରିରେ ମୁଠାଏ ଉଚ୍ଚରେ ପାଣି ରଖିବ । ଏପରି ଭାବରେ ବିଲରେ ପାଣି ରହିଲେ ପର୍ବତ ଉପରେ ସୁଦ୍ଧା ଧାନ ଭଲହେବ । କାରଣ ଯେଉଁଠାରେ ପାଣି ସେହିଠାରେ ଧାନ ।

 

ସାତ ଚାଖଣ୍ଡ ଚଉଦ ମୁଠି,

ଧାନ ବୁଣିବ ପର୍ବତ ଉଠି,

ମାନରେ ଭାଇ ମାନ,

ଯହିଁ ପାଣି ତହିଁ ଧାନ୍‌ ।

 

ପର୍ବତ ଉପରେ ଭୂମି ତୟାର କଲେ ସୁଦ୍ଧା, ଯଦି ହିଡ଼ ସାତ ଚାଖଣ୍ଡ ଚଉଡ଼ା ଓ ଚଉଦମୁଠି ଉଚ୍ଚ ଥାଏ, ତାହାହେଲେ ଧାନ ଭଲହୁଏ । କାରଣ ଯେଉଁଠାରେ ପାଣି ରହେ ସେଠାରେ ଧାନହୁଏ ।

 

ସିଂହ ଚଉକା, ଉତ୍ତମରୁଆ, ତହିଁରୁ ବଳିଲେ ଦଶ,

ଗାଁ ଖତିଆରି, କପା କିଆରି, ଆଉ ଚାରିଦିନ ରକ୍ଷ ।

ସିଂହମାସର ପ୍ରଥମ ଚାରି ଦିନ ଭିତରେ ରୋଇଲେ ଧାନ ଭଲହୁଏ; ନତୁବା ଆଉ ଦଶଦିନ ଭିତରେ ରୋଇଲେ ମଧ୍ୟ ଧାନ ହୁଏ । ପୁଣି ଗ୍ରାମତଳିଆ ଖତିଆରି ଭୂମିରେ କିମ୍ବା କପା କିଆରିରେ ଆଉ ଚାରିଦିନ ପରେ ରୋଇଲେ ମଧ୍ୟ ହୁଏ ।

ଜନମ ସିରିଲା, ଚଷାର କରମ ।

ଜନ୍ମାଷ୍ଟମୀପରେ ଧାନ ରୋଇଲେ ଚଷାର କର୍ମରେ ଥିଲେ କିଛି କିଛି ଫସଲ ହେବ; ନୋହିଲେ ନାହିଁ ।

ଚଢ଼ିଆ ଫୁଲ ହେବ କାଠ,

ଆହୁରି ରୋଇବ ଦିନ ଆଠ ।

ଖରିଫୁଲ ଝଡ଼ିବାର ଆଠଦିନ ମଧ୍ୟରେ ମଧ୍ୟ ଧାନ ରୁଆଯାଇ ପାରେ ।

ଦୁଧର ବାଛୁରୀ ପାଣିର ଧାନ,

ନୋହିଲେ କାଟିବୁ ଡାକର କାନ ।

 

ଦୁଧ ଯେପରି ବାଛୁରୀପକ୍ଷେ ଦରକାର, ପାଣି ସେହିପରି ଧାନ ସକାଶ ଦରକାର । ପାଣି କିଆରିରେ ଥିଲେ ଧାନ ନିଶ୍ଚୟ ହେବ ।

 

ଭାଦ୍ରବେ ନଳା ବାନ୍ଧଇ ଭେଳା,

ଆଶ୍ୱିନେ ନଳା କାଟଇ ଗଳା ।

 

ଭାଦ୍ରବ ମାସରେ ଧାନରେ ନଳା ବାହାରିଲେ ତାହା ମୂଳରୁ ଷଣ୍ଢା ବାହାରି ଧାନଗଛ ମୁଠାଧରେ । କିନ୍ତୁ ଆଶ୍ୱିନମାସରେ ଧାନଗଛରୁ ନଳା ବାହାରିଲେ ଫସଲ ନଷ୍ଟ ହୋଇଯାଏ ।

 

ବୁଣ୍‌ ଖରୁଡ଼ି ପକାଖତ,

ହିଡ଼ ଖଣ୍ଡିରେ ନେଦେବୁ ହାତ,

ଦୀର୍ଘ ହାତେ ପ୍ରତି ହାତେ,

ହିଡ଼ ବାନ୍ଧିବୁ ଘାସ ସହିତେ,

ଚଷା ଭାଇ ମାନ୍‌ରେ,

ଯହିଁ ପାଣି ତହିଁ ଧାନରେ ।

 

ଧାନ ଖରୁଡ଼ି ବୁଣିବ ଓ ବିଲରେ ଖତ ପକାଇବ । ହିଡ଼ କାଟିବାକୁ ହେବ ନାହିଁ, ବରଂ ହିଡ଼କୁ ଘାସ ସଙ୍ଗରେ ଭଲକରି ବାନ୍ଧିବ । ଏକଥା ଚଷାମାନଙ୍କର ମାନିବା ଉଚିତ୍‌; କାରଣ ଯେଉଁଠାରେ ପାଣି ସେଠାରେ ଧାନ ।

 

ଧୂଳିଆ ଗୁଣ୍ଡିଚା କାଦୁଆ ଗହ୍ମା,

ଡାକ ବୋଲେ ଧାନ ହାଟକୁ ନେବା ।

 

ଗୁଣ୍ଡିଚା ସମୟରେ ଖରା ହେବା ଉଚିତ; କାରଣ ଖରୁଡ଼ି ବୁଣିବାକୁ ପାଗ ମିଳିବ । ଗହ୍ମା ପୂର୍ଣ୍ଣିମା ସମୟକୁ ଭୂମି କାଦୁଆ ହେବା ଭଳି ବର୍ଷା ହେବା ଦରକାର; କାରଣ ବେଉଷଣକୁ ସୁବିଧା ହେବ । ଯେଉଁ ବର୍ଷ ଏପରି ପାଗ ହୁଏ ସେ ବର୍ଷ ଏପରି ଧାନ ହୁଏ ଯେ ଚଷାର ସବୁ ଖର୍ଚ୍ଚ ଚଳିଯାଏ ଓ ସେ କିଛି ୨ ବିକ୍ରିକରେ ।

 

ରବି ଫସଲ

 

ବିରି ମୁଗ ଖଳ ଖଳଆ, ତିଳା ରାଶି ଜର ଜର ।

 

ବିରି ଓ ମୁଗ ପାଗିଥିବା ଭୂମିରେ ବୁଣିବ ଓ ତିଳା ଓ ରାଶି କାଦୁଆ ଭୂମିରେ ବୁଣିବ ।

 

ମାଘ ଚକଟା, ଫଗୁଣ ଫଟା, ଚୈତ୍ର ମାସରେ ଝାଞ୍ଜି,

ତେବେ ଯାଇଁ ଦେଖିବ ମୁଗର କାନ୍ଦି ।

 

ଯଦି ମାଘ ମାସରେ ମୁଗ ବୁଣା ହେବ, ଫଗୁଣ ମାସରେ ଭୂମି ଶୁଖି ଫାଟି ଯିବ ଓ ଚୈତ୍ର ମାସରେ ଝାଞ୍ଜି ବୋହିବ, ତାହାହେଲେ ମୁଗ ବହୁତ ଫଳିବ ।

 

ତିଳା ବହଳ, ବିରି ମୁଗ ଧୋଇ;

ଆଖୁ ମନ୍ଦା ପଡ଼ିଆ, କେବେ ନ ହୁଅଇ ।

 

ତିଳା ଯଦି ବହଳରେ ବୁଣାହୁଏ, ବିରି ମୁଗ ବୁଣାହେଲା ପରେ ଯଦି ତାହା ଧୋଇଯାଏ, ଆଖୁ ଯଦି ଠାଆ ପଡ଼ିଆ ହୋଇ ବଢ଼ି ଥାଏ, ତାହାହେଲେ ସେସବୁ ଫସଲ କିଛି ଭଲ ହୁଏ ନାହିଁ ।

 

ଧାନ ମାଣ୍ଡିଆ କଞ୍ଚା କଞ୍ଚା, ବିରି ମୁଗ ପଚା ପଚା ।

 

ଧାନ ଓ ମାଣ୍ଡିଆ କିଛି କିଛି କଞ୍ଚା ଥିଲେ ମଧ୍ୟ କଟା ଯାଇ ପାରେ; କିନ୍ତୁ ବିରି ଓ ମୁଗ ଭଲ କରି ପାଚିଲେ କଟା ହୁଏ ।

 

ବିରି ବରଗୁଡ଼ି ଥାନେ ତାନେ, ମୁଗ କୋଳଥ କାନେ କାନେ ।

 

ବିରି ଓ ବରଗୁଡ଼ି ଛଡ଼ା ୨ କରି ବୁଣିବ ଏବଂ ମୁଗ ଓ କୋଳଥ ଏପରି ଭାବରେ ବୁଣିବ ଯେପରି ଗଛସବୁ ପତ୍ରକୁ ପତ୍ର ଲାଗିଥିବ ।

 

ବାଇଗଣ

 

ଆଠ ଓଡ଼, ଷୋଳ କୋଡ଼, ଟୋକେଇ ନେଇ ବିଲରେ ଆଡ଼ ।

 

ବାଇଗଣ କିଆରିକୁ ଆଠଥର ଚଷିବ; ଯଥାସମୟରେ ବାଇଗଣ ଗଛସବୁକୁ ଷୋଳଥର କୋଡ଼ିବ । ଏପରି କଲେ ବାଇଗଣ ଟୋକେଇ ଟୋକେଇ ହୋଇ ଫଳିବ ।

 

କଦଳୀ

 

ଜ୍ୟେଷ୍ଠେ କଦଳୀ ଆଷାଢ଼େ କିଆ,

ପୋତ ବା ନପୋତ ହୁଅଇ ଠିଆ ।

 

ଜ୍ୟେଷ୍ଠ ମାସରେ କଦଳୀ ଓ ଆଷାଢ଼ ମାସରେ କିଆ ଲଗାଇଲେ ଗଛ କେବେହେଁ ମରିବ ନାହିଁ ।

 

ଆଠହାତ ଅନ୍ତରେ ହାତେ ଘାଇ,

କଦଳୀ ପୋତରେ ଚଷା ଭାଇ,

ଗଛ ପୋତି ପତ୍ର ନ କାଟିବୁ ଯେବେ,

ଏଥୁଁ ଅନ୍ନ ବସ୍ତ୍ର ପାଇବୁ ତେବେ ।

 

କଦଳୀଗଛ ଆଠହାତ ଅନ୍ତରରେ ଲଗାଇବ । କଦଳୀ ଗଛରୁ ପତ୍ର କାଟିବ ନାହିଁ । ତାହାହେଲେ ବେଶି କଦଳୀ ଫଳିବ ।

 

ଆଖୁ

 

ଭୂମି ଚଷ, ଗୁଆପକାଅ;

ଯେବେ ଗୁଆ ବୁଡ଼ିଯାଏ, ତେବେ ଆଖୁ ଲଗାହୁଏ ।

 

ଭୂମିକୁ ଏପରି ଗୁଣ୍ଡା ଚାଷ କରିବ ଯେପରି ଗୋଟିଏ ଗୁଆ ପକାଇଲେ କାହା ମାଟିରେ ପୋତି ହୋଇଯିବ । ଏପରି ଅବସ୍ଥାରେ ଆଖୁ ଲଗାହୁଏ ।

 

ବଳଦ

 

କିଣିଥିବୁ ମୂଳା ଶିଂଘାକୁ ରସି,

କାନ୍ଦୁଥିବୁ ହିଡ଼ ମୁଣ୍ଡାରେ ବସି ।

 

ଯେଉଁ ବଳଦର ଶିଂଘ ମୋଟ ସେ ଚାଷ ନିମନ୍ତେ ଅନୁପଯୁକ୍ତ ।

Image

 

ସପ୍ତମ ଅଧ୍ୟାୟ

ଉପସଂହାର

 

ଭାରତବର୍ଷ କୃଷି ପ୍ରଧାନ ଦେଶ । କିନ୍ତୁ ଭାରତବାସୀ ବୈଜ୍ଞାନିକ ପ୍ରଣାଳୀରେ କୃଷି ନ କରିବାକୁ ବିଶେଷ ଲାଭବାନ୍‌ ହୋଇପାରୁ ନାହିଁ । ଭାରତୀୟ କୃଷକ କୃଷିଦ୍ୱାରା ଜୀବିକା ନିର୍ବାହ କରିବାକୁ ଅକ୍ଷମ ହେଉଅଛି । ସେ ଆଜି ଋଣ ଜାଲରେ ଆବଦ୍ଧ । ତାହାର ଭୂମି ଉଚ୍ଚ କଳନ୍ତରରେ ଗ୍ରାମ ମହାଜନଠାରେ ଆବଦ୍ଧ । ସେହି ଗ୍ରାମ ମହାଜନ ତାହାଠାରୁ ଶତକଡ଼ା ୨୫ ବା ତତୋଧିକ ଦ୍ୱାରରେ କଳନ୍ତର ଭିଡ଼ୁଛି । ସେହି ଅନୁପାତରେ କୃଷକ ନିଜର ଭୂମିରୁ ଫସଲ ଆଦାୟ କରିପାରୁନାହିଁ । ଯଦି ଗ୍ରାମେ ୨ ସମବାୟ ଋଣ ସମିତି ବସନ୍ତା, ତାହାହେଲେ କୃଷକ କୁଳର ଅଶେଷ କଲ୍ୟାଣ ସାଧିତ ହୁଅନ୍ତା । ସେହି ସବୁ ସମିତିରୁ କୃଷକ ଶତକରା ବାର୍ଷିକ ୯ ବା ୧୦ ହାରରେ ଋଣ ପାଇପାରନ୍ତା । ତଦ୍ୱାରା କିପରି ମିଳିମିଶି କାର୍ଯ୍ୟ କରିବାକୁ ହୁଏ, କୃଷକ ଶିଖି ପାରନ୍ତା । କିନ୍ତୁ ଆମଦେଶରେ ସମବାୟ ଋଣ ସମିତିର ବିଶେଷ ପ୍ରଚାର ହୋଇ ନାହିଁ । ଏ ସମ୍ବନ୍ଧରେ କୃଷକର ଆଦୌ ଜ୍ଞାନ ନାହିଁ କହିଲେ ଚଳେ ।

 

ଦ୍ୱିତୀୟକଥା, କୃଷକମାନଙ୍କ ମଧ୍ୟରେ ଏକତା । ଏକତାଦ୍ୱାରା ଅସାଧ୍ୟ ସାଧ୍ୟହୋଇପାରେ । କୌଣସି ଫସଲ କରିବାକୁ ହେଲେ କୃଷକମାନଙ୍କର ଏକତାବଦ୍ଧ ହୋଇ କରିବା ଉଚିତ । ଯେଉଁ କାର୍ଯ୍ୟ ଜଣେ ଲୋକଦ୍ୱାରା ହୋଇ ନ ପାରେ, ତାହା ୨୫ ଜଣଙ୍କଦ୍ୱାରା ଉପକାର ଅନାୟାସରେ ହୋଇପାରେ ଓ ତଦ୍ୱାରା ୨୫ ଜଣଙ୍କର ଉପକାର ହୋଇପାରେ । ଅତଏବ ଏକ ବା ଅଧିକ ଗ୍ରାମର ଲୋକମିଶି ଗୋଟିଏ ଗୋଟିଏ କୃଷକ ସମିତି ବସାଇବା ଉଚିତ । ନିଜଦ୍ୱାରା ବା ସରକାରଙ୍କ ଦ୍ୱାରା କିପରି କୃଷକମାନଙ୍କର ମଙ୍ଗଳ ସାଧିତ ହେବ, ତାହା ଏହି ସମିତିମାନଙ୍କର ଉଦ୍ଦେଶ୍ୟ ହେବା ଉଚିତ । ଏହି ସମିତିମାନେ କୃଷକମାନଙ୍କୁ ନିଜ ନିଜ ଭିତରେ ବୃଥାକଥାରେ ମୋକଦ୍ଦମାକରି ଖର୍ଚ୍ଚାନ୍ତ ହେବାକୁ ନ ପଠାଇ ପଞ୍ଚାୟତରେ ବିବାଦମାନ ନିଷ୍ପତ୍ତି କରିଦେଇ ପାରନ୍ତେ । ଏହିପରି ମୋକଦ୍ଦମାରେ ଅନେକ କୃଷକକୁଳ ଉଚ୍ଛନ୍ନ ହେଉଅଛି । କିନ୍ତୁ ଦୁଃଖର ବିଷୟ କୃଷକମାନଙ୍କ ଭିତରେ ଏପରି ଏକତା ନାହିଁ । ଏପରିକି ଜଣେ କୃଷକର କ୍ଷେତ୍ରରେ ଗୋରୁ ପଡ଼ିଥିଲେ ଆଉଜଣେ ଦେଖିଥିଲେ ସୁଦ୍ଧା ଅଡ଼ାଇ ଦିଏନାହିଁ । ଏପରିଭାବରେ କୃଷକମାନଙ୍କ ଭିତରେ ଏକତା ନ ଥିବାରୁ ସମୂହ କ୍ଷତି ଘଟୁଅଛି ।

 

ତୃତୀୟକଥା–ଛୋଟ କ୍ଷେତ୍ରରେ ଯେଉଁ ଅନୁପାତରେ ଆୟହୁଏ, ବୃହତ୍ତ କ୍ଷେତ୍ରରେ ତାହା ଅପେକ୍ଷା ବହୁତ ଅନୁପାତରେ ଆୟହୁଏ । କିନ୍ତୁ ଆମଦେଶ କୃଷକ ଏବିଷୟଟି ହୃଦୟଙ୍ଗମ କରିନାହାନ୍ତି । ସେମାନଙ୍କର ପୈତୃକ ସମ୍ପତି ବାଣ୍ଟିବା ସମୟରେ ପ୍ରତ୍ୟେକ କ୍ଷେତ୍ରକୁ ଖଣ୍ଡ ଖଣ୍ଡ କରି ବାଣ୍ଟନ୍ତି । ଏପରି ନ କରି ଚକ ଚକ କରି ବଣ୍ଟନ କରିବା ବିଧେୟ । ଏହାଦ୍ୱାରା ସମସ୍ତଙ୍କୁ କୃଷି ବିଷୟରେ ସୁବିଧା ଲାଭ ହେବ । ଆଉମଧ୍ୟ ଯେଉଁ ମାନଙ୍କ ଭୂମି ଲଗା ଲଗି ହୋଇଅଛି ସେମାନେ ମିଳି ମିଶି ଏକାଠି ଚାଷ କରିପାରନ୍ତି । ଶେଷରେ ଭୂମିର ଅନୁପାତ ଅନୁସାରେ ଫସଲ ବାଣ୍ଟି ନେଇ ପାରନ୍ତି ।

 

ଚତୁର୍ଥ କଥା–ଫସଲ ପରୀକ୍ଷା । କେଉଁ ଜମିରେ କେଉଁ ଫସଲ କିପରି ଭାବରେ ହେବ ତାହା ପରୀକ୍ଷା କରି ଦେଖିବା ଉଚିତ । ଆଜିକାଲି ନାନା ପ୍ରକାର ନୂଆ ନୂଆ ଲାଭଜନକ ବୈଦେଶିକ ଫସଲର ପ୍ରଚାର ଆମ ଦେଶରେ ଆରମ୍ଭ ହୋଇଅଛି । ସେ ସବୁ ଫସଲ କୃଷକ ପରୀକ୍ଷା କରି ଦେଖିପାରେ । ଅନେକ ଦେଶି ଫସଲର ବୈଦେଶିକ ମଞ୍ଜି ଦେଶିମଞ୍ଜି ଅପେକ୍ଷା ଅନେକାଂଶରେ ଭଲ । ବିଦେଶୀ ବାଇଗଣ ଓ ବୋଇତିଆଳୁ ଦେଶୀ ବାଇଗଣ ଓ ବୋଇତିଆଳୁ ଅପେକ୍ଷା ଖୁବ୍‌ ବଡ଼ । ସେହିସବୁ ବାଇଗଣ ଗୋଟିଏ ଗୋଟିଏ ଚାରିସେର ପର୍ଯ୍ୟନ୍ତ ଓ ଗୋଟିଏ ଗୋଟିଏ ବୋଇତିଆଳୁ ଏକମହଣ ପର୍ଯ୍ୟନ୍ତ ଓଜନହୁଏ । ଅତଏବ ସେହିସବୁ ମଞ୍ଜି କୃଷକ କମ୍ପାନୀରୁ କିଣି ବ୍ୟବହାର କରିପାରେ ।

 

ଏହିପରି ଦେଖିଲେ ପୃଥିବୀରେ ନାନା ପ୍ରକାର ଲାଭ ଜନକ ଫସଲ ଅଛି । ଏଠାରେ କେତୋଟିର ଚାଷ ବିଷୟରେ ଲେଖାଗଲା । ସମୁଦାୟ ଲେଖିଲେ ଗୋଟିଏ ବଡ଼ ଗ୍ରନ୍ଥ ହୋଇ ଯିବ-। ଫୁଲଚାଷ, ଜାଳନୀ କାଠ ଚାଷ, ମହୁଚାଷ, ଘାସଚାଷ, ରଙ୍ଗ ଚାଷ, ରେଶମ ଚାଷ, ଚା ଚାଷ, କାଫିଚାଷ, ନୀଳ ଚାଷ, ଏହିପରି ନାନାପ୍ରକାର ଫସଲର ଚାଷ ଅଛି । ଏହିସବୁ ଚାଷ ବିଶେଷ ଲାଭ ଜନକ । କୃଷକ ମାନେ ଅନୁସନ୍ଧାନ କରି ଏହି ସବୁ ଫସଲର ବୈଜ୍ଞାନିକ ଚାଷ କରି ପାରନ୍ତି-। ଏତିକି କହି ଏଠାରେ କ୍ଷାନ୍ତ ହେଲୁଁ ।

Image